ପାଇଲଟ ଗଢ଼ିବେ ‘ପ୍ରଗତିଶୀଳ କଂଗ୍ରେସ’
ଜୟପୁର, ୬ା୬: ରାଜସ୍ଥାନ କଂଗ୍ରେସରେ ଖୁବ୍ଶୀଘ୍ର ବିଭାଜନ ହେବାକୁ ଯାଉଛି । ରାଜସ୍ଥାନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସଚିନ ପାଇଲଟ ଏଥର ମୁଖ୍ୟମନ୍ତ୍ରୀ ଅଶୋକ ଗହଲତଙ୍କ ଠାରୁ ପୃଥକ୍ ହୋଇ ନୂଆ ଦଳ ଗଢ଼ିବା ମୁଡ୍ରେ ଅଛନ୍ତି । ସୂତ୍ର ଅନୁଯାୟୀ ରବିବାର ସେ ‘ପ୍ରଗତିଶୀଳ କଂଗ୍ରେସ’ ନାମରେ ନୂଆ ଦଳ ଗଢ଼ିବେ । ଗତ ତିନିବର୍ଷ ହେଲା ପାଇଲଟ ଗୋଷ୍ଠୀ ଗହଲତ ଗୋଷ୍ଠୀ ବିରୋଧରେ ସ୍ୱର ଉଠାଇ ଆସୁଛନ୍ତି । କଂଗ୍ରେସ ହାଇକମାଣ୍ଡ କୌଣସିମତେ ଦୁଇପକ୍ଷଙ୍କୁ ବୁଝାସୁଝା କରି ତାଳିପକା ବ୍ୟବସ୍ଥା କରିଆସିଛନ୍ତି । ସୂତ୍ର ଅନୁଯାୟୀ ପାଇଲଟ ତାଙ୍କ ପିତା ରାଜେଶ ପାଇଲଟଙ୍କ ପୁଣ୍ୟତିଥି (୧୧ ତାରିଖ)ରେ ଜୟପୁରଠାରେ ନୂଆ ଦଳ ଘୋଷଣା କରିବେ । ଏଥିପାଇଁ ସେ ପୂର୍ବରୁ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସଂସ୍ଥା ସହ ଡିଲ୍ କରିଥିବା ଖବର ଆସିଛି । ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ ଶେଷ ବେଳକୁ ଛତିଶଗଡ଼ ଓ ମଧ୍ୟପ୍ରଦେଶ ସହିତ ରାଜସ୍ଥାନ ବିଧାନସଭା ପାଇଁ ନିର୍ବାଚନ ହେବ । ସେଥିଲାଗି ପାଇଲଟ ନିଜ ରାଜନୈତିକ ଭବିଷ୍ୟତ ପ୍ରତି ଧ୍ୟାନଦେଇ ନୂଆଦଳ ଗଢ଼ିବାରେ ଆଉ କାଳକ୍ଷେପଣ କରିବାକୁ ଚାହୁଁନାହାନ୍ତି । ନୂଆ ଗଠନ ପୂର୍ବରୁ ସଚିନ ପାଇଲଟ୍ ଏବେ ବିଭିନ୍ନ ମନ୍ଦିରକୁ ଯାଇ ଦେବୀ ଦେବତାଙ୍କ ଆର୍ଶିବାଦ ଲୋଡୁଛନ୍ତି । ସୋମବାର ସେ କଂଗ୍ରେସର ରାଜ୍ୟସଭା ସାଂସଦ ବିବେକ ତନ୍ଖାଙ୍କ ସହ ମାଆ ଶାରଦେଙ୍କ ଦର୍ଶନ ଲାଗି ମଧ୍ୟପ୍ରଦେଶ ଯାଇଥିଲେ । ପାଇଲଟଙ୍କ ନିକଟତମ ସୂତ୍ର ଅନୁଯାୟୀ ପାଇଲଟ ଜୟପୁରରେ ଏକ ରାଲି ଆୟୋଜନ କରି ସେଇଠି ନୂଆ ଦଳ ଘୋଷଣା କରିବେ । ତେବେ କଂଗ୍ରେସର କେତେଜଣ ବିଧାୟକ ତାଙ୍କ ଶିବିରରେ ଯୋଗ ଦେବେ ଦେଖିବାକୁ ବାକି ରହିଲା । ଯଦି ଅଧିକରୁ ଅଧିକ ବିଧାୟକ ତାଙ୍କୁ ସମର୍ଥନ କରନ୍ତି, ଗହଲତ ସରକାରଙ୍କ ଅସ୍ତିତ୍ୱ ସଙ୍କଟାପନ୍ନ ହେବ ।
ପାଇଲଟ ସର୍ବପ୍ରଥମେ ୨୦୨୦ରେ ମୁଖ୍ୟମନ୍ତ୍ରୀ ଗହଲତଙ୍କ ବିରୋଧରେ ବିଦ୍ରୋହ କରିଥିଲେ । ଏହି କାରଣରୁ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ଅଧ୍ୟକ୍ଷ ପଦ ହରାଇବାକୁ ପଡ଼ିଥିଲା । ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ ।