ମୃତୁ୍ୟ ସଂଖ୍ୟା ୨୮୮କୁ ବୃଦ୍ଧି
ରାଜ୍ୟର ୨୧ ହସ୍ପିଟାଲରେ ୧୧୧୬ ଯାତ୍ରୀଙ୍କ ଚିକିତ୍ସା
ଏସ୍ସିବିରେ ଅତିରିକ୍ତ ୧ଠଠ ବେଡ୍ ବଢ଼ାଗଲା
୧୬ ଘଣ୍ଟା ପରେ ସରିଲା ରେସ୍କୁ୍ୟ ଅପରେସନ୍
ଦ୍ରୁତଗତି, ସିଗ୍ନାଲ ଫେଲ୍ ଓ ଟ୍ରାକ୍ ପରିବର୍ତ୍ତନ ଯୋଗୁ ଦୁର୍ଘଟଣା
ଚିହ୍ନଟ ପାଇଁ ଭୁବନେଶ୍ୱର ଅଣାଯିବ ୧୬ଠ ଶବ
ଭୁବନେଶ୍ୱର, ୩ା୬(ବୁ୍ୟରୋ): ଶୁକ୍ରବାର ଥିଲା ଏକ କାଳ ରାତ୍ରି । ବାଲେଶ୍ୱର ଜିଲ୍ଲାର ବାହନଗାଠାରେ ଘଟିଲା ଓଡିଶା ଇତିହାସରେ ସବୁଠାରୁ ବଡ ଟ୍ରେନ୍ ଦୁର୍ଘଟଣା । ଏହି ଦୁର୍ଘଟଣାରେ କିଏ ମୁରବୀ ହଜାଇ ଦେଇଛନ୍ତି ତ ଆଉ କାହାର ଭାଇ, ଭଉଣୀ, ଆତ୍ମୀୟସ୍ୱଜନ ପ୍ରାଣ ହରାଇଛନ୍ତି । ଦ୍ରୁତଗତି, ଭୁଲ୍ ସିଗ୍ନାଲ୍ ଓ ହଠାତ୍ ଟ୍ରାକ୍ ପରିବର୍ତ୍ତନ ଯୋଗୁଁ ତିନିଟି ଟ୍ରେନ ମଧ୍ୟରେ ଧକ୍କା ହେବାରୁ ୨୮୮ ଜଣଙ୍କ ଜୀବନ ଅକାଳରେ ଚାଲିଯାଇଛି । ଏହି ଛାତିଥରା ଦୁର୍ଘଟଣାରେ ଆହତ ୧୧୭୫ ଜଣଙ୍କୁ ରାଜ୍ୟର ୨୧ଟି ହସ୍ପିଟାଲରେ ଚିକିତ୍ସା କରାଯାଇଛି । ସେମାନଙ୍କ ମଧ୍ୟରୁ ୭୯୩ ଜଣ ଘରକୁ ଫେରିଛନ୍ତି । ବାକି ୩୮୨ ଜଣ ଆହତଙ୍କ ମଧ୍ୟରୁ ୨ ଜଣ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି । ସମ୍ପୃକ୍ତ ହସ୍ପିଟାଲଗୁଡିକରେ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯାଇଥିଲା ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଟକ ଏସସିବିରେ ସର୍ବାଧିକ ୧୮୬ ଜଣ ଚିକିତ୍ସିତ ହୋଉଥିବା ବେଳେ ସୋରୋରେ ୧୪୪, ଭଦ୍ରକ ମେଡିକାଲରେ ୩୫ ଜଣ, ବାଲେଶ୍ୱର ମେଡିକାଲ କଲେଜରେ ୯୭ ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ଭୁବନେଶ୍ୱର ସ୍ଥିତ ଆପୋଲୋ, କଳିଙ୍ଗ ଓ ସମ୍ ଅଲ୍ଟିମେଟମ୍ରେ ଜଣେ ଲେଖାଏ ଚିକିତ୍ସତ ହେଉଥିବା ବେଳେ ଆର୍ମ୍ରିି ହସ୍ପିଟାଲରେ ୩ ଜଣ ଚିକିତ୍ସିତ ହେଉଥିବା ଜଣାପଡିଛି । ଦୁର୍ଘଟଣାରେ ସର୍ବାଧିକ କ୍ଷତିଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍ରେ ୧୨୭୫ ଯାତ୍ରୀ ଥିଲେ । ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସ୍ରେ ଥିଲେ ୧୦୩୯ ଯାତ୍ରୀ ।
ଏପର୍ଯ୍ୟନ୍ତ ୧୬୦ ଜଣ ଯାତ୍ରୀଙ୍କ ମୃତ ଦେହ ଚିହ୍ନଟ ହୋଇପାରିନି । ସେଗୁଡିକୁ ଭୁବନେଶ୍ୱର ଅଣାଯାଇ ଶବାଗାରରେ ରଖାଯିବ । କାରଣ ବାଲେଶ୍ୱରରେ ଶବ ରଖିବା ବ୍ୟବସ୍ଥା ନାହିଁ । ମୃତକଙ୍କୁ ଚିହ୍ନଟ ହେବା ପରେ ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ । ଏହାରି ଭିତରେ ୩୦ ରୁ ୪୦ ଯାତ୍ରୀଙ୍କ ଶବ ଚିହ୍ନଟ ହୋଇସାରିଛି । ଶବଗୁଡିକୁ କିଭଳି ଚିହ୍ନଟ କରାଯିବ ତାହା ବର୍ତ୍ତମାନ ପାଇଁ ବଡ ଚାଲେଞ୍ଜ ହୋଇଛି । ତେବେ ୪୮ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇ ନ ପାରିଲେ ସେଗୁଡିକୁ ଡିସ୍ପୋଜ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି ।
ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ବାହାନଗା ବଜାର ଷ୍ଟେସନର ମାତ୍ର ୩୦୦ ମିଟର ଦୂରରେ ଏହି ଅଘଟନ ଘଟିଥିଲା । ସନ୍ଧ୍ୟା ପ୍ରାୟ ୭ଟାରେ ପ୍ରଥମେ ପଶ୍ଚିମବଙ୍ଗର ଶାଲିମାରରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ସିଗ୍ନାଲରେ ବାଉଳା ହୋଇ ମାଲବାହୀ ଟ୍ରେନ୍କୁ ଧକ୍କା ଦେଇ ଲାଇନ୍ଚୁ୍ୟତ ହୋଇଥିଲା । ବଗିଗୁଡିକ ଓଲଟି ପଡିଥିବା ବେଳେ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ ଏହାକୁ ଧକ୍କା ଦେଇଥିଲା । ଏହି ଖବର ଆଖିପିଛୁଳାକେ ବ୍ୟାପିବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚିଥିଲେ । ପ୍ରଶାସନ ଆସିବା ପୂର୍ବରୁ ସେମାନେ ବଗି ତଳେ ଓ ଭିତରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଆରମ୍ଭ କରିଥିଲେ । ଏହା ପରେ ପ୍ରଶାସନିକ ପକ୍ଷରୁ ୯ ଟି ଏନଡିଆରଏଫ ଟିମ୍ ସମେତ ୫ଟି ଓଡ୍ରାଫ୍ଟ ଟିମ୍, ୨୪ ଅଗ୍ନିଶମ ଟିମ୍, ଇମର୍ଜେନ୍ସି ୟୁନିଟ୍, ରାଜ୍ୟ ପୁଲିସ ସହ ସେନା ସାମିଲ ହୋଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ରାତି ତମାମ ରେସ୍କୁ୍ୟ ଅପରେସନ ଚାଲିଥିବା ବେଳେ ଏଥିରେ ପଶ୍ଚିମବଙ୍ଗର ମେଡିକାଲ ଟିମ୍ ମଧ୍ୟ ସାମିଲ ହୋଇଥିଲେ । ଦୀର୍ଘ ୧୬ ଘଣ୍ଟାର ଅପରେସନ୍ ପରେ ବଗିଗୁଡିକରୁ ମୃତ ଦେହ ଉଦ୍ଧାର କାର୍ଯ୍ୟ ସରିଛି । ହେଲେ ଟ୍ରାକ୍ ଓ ବଗି ଗୁଡିକ ଛିନଛତ୍ର ହୋଇ ପଡି ରହିଛି ।