ଶ୍ରୀଅଙ୍ଗରୁ ଖୋଲା ହେଲା ଓଦାବସ୍ତ୍ର
ଅନବସରର ଦ୍ୱିତୀୟ ଦିନ
ପୁରୀ (ବୁ୍ୟରୋ): ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡ଼ିତ ଅଛନ୍ତି ମହାପ୍ରଭୁ । ଏବେ ଅଣସର ଘରେ ମହାପ୍ରଭୁଙ୍କ ଚିକିତ୍ସା ଚାଲିଛି । ରାଜବୈଦ୍ୟଙ୍କ ନିଦେ୍ର୍ଦଶକ୍ରମେ ମଙ୍ଗଳବାର ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରୁ ଓଦା ଲୁଗା ବାହାର କରାଯାଇଥିବା ବେଳେ ମହାପ୍ରଭୁଙ୍କ ନିକଟରେ ଚକଟା ଓ ପଣାଭୋଗ ଲାଗି କରାଯାଇଛି । ଅଣସର ପିଣ୍ଡିର ଘନ ଅନ୍ଧକାର ମଧ୍ୟରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତନୀତି । ଦଇତାପତି ସେବାୟତମାନେ ପ୍ରତ୍ୟେକ ଦିନ ଅଣସର ଘରକୁ ଯାଇ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବା କରୁଛନ୍ତି । ନିୟମ ଅନୁଯାୟୀ ପଣା ଓ ଚକଟା ଭୋଗ ସହ ଧଳାଫୁଲ ମହାପ୍ରଭୁଙ୍କୁ ଲାଗି କରାଯାଇଛି । ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ଜ୍ୱର ପୀଡ଼ିତ ଶ୍ରୀବିଗ୍ରହଙ୍କୁ ସୁସ୍ଥ କରିବା ଲାଗି ପଥି ଦିଆଯାଉଛି । ମହାପ୍ରଭୁଙ୍କ ଶରୀର ଅସୁସ୍ଥ ଥିବାରୁ ଶ୍ରୀମନ୍ଦିରରେ ଦୈନନ୍ଦିନ ଭଜନ, କୀର୍ତ୍ତନ, ଗୀତ, ଘଣ୍ଟଘଣ୍ଟା, ବାଜା ସବୁକୁ ଶ୍ରୀମନ୍ଦିରରେ ନିଷିଦ୍ଧ କରାଯାଇଛି ବୋଲି କୁହନ୍ତି ଯୁବ ଦଇତାପତି ସେବାୟତ କୀର୍ତ୍ତି ପ୍ରକାଶ ଦାସମହାପାତ୍ର ।
ସେ ଆହୁରି ସୂଚନା ଦେଇଛନ୍ତି ଯେ, ଅଣସରର ଦ୍ୱିତୀୟ ଦିନରେ ମହାପ୍ରଭୁଙ୍କ ଗୁପ୍ତସେବା ଚାଲିଛି । ପରେ ପଞ୍ଚମ ଦିନରେ ଶ୍ରୀଜିଉଙ୍କ ଠାରେ ଫୁଲୁରି ତେଲ ଲାଗି ହେବା ସହ ଓଷଲାଗି ହେବା ପରେ ଶ୍ରୀଜିଉ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ଆଜି ଦ୍ୱିପ୍ରହର ଧୂପ ପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଓଲାଗି କରାଯାଇଥିଲା । ଦ୍ୱିପ୍ରହର ଧୂପ ପରେ ଅଣସର ତାଟି ଖୋଲା ଯାଇଥିଲା । ପରେ ଶ୍ରୀଜିଉଙ୍କ ଅନ୍ୟାନ୍ୟ ଗୁପ୍ତନୀତି ଅନୁଷ୍ଠିତ ହୋଇଥିଲା ।