ଆଜିଠୁ ଡବ୍ଲୁ୍ୟଟିସି ଫାଇନାଲ୍
ଲଣ୍ଡନ, ୬ା୬ (ଏଜେନ୍ସି): ବୁଧବାର ଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁ୍ୟଟିସି)ର ଫାଇନାଲ୍ ମ୍ୟାଚ୍ ଆରମ୍ଭ ହେବ । ଓଭାଲ୍ ଗ୍ରାଉଣ୍ଡରେ ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ର ବିଜେତା ଆଇସିସିର ସମସ୍ତ ଟ୍ରଫି ଜିତିଥିବା ଟିମ୍ ହେବାର ଗୌରବ ଅର୍ଜନ କରିବ ।
ଭାରତୀୟ ଟିମ୍ ଦଶନ୍ଧି-ବ୍ୟାପୀ ଆଇସିସି ଟ୍ରଫି ମରୁଡ଼ିର ଅବସାନ ଘଟାଇବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ । ପୂର୍ବ ଦୁଇ ଡବ୍ଲୁ୍ୟଟିସି ଚକ୍ରରେ ଭାରତର ନିରନ୍ତର ପ୍ରଦର୍ଶନ ଦୀର୍ଘତମ ଫର୍ମାଟ୍ରେ ତା’ର ଆଧିପତ୍ୟକୁ ଦର୍ଶାଉଛି । ପ୍ରତିଭାଶାଳୀ କ୍ରିକେଟର୍ମାନଙ୍କ ଦକ୍ଷତା ଓ ପ୍ରତିବଦ୍ଧତା ଯୋଗୁଁ ଏହି ସଫଳତା ମିଳିପାରିଛି । ଭାରତର ବୋଲିଂ ଆକ୍ରମଣ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ । କିନ୍ତୁ ଆଇସିସି ଟ୍ରଫି ଜିତିବା ପାଇଁ ଦକ୍ଷତା ଠାରୁ ଅଧିକ କିଛି ଦରକାର । ଦକ୍ଷତା ସହିତ ଚାପରେ ପ୍ରଦର୍ଶନ କରିବାର ସାମର୍ଥ୍ୟ ବି ଜରୁରୀ । ପୂର୍ବ ଦଶନ୍ଧିରେ ଭାରତୀୟ ଟିମ୍ ଅନେକ ଥର ନକ୍ଆଉଟ୍ରେ ପହଞ୍ଚିଲେ ବି ଟ୍ରଫି ଜିତିପାରି ନ ଥିଲା । ଭାରତ ଶେଷ ଥର ୨୦୧୩ରେ ଆଇସିସି ଟ୍ରଫି ଜିତିଥିଲା । ତାହା ଇଂଲଣ୍ଡରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫି ଥିଲା । ସେବେଠାରୁ ଭାରତୀୟ ଟିମ୍ ତିନି ଥର ଫାଇନାଲ୍ରେ ଏବଂ ଚାରି ଥର ସେମିଫାଇନାଲ୍ରେ ପରାଜିତ ହୋଇଛି । ଏହାଛଡ଼ା ୨୦୨୧ ଟି-୨୦ ବିଶ୍ୱକପ୍ରେ ଟିମ୍ ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଥିଲା । ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ରେ ଭାରତ ଫାଇନାଲ୍ରେ ପହଞ୍ଚିଥିଲେ ହେଁ ଶେଷରେ ନୁ୍ୟଜିଲାଣ୍ଡ ଠାରୁ ହାରି ଯାଇଥିଲା । ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ଫାଇନାଲ୍ରେ ସ୍ଥାନ ପାଇଛି । ଏଥର ସାମ୍ନାରେ ଅଛି ଅଷ୍ଟ୍ରେଲିଆ । ଭାରତ ଓ ଅଷ୍ଟ୍ରେଲିଆ ଟେବୁଲ୍ରେ ଦୁଇ ଟପ୍ ଟିମ୍ ଥିଲେ । ସମ୍ଭାବ୍ୟ ଅଷ୍ଟ୍ରେଲୀୟ ଏକାଦଶ ଡେଭିଡ୍ ୱାର୍ଣ୍ଣର, ଉସ୍ମାନ ଖୱାଜା, ମାର୍ନସ ଲାବୁଶନେ, ଷ୍ଟିଭେନ୍ ସ୍ମିଥ, ଟ୍ରେଭିଡ୍ ହେଡ୍, କାମେରନ୍ ଗ୍ରୀନ୍, ଆଲେକ୍ସ କାରୀ (ୱିକେଟ୍କିପର୍), ପାଟ୍ କମିନ୍ସ (ଅଧିନାୟକ), ମିଚେଲ୍ ଷ୍ଟାର୍କ, ନାଥନ୍ ଲାୟନ୍, ସ୍କଟ୍ ବୋଲାଣ୍ଡ
ସମ୍ଭାବ୍ୟ ଭାରତୀୟ ଏକାଦଶ ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଡ଼େଜା, ଶ୍ରୀକର ଭରତ/ ଈଶାନ କିଶନ, ରବିଚନ୍ଦ୍ରନ୍ ଅଶ୍ୱିନ/ ଶାର୍ଦ୍ଦୂଳ ଠାକୁର, ଉମେଶ ଯାଦବ/ ଜୟଦେବ ଉନାଦକଟ, ମହମ୍ମଦ ଶାମୀ, ମହମ୍ମଦ ସିରାଜ ।