ଆଇସିସିର ବ୍ୟାକ୍ଅପ୍ ପ୍ଲାନ୍

ଡବ୍ଲୁ୍ୟଟିସି ଫାଇନାଲ୍
ଲଣ୍ଡନ, ୭ା୬ (ଏଜେନ୍ସି): ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁ୍ୟଟିସି)ର ଫାଇନାଲ୍ ମ୍ୟାଚ୍ ବୁଧବାର ଠାରୁ ଆରମ୍ଭ ହୋଇଛି । ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ଇଂଲଣ୍ଡରେ ତୈଳକୁ ନେଇ ଚାଲିଥିବା ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଡବ୍ଲୁ୍ୟଟିସି ଫାଇନାଲ୍ ପାଇଁ ଦୁଇ ପିଚ୍ ପ୍ରସ୍ତୁତ କରାଇଛି । ମିଡିଆ ରିପୋର୍ଟ ଅନୁଯାୟୀ ଯଦି ପ୍ରଦର୍ଶନକାରୀଙ୍କ ପକ୍ଷରୁ ପିଚ୍କୁ କୌଣସି ପ୍ରକାର କ୍ଷତି ପହଞ୍ଚାଯାଏ, ତା’ହେଲେ ଦ୍ୱିତୀୟ ପିଚ୍ରେ ଡବ୍ଲୁ୍ୟଟିସି ଫାଇନାଲ୍ ଖେଳାଯାଇପାରିବ ।
ଆଇସିସି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଡବ୍ଲୁ୍ୟଟିସି ଫାଇନାଲ୍ ପାଇଁ ଆମେ ସମସ୍ତ ପ୍ରକାର ପରିସ୍ଥିତି ଲାଗି ପ୍ରସ୍ତୁତ ଅଛୁ । ଆମେ ଚାହୁଁଛୁ ଯେ ଫାଇନାଲ୍ର ଫଳାଫଳ ବାହାରୁ ଏବଂ ମ୍ୟାଚ୍ରେ କୌଣସି ବାଧା ନ ଉପୁଜୁ । ଏଥିପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି ।
ଇଂଲଣ୍ଡରେ ପରିବେଶ ପାଇଁ କାମ କରୁଥିବା ଏନ୍ଜିଓ ଜଷ୍ଟ୍ ଷ୍ଟପ୍ ଅଏଲ୍ର କର୍ମକର୍ତ୍ତା ପ୍ରଦର୍ଶନ କରୁଛନ୍ତି । ଏହି ପ୍ରଦର୍ଶନ ଯୋଗୁଁ ଇଂଲଣ୍ଡରେ ଚାଲିଥିବା ଅନେକ କ୍ରୀଡ଼ା ଆୟୋଜନ ପ୍ରଭାବିତ ହୋଇଛି । ଜଷ୍ଟ୍ ଷ୍ଟପ୍ ଅଏଲ୍ର ପ୍ରଦର୍ଶନ ଯୋଗୁଁ ପ୍ରିମିଅର୍ ଲିଗ୍ ଫୁଟ୍ବଲ୍, ବିଶ୍ୱ ସ୍ନୁକର ଚାମ୍ପିଅନ୍ସିପ୍ ଓ ରଗ୍ବୀର ପ୍ରିମିଅର୍ସିପ୍ ମ୍ୟାଚ୍ ପ୍ରଭାବିତ ହୋଇଛି । ମେ’ ୨୮ରେ ଟ୍ୱିକେନ୍ହାମ୍ରେ ଖେଳାଯାଇଥିବା ପ୍ରିମିଅର୍ସିପ୍ ରଗ୍ବୀ ଫାଇନାଲ୍ ସମୟରେ ଜଷ୍ଟ୍ ଷ୍ଟପ୍ ଅଏଲ୍ର ପ୍ରଦର୍ଶନକାରୀ ଗ୍ରାଉଣ୍ଡରେ ପଶିଯାଇଥିଲେ । ସେମାନେ ଗ୍ରାଉଣ୍ଡରେ ଅରେଞ୍ଜ୍ ପେଣ୍ଟ ଫିଙ୍ଗିଥିଲେ । ସେଥିପାଇଁ ସାର୍କେନ୍ସ ଓ ସେଲ୍ ଶାର୍କ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ୨୦ ମିନିଟ୍ ବିଳମ୍ବରେ ଆରମ୍ଭ ହୋଇଥିଲା । ସେହିପରି ଏପ୍ରିଲ୍ରେ ହୋଇଥିବା ବିଶ୍ୱ ସ୍ନୁକର୍ ଚାମ୍ପିଅନ୍ସିପ୍ ସମୟରେ ମଧ୍ୟ ଜଷ୍ଟ୍ ଷ୍ଟପ୍ ଅଏଲ୍ର କର୍ମକର୍ତ୍ତାମାନେ ଟେବୁଲ୍ରେ ଚଢ଼ିଯାଇଥିଲେ ଏବଂ ଅରେଞ୍ଜ୍ ପେଣ୍ଟ ଫିଙ୍ଗିଥିଲେ । ସେଥିପାଇଁ ମ୍ୟାଚ୍କୁ ଅଧାରୁ ଅଟକାଇବାକୁ ପଡ଼ିଥିଲା ।
ଏହି ସଂଗଠନର ପ୍ରଦର୍ଶନକାରୀ ଗତ ସପ୍ତାହରେ ଆୟରଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ପାଇଁ ଖେଳାଳିମାନଙ୍କୁ ନେଇ ଲର୍ଡ୍ସ ଯାଉଥିବା ବସ୍କୁ ମଧ୍ୟ ମଧ୍ୟ ଅଟକାଇଥିଲେ । ଏହି କାରଣରୁ ଇଂଲଣ୍ଡ ଟିମ୍ ଲର୍ଡ୍ସରେ ବିଳମ୍ବରେ ପହଞ୍ଚିଥିଲା ।
ମିଡିଆ ରିପୋର୍ଟ ଅନୁଯାୟୀ, ଆଇସିସି ପ୍ରଦର୍ଶନର ବିପଦକୁ ଦୃଷ୍ଟିରେ ରଖି ପ୍ଲେଇଂ କଣ୍ଡିସନ୍ରେ ବି ପରିବର୍ତ୍ତନ କରିଛି । ଏଥିରେ ଏକ ନୂଆ କ୍ଲଜ୍ ୬.୪ ମଧ୍ୟ ଯୋଡ଼ାଯାଇଛି, ଯାହା ଟେଷ୍ଟ ପୂର୍ବରୁ ବା ଚାଲିଥିବା ସମୟରେ ପିଚ୍ର କ୍ଷତି ସମ୍ପର୍କିତ ସମ୍ଭାବନାକୁ ଦର୍ଶାଏ । ଆଇସିସି ଡବ୍ଲୁ୍ୟଟିସି ଫାଇନାଲ୍ ଖେଳୁଥିବା ଟିମ୍ ଇଣ୍ଡିଆ ଓ ଅଷ୍ଟ୍ରେଲିଆକୁ ଏହାର ସୂଚନା ଦେଇଛି । ସେହିପରି ଆଭ୍ୟନ୍ତରୀଣ ସୁରକ୍ଷାର ମଧ୍ୟ ବ୍ୟବସ୍ଥା କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *