ଚତୁର୍ଥ ଦିନ ହୋଇପାରେ ବର୍ଷା

ଡବ୍ଲୁ୍ୟଟିସି ଫାଇନାଲ୍
ଲଣ୍ଡନ, ୪ା୬ (ଏଜେନ୍ସି): ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁ୍ୟଟିସି) ଫାଇନାଲ୍ ମ୍ୟାଚ୍ ଉପରେ ଏଥର ବି ବର୍ଷା ଆଶଙ୍କା ଦେଖାଦେଇଛି । ଏହା ଲଣ୍ଡନର କେନିଙ୍ଗ୍ଟନ୍ ଓଭାଲ୍ ଗ୍ରାଉଣ୍ଡରେ ଖେଳାଯିବ । ପାଣିପାଗ ୱେବ୍ସାଇଟ୍ ଏକୁ୍ୟୱେଦର ଜୁନ୍ ୭ରୁ ୧୧ ଯାଏଁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଫାଇନାଲ୍ର ଚତୁର୍ଥ ଦିନ ଅର୍ଥାତ୍ ଜୁନ୍ ୧୦ରେ ଲଣ୍ଡନରେ ବର୍ଷା ହେବାର ୬୦ ପ୍ରତିଶତ ସମ୍ଭାବନା ବ୍ୟକ୍ତ କରିଛି । ଅବଶ୍ୟ ଜୁନ୍ ୧୨ରେ ରିଜର୍ଭ ଦିବସ ରହିଛି, ବର୍ଷା ହେବା ସ୍ଥିତିରେ ଖେଳ ୧୨ରେ ବି ହୋଇପାରେ ।
ଏହି ଖବର କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଚିନ୍ତାଜନକ, କାରଣ ଦୁଇ ବର୍ଷ ପୂର୍ବରୁ ଭାରତ ଏହି ଚାମ୍ପିଅନ୍ସିପ୍ର ଫାଇନାଲ୍ ମ୍ୟାଚ୍ ବର୍ଷା ଯୋଗୁଁ ହାରି ଯାଇଥିଲା । ସେତେବେଳେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆକୁ ୮ ୱିକେଟ୍ରେ ହରାଇ ନୁ୍ୟଜିଲାଣ୍ଡ ଚାମ୍ପିଅନ୍ ହୋଇଥିଲା । ସେତେବେଳେ ରିଜର୍ଭ ଦିବସ ସମେତ ଛଅ ଦିନ ମଧ୍ୟରୁ ଚାରି ଦିନ ଖେଳ ସମ୍ଭବ ହୋଇଥିଲା । ବର୍ଷା ଯୋଗୁଁ ଦୁଇ ଦିନ ଗୋଟିଏ ବି ବଲ୍ ପଡ଼ିପାରି ନ ଥିଲା । ମ୍ୟାଚ୍ରେ ପ୍ରାୟ ୧୯୦ ଓଭର୍ ବୋଲିଂ ହୋଇଥିଲା । ଅର୍ଥାତ୍ ଓଭର୍ ଦୃଷ୍ଟିକୋଣରୁ ଅଢ଼େଇ ଦିନର ଖେଳ ବି ହୋଇ ନ ଥିଲା ।
ଡ୍ର’ ହେବା ସ୍ଥିତିରେ କ’ଣ ହେବ
ବର୍ତ୍ତମାନର ପୂର୍ବାନୁମାନ ଭିତ୍ତିରେ ଆକଳନ କଲେ, ଫାଇନାଲ୍ ମ୍ୟାଚ୍ର ପ୍ରଥମ ତିନି ଦିନ ବର୍ଷା ହେବାର ସମ୍ଭାବନା ନାହିଁ । ଏପରିସ୍ଥଳେ ତିନି ଦିନ ମଧ୍ୟରେ ଉଭୟ ଟିମ୍ ଗୋଟିଏ ଲେଖାଏଁ ଇନିଂସ୍ ଖେଳିପାରନ୍ତି । ଚତୁର୍ଥ ଦିନ ବର୍ଷା ହେବା ସ୍ଥିତିରେ ମ୍ୟାଚ୍ର ଫଳାଫଳ ରିଜର୍ଭ ଦିବସକୁ ଚାଲିଯିବ । ଯଦି ରିଜର୍ଭ ଦିବସ ସୁଦ୍ଧା ଫଳାଫଳ ନ ବାହାରେ, ତା’ହେଲେ ଉଭୟ ଟିମ୍କୁ ଯୁଗ୍ମ ବିଜେତା ଘୋଷଣା କରାଯିବ । ଆଇସିସି ନିୟମାନୁଯାୟୀ, ଚାମ୍ପିଅନ୍ସିପ୍ର ଫାଇନାଲ୍ରେ ବର୍ଷା ହେବା ସ୍ଥିତିରେ ଉଭୟ ଟିମ୍କୁ ଯୁଗ୍ମ ବିଜେତା ବିବେଚନା କରାଯିବ ।
ବର୍ଷା ବଦଳାଇପାରେ ପରିସ୍ଥିତି
ଚତୁର୍ଥ ଦିନ ବର୍ଷା ଫାଇନାଲ୍ ମ୍ୟାଚ୍ର ପରିସ୍ଥିତିକୁ ବଦଳାଇ ଦେଇପାରେ । ପୂର୍ବ ଫାଇନାଲ୍ର ପ୍ରଥମ ଓ ଚତୁର୍ଥ ଦିନର ଖେଳ ବର୍ଷା ଯୋଗୁଁ ସମ୍ଭବ ହୋଇ ନ ଥିଲା । ସେତେବେଳେ ସାଉଥାମ୍ପଟନ୍ରେ ଚତୁର୍ଥ ଦିନର ବର୍ଷା ଟିମ୍ ଇଣ୍ଡିଆକୁ ମ୍ୟାଚ୍ ଠାରୁ ଦୂରେଇ ଦେଇଥିଲା । ଆନ୍ତର୍ଜାତିକ ପିଚ୍ କୁ୍ୟରେଟର୍ ସମନ୍ଦର ସିଂହଙ୍କ କହିବାନୁଯାୟୀ, ଓଭାଲ୍ରେ ବର୍ଷା ହେବା ସ୍ଥିତିରେ ପିଚ୍ରେ ପେସର୍ଙ୍କୁ ସହାୟତା ମିଳିବ ।
ଓଭାଲ୍ରେ ଉତ୍ତମ ଡ୍ରେନେଜ୍ ବ୍ୟବସ୍ଥା
ଇଂଲଣ୍ଡରେ ବର୍ଷା ସାଧାରଣ କଥା । ଓଭାଲ୍ ଗ୍ରାଉଣ୍ଡରେ ସାଣ୍ଡ୍ ବେସ୍ ଡ୍ରେନେଜ୍ ବ୍ୟବସ୍ଥା ରହିଛି । ଏହାଦ୍ୱାରା ପାଣି ଆଉଟ୍ଫିଲ୍ଡରୁ ଫିଲ୍ଟର ହୋଇ ତଳକୁ ଚାଲିଯାଏ । ବର୍ଷାରେ ପିଚ୍କୁ ଢାଙ୍କିବା ପାଇଁ ହୋଭର ରୋଭର୍ସର ବ୍ୟବହାର କରାଯାଇଥାଏ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *