ବିରୋଧୀଙ୍କ ମେଗା ମିଟିଂ ସ୍ଥଗିତ
ପାଟନା, ୫ା୬: ଆସନ୍ତା ୧୨ ତାରିଖ ଦିନ ବିହାର ରାଜଧାନୀ ପାଟନାରେ ବିରୋଧୀ ଦଳମାନଙ୍କ ମହା ବୈଠକ ଅନୁଷ୍ଠିତ ହେବାର ଥିଲା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ରଣନୀତି ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏହି ବୈଠକ ଡକା ଯାଇଥିଲା । ବୈଠକରେ ଅଧିକାଂଶ ବିରୋଧୀ ଦଳ ଯୋଗ ଦେବାର ସମ୍ଭାବନା ଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ବୈଠକକୁ ସ୍ଥଗିତ ରଖାଯାଇଛି । ଏହା ଚଳିତ ମାସ ୨୩ରେ ଅନୁଷ୍ଠିତ ହୋଇପାରେ ।
ବିରୋଧୀ ଏକତା ପାଇଁ ଚେଷ୍ଟା କରୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କଂଗ୍ରେସ ଯୋଗୁୂ ବୈଠକ ସ୍ଥଗିତ ହେଲା । ସବୁ ଦଳର ମୁଖ୍ୟଙ୍କ ସହ କଥା ହୋଇ ବୈଠକର ନୂଆ ତାରିଖ ଘୋଷଣା କରାଯିବ । କଂଗ୍ରେସ ଓ ଆଉ ଗୋଟିଏ ଦଳର ମୁଖ୍ୟ ୧୨ ତାରିଖ ଦିନ ବୈଠକରେ ଯୋଗ ଦେବା ସମ୍ଭବ ନୁହଁ ବୋଲି ଜଣାଇଥିଲେ । ଦଳର ମୁଖ୍ୟଙ୍କ ପରିବର୍ତ୍ତେ ଅନ୍ୟ କେହି ବୈଠକରେ ପ୍ରତିନିଧିତ୍ୱ କଲେ ତାହା ଗ୍ରହଣୀୟ ହେବ ନାହିଁ ବୋଲି ବିଚାର କରି ନୀତୀଶ ଏପରି ନିଷ୍ପତ୍ତି ନେଇଛନ୍ତି । ଉଲ୍ଳେଖଯୋଗ୍ୟ ଯେ, ଜୁନ୍-୧୨ ତାରିଖ ଦିନ ଇନ୍ଦିରା ଗାନ୍ଧୀ ସଂସଦ ସଦସ୍ୟତା ହରାଇଥିଲେ । ସେଥିଲାଗି କଂଗ୍ରେସ ଜୁନ୍-୧୨କୁ ଅଶୁଭ ଦିନ ଭାବେ ବିବେଚନା କରେ । ତାଛଡ଼ା ରାହୁଲ ଗାନ୍ଧୀ ବିଦେଶ ଗସ୍ତରେ ଥିବାରୁ ସେ ୧୨ ତାରିଖ ଦିନ ବୈଠକକୁ ଆସିପାରିବେ ନାହିଁ ବୋଲି କଂଗ୍ରେସ ପକ୍ଷରୁ ଜଣାଇ ଦିଆଯାଇଥିଲା । ସେହିପରି ଡିଏମ୍କେ ସିପିଆଇଏମ୍ ବୈଠକ ତାରିଖ ନେଇ ରାଜି ନ ଥିଲେ । ବିରୋଧୀ ଦଳମାନଙ୍କ ମଧ୍ୟରେ ଏବେ ବି ଗୁରୁତର ମତଭେଦ ଥିବା ମହାମେଣ୍ଟ ବୈଠକ ସ୍ଥଗିତ ରହିବା ଘଟଣାରୁ ସ୍ପଷ୍ଟ ହୋଇଛି । ଜଣେ ପ୍ରମୁଖ ବିରୋଧୀ ନେତା କହିଛନ୍ତି, ପ୍ରଥମ ବୈଠକ ତାରିଖ (ଜୁୂନ୍ ୧୨) ସମ୍ପର୍କରେ ତାଙ୍କ ଦଳ ସହ ପରାମର୍ଶ କରାଯାଇ ନ ଥିଲା । ଏବେ କୁହାଯାଉଛି ଯେ, ଜୁନ୍ ୨୩ ପର୍ଯ୍ୟନ୍ତ ଏହାକୁ ଘୁଞ୍ଚାଇ ଦିଆଯାଇଛି । ଏ ବିଷୟରେ ମଧ୍ୟ ଆମ ଦଳର ମତ ଲୋଡ଼ା ଯାଇ ନାହିଁ । ନୀତୀଶ ଓ ତାଙ୍କ ଦଳ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ ମେ-୨୨ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ ଓ ରାହୁଲଙ୍କୁ ଭେଟିଥିଲେ । ଏହାପରେ ବୈଠକ ସ୍ଥାନ ଓ ତାରିଖ ଦିନେ ଦୁଇ ଦିନ ଭିତରେ ଘୋଷଣା କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଥିଲା । ୬ ଦିନ ପରେ ଜେଡିୟୁ ଆପାତତଃ ଏକତରଫା ଭାବେ ପାଟନା ବୈଠକ ତାରିଖ (ଜୁନ୍-୧୨) ଘୋଷଣା କରିଥିଲା ।
କଂଗ୍ରେସ ସମେତ ସବୁ ବିରୋଧୀଙ୍କୁ ବିଜେପି ବିରୋଧରେ ଏକାଠି କରିବାକୁ ନୀତୀଶ କୁମାର ଗତବର୍ଷ ଠାରୁ ଉଦ୍ୟମ ଜାରି ରଖିଛନ୍ତି ।