ମହଙ୍ଗା ହେଉଛି ଚାଉଳ

ନୂଆଦିଲ୍ଲୀ, ୬ା୬: ଡାଲି ଦର ଖୁବ୍ ବଢ଼ିଯାଇଥିବାରୁ ଦର ନିୟନ୍ତ୍ରଣ ପାଇଁ ବିଭିନ୍ନ ଉପାୟ କରାଯାଉଥିବାବେଳେ ଚାଉଳ ଦର ବଢ଼ିବା ସରକାରଙ୍କୁ ଚିନ୍ତାରେ ପକାଇଛି । ଏବେ ଚାଉଳର କେଜି ପିଛା ହାରାହାରି ଦର ୪୦ ଟଙ୍କା । ଗତବର୍ଷ ତୁଳନାରେ ଏହା ୮ ପ୍ରତିଶତ ଅଧିକ । ବିଶେଷଜ୍ଞମାନଙ୍କ ମତରେ, ଏ ବର୍ଷ ଯଦି ମୌସୁମୀ ବର୍ଷା ସ୍ୱାଭାବିକ ନ ହୁଏ ଏବଂ ଅଲ୍ ନିନୋ ପ୍ରଭାବ ଦେଖିବାକୁ ମିଳେ, ଚାଉଳର ପାଇକାରୀ ଓ ଖୁଚୁରା ଦର ଆହୁରି ବଢ଼ିବା ଆଶଙ୍କାକୁ ଏଡ଼ାଇ ହେବ ନାହିଁ । କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ ସୂତ୍ର ଅନୁଯାୟୀ ସରକାର ଖାଦ୍ୟଦ୍ରବ୍ୟର ଦର ବୃଦ୍ଧିକୁ ଯେକୌଣସି ମତେ ନିୟନ୍ତ୍ରଣ କରିବା ଲାଗି ସ୍ଥିତି ଅନୁସାରେ ପଦକ୍ଷେପ ନେବେ ।  ସରକାରଙ୍କ ଆଗରେ ଏବେ ସବୁଠାରୁ ବଡ଼ ଚାଲେଞ୍ଜ ଗରିବଙ୍କୁ ମାଗଣାରେ ରାସନ ଯୋଗାଣ । ସେଥିପାଇଁ ପର୍ଯ୍ୟାପ୍ତ ଚାଉଳ ଷ୍ଟକ୍ ରଖିବାକୁ ହେବ । ତା’ସହିତ ଖୋଲା ବଜାରକୁ ଚାଉଳ ସପ୍ଲାଇ ବଢ଼ାଇବାକୁ ପଡ଼ିବ । ଏପରି କଲେ ଯାଇ ଚାଉଳ ଦର ନିୟନ୍ତ୍ରଣରେ ରହିପାରିବ । ତେଣୁ ସରକାରୀ ଅଧିକାରୀ କହିଛନ୍ତି, ବର୍ତ୍ତମାନ ସରକାରୀ ଷ୍ଟୋରେଜ୍ରେ ଯେତିକି ଚାଉଳ ଅଛ, ଖାଦ୍ୟ ସବ୍ସିଡି ଅନୁଯାୟୀ ବିତରଣ ପାଇଁ ତାହା ପର୍ଯ୍ୟାପ୍ତ, କିନ୍ତୁ ପାର୍ବଣ ଋତୁରେ ଯଦି ଡିମାଣ୍ଡ ବଢ଼ିବା ସାଙ୍ଗକୁ ଉତ୍ପାଦନ କମିଯିବ ସେ କ୍ଷେତ୍ରରେ ସରକାର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । କମୋଡିଟି ମାର୍କେଟ ବିଶେଷଜ୍ଞ ଏସ୍ ବାସୁଦେବନ୍ କହିଛନ୍ତି, ଏବେ ଏ ବିଷୟରେ କିଛି କହିବା ଠିକ୍ ହେବ ନାହିଁ । ଉତ୍ପାଦନ ପରିମାଣକୁ ଅପେକ୍ଷା କରିବାକୁ ହେବ । ତେବେ ଏତିକି କୁହାଯାଇପାରେ ଯେ ଯଦି ମୌସୁମୀ ପ୍ରବାହରେ ବିଭ୍ରାଟ ଘଟେ, ସ୍ଥିତିରୁ ବର୍ତ୍ତିବା ସହଜ ହେବ ନାହିଁ । ଭଙ୍ଗା ଚାଉଳ ରପ୍ତାନି ଉପରେ ଥିବା କଟକଣା ହଟାଇବାକୁ ଚାହୁଁନାହାନ୍ତି ସରକାର । ତା’ର କାରଣ ଧାନ ଅମଳ ନେଇ ସରକାର ଚିନ୍ତାରେ ଅଛନ୍ତି । ଏ ବର୍ଷ ଯାହା ଉତ୍ପାଦିତ ହେବ, ସବୁ ଦେଶ ଭିତରେହିଁ ବିତରଣ କରାଯିବ । ଉଲ୍ଲେଖଯୋଗ୍ୟ ଯେ, ୨୦୨୨ ସେପ୍ଟେମ୍ବରରେ ଭଙ୍ଗା ଚାଉଳ ରପ୍ତାନି ଉପରେ ରୋକ୍ ଲଗାଯାଇଥିଲା । ଅନ୍ୟ କିସମର ଚାଉଳ ରତ୍ପାନୀ ଉପରେ ୨୦ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଥିଲା । ଏ ଦୁଇଟି ବ୍ୟବସ୍ଥା ଏ ପର୍ଯ୍ୟନ୍ତ ଜାରି ରହିଛି । ତେବେ ୨୦ ପ୍ରତିଶତ ରପ୍ତାନୀ ଶୁଳ୍କ ସତ୍ତ୍ୱେ ବିଦେଶକୁ ଭଲ ଗ୍ରେଡ୍ର ଚାଉଳ ରପ୍ତାନି କମିନାହିଁ । ତେଣୁ ରପ୍ତାନି ପରିମାଣକୁ ସୀମିତ କରିବା ଦିଗରେ ସରକାର ପଦକ୍ଷେପ ନେଇପାରନ୍ତି । ସେହିପରି ଚାଉଳ ଆମଦାନୀର ସୀମା ମଧ୍ୟ ନିର୍ଦ୍ଧାରଣ କରାଯାଇପାରେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *