ଦୁର୍ବଳ ସ୍ଥିତିରେ ରୋହିତ ସେନା

ଡବ୍ଲୁ୍ୟଟିସି ଫାଇନାଲ୍, ଦ୍ୱିତୀୟ ଦିବସ
ଲଣ୍ଡନ, ୮ା୬ (ଏଜେନ୍ସି): ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁ୍ୟଟିସି) ଫାଇନାଲ୍ର ଦ୍ୱିତୀୟ ଦିନ ଦୁର୍ବଳ ସ୍ଥିତିରେ ରହିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ରେ ୪୬୯ ରନ୍ କରିଥିବା ବେଳେ ଷ୍ଟମ୍ପ୍ସ ଅପସାରଣ ବେଳକୁ ରୋହିତ ସେନା ୩୮ ଓଭର୍ ଖେଳି ୫ ୱିକେଟ୍ ହରାଇ ୧୫୧ ରନ୍ ସଂଗ୍ରହ କରିଛି । ଅଜିଙ୍କ୍ୟ ରାହାନେ ୨୯ ଓ ଶ୍ରୀକର ଭରତ ୫ ରନ୍ କରି ଅପରାଜିତ ଥିଲେ ।
ଅଷ୍ଟ୍ରେଲିଆର ବଡ଼ ସ୍କୋର୍ର ଜବାବରେ ଭାରତୀୟ ଟିମ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୩୦ ରନ୍ ମଧ୍ୟରେ ଦୁଇ ଓପନର୍ଙ୍କ ୱିକେଟ୍ ପଡ଼ିଥିଲା । ଅଧିନାୟକ ରୋହିତ ଶର୍ମା ୧୫ ରନ୍ କରି ପାଟ୍ କମିନ୍ସଙ୍କ ବଲ୍ରେ ଆଉଟ୍ ହୋଇଥିବା ବେଳେ ଶୁଭମନ ଗିଲ୍ (୧୩)ଙ୍କୁ ସ୍କଟ୍ ବୋଲାଣ୍ଡ ପାଭିଲିଅନ୍ ପଠାଇଥିଲେ ।
ଚେତେଶ୍ୱର ପୂଜାରା (୧୪) ଓ ବିରାଟ କୋହଲି (୧୪) ମଧ୍ୟ ନିରାଶ କରିଥିଲେ । ଉଭୟ ଯଥାକ୍ରମେ କାମେରନ୍ ଗ୍ରୀନ୍ ଓ ମିଚେଲ୍ ଷ୍ଟାର୍କଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ୭୧ ରନ୍ରେ ୪ ୱିକେଟ୍ ପଡ଼ିବା ପରେ ଅଜିଙ୍କ୍ୟ ରାହାଣେ ଓ ରବୀନ୍ଦ୍ର ଜାଡ଼େଜା ସ୍ଥିତି ସମ୍ଭାଳିଥିଲେ । ପଞ୍ଚମ ୱିକେଟ୍ ପାଇଁ ୭୧ ରନ୍ର ଭାଗୀଦାରୀ ହୋଇଥିଲା । ଜାଡ଼େଜା (୪୮)ଙ୍କୁ ମାତ୍ର ୨ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ନାଥନ୍ ଲାୟନ୍ ।
ଏହା ପୂର୍ବରୁ ଗୁରୁବାର ଅଷ୍ଟ୍ରେଲୀୟ ଟିମ୍ ୩୨୭/୩ ସ୍କୋର୍ରୁ ଅସମାପ୍ତ ଇନିଂସ୍ ଆରମ୍ଭ କରି ୪୬୯ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ପୂର୍ବ ଦିନ କ୍ରିଜ୍ରେ ଥିବା ଷ୍ଟିଭ୍ ସ୍ମିଥ୍ ଓ ଟ୍ରେଭିସ୍ ହେଡ୍ଙ୍କ ଯୋଡ଼ି ଇନିଂସ୍କୁ ୩୬୧ ରନ୍ରେ ପହଞ୍ଚାଇଥିଲେ । ଇତ୍ୟବସରେ ସ୍ମିଥ୍ ୨୨୯ ବଲ୍ରୁ ଶତକ ପୂରଣ କରିଥିବା ବେଳେ ହେଡ୍ ୧୬୪ ବଲ୍ରୁ ୧୫୦ ରନ୍ ପୂରଣ କରିଥିଲେ ।
ହେଡ୍ଙ୍କୁ ଆଉଟ୍ କରି ମହମ୍ମଦ ସିରାଜ ଏହି ଯୋଡ଼ିକୁ ଭାଙ୍ଗିଥିଲେ । ଦ୍ୱିତୀୟ ୱିକେଟ୍ ପାଇଁ ୨୮୫ ରନ୍ର ଭାଗୀଦାରୀ ହୋଇଥିଲା । ହେଡ୍ (୧୬୩) ନିଜ ପୂର୍ବ ଦିନର ସ୍କୋର୍ରେ ୧୭ ରନ୍ ଯୋଗ କରିଥିଲେ । ତାଙ୍କ ଇନିଂସ୍ରେ ୨୫ ଚୌକା ଓ ୧ ଛକା ରହିଥିଲା ।
ପରବର୍ତ୍ତୀ ବ୍ୟାଟର୍ କାମେରନ୍ ଗ୍ରୀନ୍ ୬ ରନ୍ କରି ମହମ୍ମଦ ଶାମୀଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଷ୍ଟିଭେନ୍ ସ୍ମିଥ୍ (୧୨୧)ଙ୍କ ଶତକୀୟ ଇନିଂସ୍ର ଅନ୍ତ ଘଟାଇଥିଲେ ଷ୍ଟିଭେନ୍ ସ୍ମିଥ୍ । ମିଚେଲ୍ ଷ୍ଟାର୍କ ୫ ରନ୍ କରି ରନ୍ଆଉଟ୍ ହୋଇଯାଇଥିଲେ । ଭୋଜନକାଳ ସୁଦ୍ଧା ସ୍କୋର୍ ହୋଇଥିଲା ୪୨୨/୭ ।
ଦ୍ୱିତୀୟ ସତ୍ରରେ କଙ୍ଗାରୁ ଟିମ୍ ସମସ୍ତ ୱିକେଟ୍ ହରାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଆଲେକ୍ସ କାରୀ ୪୮ ରନ୍ କରି ରବୀନ୍ଦ୍ର ଜାଡ଼େଜାଙ୍କ ବଲ୍ରେ ଆଉଟ୍ ହୋଇଥିବା ବେଳେ ନାଥନ୍ ଲାୟନ୍ (୯) ଓ ଅଧିନାୟକ ପାଟ୍ କମିନ୍ସ (୯) ସିରାଜଙ୍କ ଶିକାର ହୋଇଥିଲେ । ସ୍କଟ୍ ବୋଲାଣ୍ଡ ୧ ରନ୍ କରି ଅପରାଜିତ ଥିଲେ । ବିପକ୍ଷ ଟିମ୍ ପକ୍ଷରୁ ସିରାଜ ସର୍ବାଧିକ ୪ ୱିକେଟ୍ ଅକ୍ତିଆର କରିଥିବା ବେଳେ ଶାମୀ ଓ ଠାକୁର ୨ ଲେଖାଏଁ ଏବଂ ଜାଡ଼େଜା ଗୋଟିଏ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *