ମୋଦୀଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର,୪ା୬(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପୂର୍ବାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନରେ ଆଲୋଚନା କରିଥିଲେ । ବିଶେଷକରି ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତମାନଙ୍କୁ ଚିକିତ୍ସା ପ୍ରଦାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।
ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ପ୍ରତିଟି ଜୀବନ ବଞ୍ଚାଇବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି । ଆହତଙ୍କ ଚିକତ୍ସାରେ ଡାକ୍ତର, ଡାକ୍ତରୀ ଛାତ୍ର ଓ ଅନ୍ୟମାନେ ଦିନରାତି ଏକ କରି ଦେଇଛନ୍ତି । ସେହିପରି ସାଧାରଣ ଲୋକ ବହୁ ସଂଖ୍ୟାରେ ଆଗକୁ ଆସି ଆହତଙ୍କ ପାଇଁ ରକ୍ତଦାନ କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ତ୍ୱରିତ ଉଦ୍ଧାର କାର୍ଯ୍ୟକୁ ପୁଣି ଥରେ ପ୍ରଶଂସା କରିଥିଲେ ।
ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୧୧୭୫ ଆହତ ଭର୍ତ୍ତି ହୋଇଥିଲେ । ଏମାନଙ୍କ ମଧ୍ୟରୁ ୭୯୩ ଜଣଙ୍କୁ ଡିସ୍ଚାର୍ଜ କରାଯାଇଛି । ଅଧିକାଂଶ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ବର୍ତ୍ତମାନ ୩୮୨ ଯାତ୍ରୀଙ୍କ ଚିକତ୍ସା ଚାଲିଛି । ସଙ୍କଟ ସମୟରେ ରାଜ୍ୟ ସରକାର ଯେଭଳି ପଦକ୍ଷେପ ନେଲେ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କଲେ ସେଥିପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଦୁର୍ଘଟଣା ପରେ ସାଧାରଣ ଲୋକେ ଉଦ୍ଧାର କାର୍ଯ୍ୟରେ ଯେମିତି ସହଯୋଗ କରିଥିଲେ ଥିପାଇଁ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପରିବାରର ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କାର ଆନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯିବ । ସେହିପରି ଗୁରୁତର ଆହାତଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବା ସହିତ ସମସ୍ତଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯିବ । ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ସହିତ ମୃତକଙ୍କ ପରିବାରଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଆହାତ ବ୍ୟକ୍ତିମାନଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *