ଠାକୁରଙ୍କ ହେଲା ବଡ଼ ମହାସ୍ନାନ
ଶ୍ରୀମନ୍ଦିରରେ ତିନି ଅଘଟଣ, ନୀତିକାନ୍ତି ବିଳମ୍ବ
ପୁରୀ (ବୁ୍ୟରୋ): ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ସ୍ନାନ ଦେଖିବା ଲାଗି ଚାତକ ଭଳି ଚାହିଁ ରହିଥାନ୍ତି ଶ୍ରଦ୍ଧାଳୁ । ସେଥିଲାଗି ସକାଳୁ ସକାଳୁ ବଡ଼ଦାଣ୍ଡ ଓ ସିଂହଦ୍ୱାରରେ ଭକ୍ତଙ୍କ ଭିଡ଼ ଲାଗିଥିଲା । ପ୍ରଶାସନର ଧାର୍ଯ୍ୟ ସମୟ ଅନୁଯାୟୀ ନୀତିକାନ୍ତି ଜାରି ରହିଥିବା ବେଳେ ମନ୍ଦିର ପରିସରରେ ୩ଟି ଅଘଟଣ ଘଟିଥିଲା । ଯାହାକୁ ନେଇ ଠାକୁରଙ୍କ ନୀତିକାନ୍ତିରେ ବହୁ ବିଳମ୍ବ ଘଟିଥିଲା । ଫଳରେ ଶ୍ରଦ୍ଧାଳୁମାନେ ଦୀର୍ଘ ସମୟ ଧରି ସିଂହଦ୍ୱାର ସମ୍ମୁଖରେ ଅପେକ୍ଷା କରି ରହିଥିଲେ । ଲଗାତାର ଭାବେ ଶ୍ରୀମନ୍ଦିର ପରିସରରେ ଅଘଟଣ ନେଇ ଶ୍ରଦ୍ଧାଳୁଙ୍କ ସମେତ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍ ଧରିଥିଲା । କେବେ ଏଭଳି ଅଘଟଣ ନ ଘଟିଥିବା ବେଳେ ଚଳିତବର୍ଷ ଘଟଣାକୁ ନେଇ ଆଲୋଚନା ଜୋର୍ ଧରିଛି ।