ରାଜ୍ୟସଭା ପିଟିସନ୍ କମିଟିକୁ ସ୍ମାରକପତ୍ର
ମହାନଦୀର ପୁନର୍ଜୀବନ ପ୍ରସଙ୍ଗ
ଭୁବନେଶ୍ୱର,୬ା୬(ବୁ୍ୟରୋ): ମହାନଦୀ ସୁରକ୍ଷା ଆନେ୍ଦାଳନର ଅଗ୍ରଣୀ ସଂଗଠନ ମହାନଦୀ ବଞ୍ଚାଅ ଓ ଜୀବିକା ବଞ୍ଚାଅ ଅଭିଯାନ ପକ୍ଷରୁ ରାଜ୍ୟସଭା ପିଟିସନ କମିଟି ନିକଟରେ ମହାନଦୀ ସମେତ ରାଜ୍ୟ ଓ ଦେଶର ପ୍ରମୁଖ ନଦୀମାନଙ୍କ ଜଳ ପରିଚାଳନା, ନଦୀ ସୁରକ୍ଷା ଓ ନଦୀର ପୁନର୍ଜୀବନ ସମ୍ବନ୍ଧୀୟ ପିଟିସନ ପ୍ରଦାନ କରାଯାଇଛି । ପିଟିସନ କମିଟିର ଚେୟାରମ୍ୟାନ ତଥା ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ଭୁବନେଶ୍ୱରରେ ଚାଲିଥିବା ଦୁଇ ଦିନିଆ ଜନ ଶୁଣାଣି ଅବସରରେ ସାକ୍ଷାତ କରି ପିଟିସନ ପ୍ରଦାନ କରାଯାଇଛି ।
ସଂଗଠନର ଆବାହକ ସୁଦର୍ଶନ ଛୋଟରାୟଙ୍କ ନେତୃତ୍ୱରେ ସଭ୍ୟ ୱିଙ୍ଗ୍ କମାଣ୍ଡର ନବ କିଶାର ସାମଲ ଓ ମହମ୍ମଦ ଏନ୍ ଅମିନ କମିଟି ସହ ଆଲୋଚନା କରି ବିନା ପ୍ରତିବନ୍ଧକରେ ନଦୀ ପ୍ରବାହକୁ ନିରନ୍ତର ଜାରି ରଖିବା ଉପରେ ଗୁରୁତ୍ୱ ଦେଇଥିଲେ ।
ଏବେ ବି କେନ୍ଦ୍ର ସରକାର ଚାହିଁଲେ ମହାନଦୀ ଆନ୍ତଃରାଜ୍ୟ ଜଳ ବିବାଦ ସମାଧାନ ହୋଇପାରିବ ବୋଲି ସଂଗଠନ ପକ୍ଷରୁ ନିବେଦନ କରାଯାଇଛି । ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଦଶରେ ଗଠିତ ମହାନଦୀ ଟ୍ରିବୁ୍ୟନାଲ ଯଦିଓ ଆଜି ପର୍ଯ୍ୟନ୍ତ ଛତିଶିଟି ଶୁଣାଣୀ କରିଛନ୍ତି ଓ ନିକଟରେ ଛତିଶଗଡ ଓ ଓଡିଶା ଗ୍ରସ୍ତ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି, ଏ ନେଇ ଏକ ମଧ୍ୟବର୍ତ୍ତିକାଳୀନ ରାୟ ପାଇଁ ଅଣମୌସୁମୀ ରୁତୁରେ କମ୍ ପାଣି ପାଉଥିବା ଓଡିଶା ଲୋକେ ଚାହିଁ ବସିଛନ୍ତି । କିନ୍ତୁ କେନ୍ଦ୍ର ସରକାର ସବୁକିଛି ଟ୍ରିବୁ୍ୟନାଲ ଉପରେ ଛାଡ଼ି ନ ଦେଇ କେନ୍ଦ୍ରୀୟ ଜଳ ସଂସ୍ଥାନଗୁଡିକ ଜରିଆରେ ରାଜ୍ୟର ନଦୀଗୁଡିକର ବାସ୍ତବ ସ୍ଥିତି ଅନୁଧ୍ୟାନ କରି ଜଳ ଉତ୍ସସବୁକୁ ସୁରକ୍ଷିତ ଓ ପୁନର୍ଜୀବିତ କରିବା ପାଇଁ ଆଗେଇ ଆସିବା ଦରକାର । ପିଟିସନରେ କୁହାଯାଇଛି ଯେ ଆଗାମୀ ଦିନରେ ରାଜ୍ୟରେ ଉକ୍ରଟ ଜଳ ସଙ୍କଟ ଦେଖାଯିବା ଆଶଙ୍କାକୁ ଆଖି ଆଗରେ ରଖି ଦେଶ ତଥା ରାଜ୍ୟର କୋଟି କୋଟି ଚାଷୀ, ମତ୍ସଜୀବୀ, ଗ୍ରାମ୍ୟ କାରିଗରଙ୍କ ଜୀବନ ଓ ଜୀବିକା ସହ ଜଡିତ ନଦୀଗୁଡିକୁ ପୁନର୍ଜୀବିତ କରାଇବାର ସମୟ ଆସିଛି । ଏହାଛଡା ଗୃହପାଳିତ ପଶୁପକ୍ଷୀ, ବନ୍ୟଜନ୍ତୁ, କଳକାରଖାନା ଚାଲିବା ପାଇଁ ପାଣି ଦରକାର । ସର୍ବୋପରି ପିଇବା ପାଣି ପାଇଁ ଆଉ କିଛି ଦିନ ପରେ ଲୋକେ ଡହଳ ବିକଳ ହେବା ଆଶଙ୍କା ରହିଛି । ଏସବୁ ପରସ୍ଥିତିକୁ ଆଖି ଆଗରେ ରଖି ବେଳରୁ ସାବଧାନ ହେବା ଆବଶ୍ୟକ ।
ମହାନଦୀ ସହ ରାଜ୍ୟର ପ୍ରମୁଖ ଏଗାରଟି ନଦୀକୁ ପୁନର୍ଜୀବିତ କରିବା ସହ ନଦୀର ପୂର୍ବ ପ୍ରବାହ ସୁନିଶ୍ଚିତ କରିବା, ପ୍ରଦୂଷଣ ରୋକିବା, ସହର, ମେଡିକାଲ ଆଦିର ପ୍ଲାଷ୍ଟିକ ଓ ଶିଳ୍ପ ଅବର୍ଜନା ତଥା ବିଷାକ୍ତ ଜଳ ନଦୀକୁ ନ ଛାଡିବା ସହ ନଦୀ ଜଳର ଉପଯୁକ୍ତ ପରିଚାଳନା ପାଇଁ ନଦୀ ପ୍ରାରମ୍ଭ ସ୍ଥଳରୁ ଆରମ୍ଭ କରି କୂଳରେ ବ୍ୟାପକ ବୃକ୍ଷରୋପଣ କରି ମୃତ୍ତିିକା ସଂରକ୍ଷଣ, ବାଲି ଓ ପାଟୁମାଟି ସଫା କରିବା ଆଦି ଦାବି ରଖି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ସହାୟତାରେ ଏକ କାର୍ଯ୍ୟାନୁଷ୍ଠାନ ଯୋଜନା ତୁରନ୍ତ ଆରମ୍ଭ କରିବା ପାଇଁ ପିଟିସନରେ ନିବେଦନ କରାଯାଇଛି ।