ପ.ବଙ୍ଗର ୩୧ଯାତ୍ରୀ  ନିଖୋଜ: ମମତା

କଟକ/ଭୁବନେଶ୍ୱର, ୬ା୬(ବୁ୍ୟରୋ): ବାହାନଗାଠାରେ ରେଳ ଦୁର୍ଘଟଣାରେ ପଶ୍ଚିମବଙ୍ଗର ୩୧ ଜଣ ଯାତ୍ରୀ ନିଖୋଜ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳୁନି । ୧୦୩ ମୃତ ଦେହକୁ ଚିହ୍ନଟ କରାଯାଇଛି । ୮୭ଟି ମୃତଦେହ ପଶ୍ଚିମବଙ୍ଗରେ ପହଞ୍ଚିସାରିଛି । ଓଡିଶାର ବିଭିନ୍ନ ହସ୍ପିଟାଲରେ ରାଜ୍ୟର ୯୭ ଜଣ ଚିକିତ୍ସିତ ହେଉଛନ୍ତି । ରେଳ ଦୁର୍ଘଟଣାର ରାଜନୀତୀକରଣ କରାନଯାଇ ଦେଶବାସୀ ସତ୍ୟତା ଜାଣିବାକୁ ଚାହୁଁଛନ୍ତି । ତେଣୁ ଏହି ଦୁର୍ଘଟଣାର ସତ୍ୟତା ପ୍ରକାଶ କରାଯାଉ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରେଳମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ମଙ୍ଗଳବାର ସୁଶ୍ରୀ ବାନାର୍ଜୀ କଟକ ବଡ଼ ଡ଼ାକ୍ତରଖାନାରେ ପହଞ୍ଚିବା ପରେ ସେଠାରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ, ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ କଟକ ବଡ଼ ଡାକ୍ତରଖାନାର ଉଚ୍ଚ କର୍ତ୍ତୃପକ୍ଷ ଓ ଚିକିତ୍ସକମାନେ ତାଙ୍କୁ ପାଛୋଟି ଆଣିଥିଲେ । ବିଭିନ୍ନ ୱାର୍ଡ ଗସ୍ତ କରି ଦୁର୍ଘଟଣାରେ ଆହତମାନଙ୍କୁ ସେ ଭେଟିଥିଲେ । ଏହି ଅବସରରେ କଟକ ବଡ଼ ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।
ଆହତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରିବା ସହ ଚିକିତ୍ସକମାନଙ୍କ ସହିତ ଆହତଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସେ କହିଛନ୍ତି, ତାଙ୍କ ରାଜ୍ୟର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୫୦ ରୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ । ଏଥିସହ ମୃତକ ପରିବାରରୁ ଜଣଙ୍କୁ ହୋମଗାର୍ଡ ଚାକିରି ଦେବାକୁ ମଧ୍ୟ ସେ ଘୋଷଣା କରିଛନ୍ତି । ସୁଶ୍ରୀ ବାନାର୍ଜୀ ଭୁବନେଶ୍ୱରରେ ପହଞ୍ଚି ଅପରାହ୍ଣ ୨ଟା ବେଳେ ହେଲିକପ୍ଟର ଯୋଗେ କଟକ ଯାଇ ରେଭେନ୍ସା ବିଶ୍ୱବିଦ୍ୟାଳୟର ଅସ୍ଥାୟୀ ହେଲିପ୍ୟାଡ୍ରେ ଅବତରଣ କରିଥିଲେ । ତାଙ୍କୁ ଜେଡ୍ ପ୍ଲସ୍ ନିରାପତ୍ତା ଯୋଗାଇ ଦିଆଯାଇଥିଲା ।
ସୂଚନା ଯୋଗ୍ୟ ଯେ, ଗତ ୨ ତାରିଖ ଦୁର୍ଘଟଣା ହେବା ପରେ ୩ ତାରିଖ ଦିନ ମମତା ବାନାର୍ଜୀ ବାହାନଗା ଦୁର୍ଘଟଣା ସ୍ଥଳରେ ଆସି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ । ଘୋଷଣା କରାଯାଇଥିବା ସଂଖ୍ୟା ଠାରୁ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ଅଧିକ ବୋଲି ମମତା ସୂଚନା ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *