କୋର୍ଟ ରୁମ୍ରେ ଗ୍ୟାଙ୍ଗଷ୍ଟର୍କୁ ହତ୍ୟା

ଲକ୍ଷ୍ନୌ, ୭ା୬: ସ୍ଥାନୀୟ କେଶରବାଗ୍ ସ୍ଥିତ କୋର୍ଟରେ ବୁଧବାର ଅପରାହ୍ଣରେ ହାଜର ହୋଇଥିବା ମୁକ୍ତାର ଗ୍ୟାଙ୍ଗ୍ର ସୁଟର୍ ସଞ୍ଜୀବ ମାହେଶ୍ୱରୀ ଓରଫ୍ ଜୀବାକୁ ଗୁଳିକରି ହତ୍ୟା କରାଯାଇଛି । ହତ୍ୟାକାରୀ ଓକିଲ ବେଶରେ ଆସିଥିଲା । ସେ ଜୀବାକୁ ଲକ୍ଷ୍ୟ କରି ୫-୬ ରାଉଣ୍ଡ୍ ଗୁଳି ଫୁଟାଇଥିଲା । ସେଥିରେ ଜୀବା ନିହତ ହେବା ସହିତ ଜଣେ ଶିଶୁ, ଦୁଇଜଣ ପୁଲିସ୍ କର୍ମଚାରୀ ସମେତ ଚାରିଜଣ ଆହତ ହୋଇଛନ୍ତି ।
ନିହତ ଜୀବା ମୁକ୍ତାର ଅନ୍ସାରୀର ଥିଲା ସୁଟର୍ । ତାକୁ ଲକ୍ଷ୍ନୌ ଜେଲ୍ରେ ରଖା ଯାଇଥିଲା । ନିକଟରେ ତା’ ସମ୍ପତ୍ତି କୋରଖ କରାଯାଇଥିଲା । ମୁଜଫରନଗର ନିବାସୀ ଜୀବା ଥିଲା ଏକ ଔଷଧ କମ୍ପାନୀରେ କମ୍ପାଉଣ୍ଡର । ପରେ ସେ କାରଖାନା ମାଲିକଙ୍କୁ ଅପହରଣ କରିଥିଲା । ଏହାପରେ ସେ ୧୯୯୦ ଦଶକରେ କୋଲକାତାରୁ ଜଣେ ବ୍ୟବସାୟୀଙ୍କ ପୁଅକୁ ମଧ୍ୟ ଅପହରଣ କରିଥିଲା । ପରବର୍ତ୍ତୀ କାଳରେ ଜୀବା ହରିଦ୍ୱାରର ନାଜିମ୍ ଗ୍ୟାଙ୍ଗ୍ ସହ ଯୋଡ଼ି ହେଲା । ନିଜେ ସେ ଗୋଟିଏ ଗ୍ୟାଙ୍ଗ୍ ଗଢ଼ିବାକୁ ଚାହୁଁଥିଲା । ୧୯୯୭ରେ ବିଜେପିର ବରିଷ୍ଠ ନେତା ବି. ଦ୍ୱିବେଦୀଙ୍କୁ ହତ୍ୟା କଲା । ସେହି ମାମଲାରେ ଜୀବାକୁ ଆଜୀବନ ଜେଲ୍ ଦଣ୍ଡାଦେଶ ମିଳିଥିଲା । ଜେଲ୍ରେ ଥିବା ଭିତରେ ମୁକ୍ତାର ଅନ୍ସାରୀ ସହ ତା’ର ସମ୍ପର୍କ ସୃଷ୍ଟି ହେଲା ।
ଗୁଳିକାଣ୍ଡ ପରେ ଆକ୍ରମଣକାରୀମାନେ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଜଣକୁ ଓକିଲମାନେ କାବୁ କରି ନେଇଛନ୍ତି । କୋର୍ଟରେ ହତ୍ୟାକାଣ୍ଡ ଯୋଗୁ ଓକିଲମାନେ ଉତ୍ତେଜିତ ହୋଇ ପଡ଼ିଥିଲେ । ପୁଲିସ୍ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଅନେକ ପୁଲିସ୍ କର୍ମଚାରୀଙ୍କୁ କୋର୍ଟ ପରିସରରୁ ବାହାର କରି ଗେଟ୍ ବନ୍ଦ କରି ଦିଆଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *