ଆଜିଠୁ ଅଲାରନାଥ ଦର୍ଶନ

ପୁରୀ/ବ୍ରହ୍ମଗିରି, ୪ା୬(ବୁ୍ୟରୋ): ଯୁଗେ ଯୁଗେ ଭଗବାନ ବିଭିନ୍ନ ଅବତାର ନେଇ କରିଛନ୍ତି ଲୀଳାଖେଳା । କେତେବେଳେ ରାମ ଅବତାରରେ ଶବରୀ ଅଇଁଠା ଖାଇ ମାତୁତ୍ୱକୁ ସମ୍ମାନ ଦେଉଛନ୍ତି ତ କେତେବେଳେ ପାଷାଣୀ ଅହଲ୍ୟାଙ୍କୁ କରିଛନ୍ତି ଉଦ୍ଧାର । ଆଉ କେତେବେଳେ କୃଷ୍ଣ ଅବତାରରେ କୁବୁଜା ଉଦ୍ଧାର କରିଛନ୍ତି ତ କେତେବେଳେ ସୁଦାମା ହାତରୁ ଖାଇଛନ୍ତି ଖୁଦଭଜା । ପୁଣି ଦାରୁବ୍ରହ୍ମ ହୋଇ ନଡିଆ ନେଇଛନ୍ତି ଭକ୍ତ ଦାସିଆ ହାତରୁ, ସାଲବେଗଙ୍କ ପାଇଁ ଅଟକାଇଛନ୍ତି ନନ୍ଦିଘୋଷ । ଅନବସର ସମୟରେ ୧୪ ଦିନ ‘ଅଲାରନାଥ’ ରୂପରେ ଭକ୍ତଙ୍କୁ ଦର୍ଶନ ଦେବା ମହାବାହୁଙ୍କର ଆଉଏକ ଲୀଳା । ସ୍ନାନପୂର୍ଣ୍ଣିମା ପରଠାରୁ ଶ୍ରୀଜଗନ୍ନାଥ ଚାଲିଆସନ୍ତି ଦ୍ୱିତୀୟ ଶ୍ରୀକ୍ଷେତ୍ର ବ୍ରହ୍ମଗିରି ପୀଠକୁ । ଅଣସର ସମୟରେ ବ୍ରହ୍ମଗିରି ପାଲଟିଯାଏ ପୁଣ୍ୟସ୍ଥଳ । ଆରମ୍ଭ ହୁଏ ମହାପ୍ରଭୁଙ୍କ ଲୀଳାଖେଳା । ଛୁଟି ଆସନ୍ତି ଅଗଣିତ ଭକ୍ତ, ଖୋଲିଯାଏ ଆନନ୍ଦବଜାର । ଚଳିତବର୍ଷ ଅଗଣିତ ଭକ୍ତ ଦୁଇ ସପ୍ତାହ ଧରି ମହାପ୍ରଭୁଙ୍କୁ ଅଲାରନାଥ ପୀଠରେ ଦର୍ଶନ କରିବାର ସୁଯୋଗ ପାଇପାରିବେ । ସେଥି ପାଇଁ ଚଳଚଞ୍ଚଳ ହୋଇ ପଡିଛି ବ୍ରହ୍ମଗିରିର ଶ୍ରୀଅଲାରନାଥ ପୀଠ । ଦେବସ୍ନାନ ପୂଣ୍ଣିମାରେ ଚତୁର୍ଦ୍ଧା ମୂର୍ତ୍ତି ମହାସ୍ନାନ କରିବା ପରେ ୧୪ ଦିନ ଜ୍ୱରରେ ପଡନ୍ତି । ଏହି ୧୪ ଦିନ ଭକ୍ତମାନଙ୍କୁ ଶ୍ରୀଜୀଉଙ୍କ ଦର୍ଶନ ନ ଦେଇ ଗୁପ୍ତ ସେବା ପାଇଥାଆନ୍ତି । ସେପଟେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରି ନ ପାରି ବୈଷ୍ନବ ଭକ୍ତଙ୍କ ମଧ୍ୟରେ ନୈରାଶ୍ୟଭାବ ଜାତ ହୋଇଥାଏ । ଭକ୍ତମାନଙ୍କ କଷ୍ଟ ଲାଘବ କରିବା ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅଲାରନାଥ ରୂପରେ ଦର୍ଶନ ଦିଅନ୍ତି । ସୋମବାରଠୁ ପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ ଆରମ୍ଭ ହେଉଛି । କୁହାଯାଏ ଏହି ୧୪ ଅଲାରନାଥ ପୀଠ ପାଲଟେ ଦ୍ୱିତୀୟ ଶ୍ରୀକ୍ଷେତ୍ର । ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରି ଭକ୍ତମାନେ ଶ୍ରୀଜଗନ୍ନାଥ ଦର୍ଶନର ଫଳପ୍ରାପ୍ତି ହୋଇଥାଆନ୍ତି । ଏହି ସମୟରେ ଶ୍ରୀମନ୍ଦିର ଭଳି ମହାପ୍ରସାଦ ମିଳିଥାଏ । ଏହାସହ ଅଲାରନାଥଙ୍କ ପି୍ରୟ ଖିରି ଭୋଗ ମଧ୍ୟ ଆନନ୍ଦ ବଜାରରେ ମିଳେ । ଅଲାରନାଥଙ୍କ ଦର୍ଶନ ନେଇ ଅନେକ ପୌରାଣିକ ଆଖ୍ୟାୟିକା ସହ କପିଳ ସଂହିତାରେ ବର୍ଣ୍ଣ୍ନା ରହିଛି । ମନ୍ତ୍ର ଶିଖି ନ ଥିବା ୫ବର୍ଷର ବାଳକ ହାତରୁ ଖିରିଖାଇ ଅଲାରନାଥ ନିଜେ ପ୍ରମାଣ କରିଦେଇଛନ୍ତି ଭାବ ଥିଲେ ମନ୍ତ୍ର ଉପଚାରରେ ଆବଶ୍ୟକତା ନାହିଁ । ଯୁଗେ ଯୁଗେ ଏହାର ପ୍ରମାଣ ଦେବା ଲାଗି ଏବେ ବି ପ୍ରଭୁ ଅଲାରନାଥଙ୍କ ଦେହରେ ଖିରି ଖିଆର ଫୋଟକା ଚିତ୍ର ରହିଛି ।
ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପ୍ରଶାସନ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨ ପ୍ଲାଟୁନ ମହିଳା ପୁଲିସ୍ ସମେତ ୬ ପ୍ଲାଟୁନ୍ ପୁଲିସ ନିୟୋଜିତ ଅଛନ୍ତି । ଜଣେ ଅତିରିକ୍ତି ଏସପି,ଜଣେ ଡିଏସପି,ଜଣେ ଏସଡିପିଓ,୩ଜଣ ଇନିସପେକ୍ଟର ,୨୦ଜଣ ଅଫିସର ରହିବେ । ମନ୍ଦିର ଆଗରେ ଅସ୍ଥାଇ କ୍ୟାମ୍ପ କରାଯାଇଛି । ଏବଂ ଲୁଟେରାଙ୍କୁ କାବୁକରିବା ପାଇଁ ସାଦାପୋଷାକରେ ପୋଲିସ ୍ନଜର ରଖିବେ ବୋଲି ଥାନା ଆଇଆଇସି ଦିଲ୍ଲିପ କୁମାର ଧଳ ଜଣାଇଛନ୍ତି । ଚଳିତ ବର୍ଷ ଭକ୍ତଙ୍କର ସୁବିଧା ଓ ସୁରକ୍ଷା ନିମନ୍ତେ ୧୬ ସିସି ଟିଭି କ୍ୟାମେରା ଖଞ୍ଜା ଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *