ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରି ତେଲ

ସରିଲା ଶ୍ରୀଅଙ୍ଗ ଫିଟା ନୀତି
ପୁରୀ (ବୁ୍ୟରୋ): ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡୁ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ଚତୁର୍ଦ୍ଧା ବିଗ୍ରହ । ଅଣସର ଘରେ ଚାଲିଛି ଗୁପ୍ତ ସେବା । ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ଦଇତାପତି ସେବକ । ଚାଲିଛି ଉପଚାର । ତେବେ ଅଣସର ସମୟରେ ଠାକୁରଙ୍କ ଉପଚାର ବିଧି ସମ୍ପର୍କରେ ଯୁବ ଦଇତାପତି ସେବକ କୀର୍ତ୍ତିଚନ୍ଦ୍ର ଦାସମହାପାତ୍ର କୁହନ୍ତି, ଗୁରୁବାର ଅଣସରର ପଞ୍ଚମ ଦିନ । ଏହିଦିନ ଠାକୁର ବର୍ଷସାରା ଲାଗି ହୋଇଥିବା ଚନ୍ଦନ, ପାଟଡୋରି, ମୁହଁରେ ଥିବା କନା ଆଦି କଢ଼ାଯାଇଛି । ଏହାକୁ ଶ୍ରୀଅଙ୍ଗ ଫିଟା ନୀତି କୁହାଯାଏ । ମୁହଁରୁ ଯେଉଁ କନା (ବିରୂପ) ବାହାରେ ତାକୁ ଅଲଗା ରଖାଯାଏ । ଏହି କନାକୁ ଅଣସର ଶୁଦ୍ଧ ସୁଆର ସେବକ ତ୍ରୟୋଦଶୀ ରାତିରେ ନେଇ କୋଇଲି ବୈକୁଣ୍ଠରେ ବିସର୍ଜନ କରିଥାନ୍ତି । ଶ୍ରୀଅଙ୍ଗରୁ ବାହାରିଥିବା ଚନ୍ଦନ, ପାଟଡୋରୀକୁ ଦ୍ୱାଦଶୀରେ ରାଜପ୍ରସାଦ ଆକାରରେ ରାଜନଅରକୁ ବିଜେ କରାଯାଏ । ଏହାକୁ ରାଜପ୍ରସାଦ ବିଜେ ବୋଲି କୁହାଯାଇଥାଏ । ଠାକୁର କିଭଳି ସୁସ୍ଥ ହେବେ ସେଥିପାଇଁ ଶୁକ୍ରବାର ଠାରୁ ଶ୍ରୀଅଙ୍ଗରେ ଲାଗି ହେବ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରି ତେଲ । ଶ୍ରୀମନ୍ଦିରର ପୂର୍ବ ପରମ୍ପରା ଅନୁଯାୟୀ, ଏହି ଫୁଲୁରି ତେଲ ବଡ଼ଓଡ଼ିଆ ମଠ ଯୋଗାଇଦେବ । ରାଶିତେଲରେ ବିଭିନ୍ନ ପ୍ରକାର ଚେର, ଔଷଧୀୟ ଫୁଲ ଆଦି ମିଶାଯାଇ ଗୋଟିଏ ବର୍ଷ ପୂର୍ବରୁ ମାଟି ତଳେ ପୋତା ଯାଇଥାଏ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଦଇତାପତି ସେବକମାନେ ଏହି ଫୁଲୁରି ତେଲ ଲାଗି କରିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *