ଦୋଷୀଙ୍କୁ କଠୋର ଶାସ୍ତି ଦିଆଯିବ

ଭୁବନେଶ୍ୱର,୩ା୬(ବୁ୍ୟରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ବାହାନଗା ଟ୍ରେନ୍ ଦୁର୍ଘଟଣାର ସମୀକ୍ଷା କରିବା ପରେ ଦୁର୍ଘଟଣାସ୍ଥଳ ଗସ୍ତ କରି ସ୍ଥିତି ପରଖିବା ସହ ଆହତଙ୍କୁ ଭେଟିଛନ୍ତି । ଦୁର୍ଘଟଣା ସ୍ଥଳ ପରିଦର୍ଶନ ପରେ ଓଡ଼ିଶା ସରକାରଙ୍କ ରେସ୍କୁ୍ୟ ଅପରେସନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଖୁବ୍ କମ୍ ସମୟ ଭିତରେ ରାଜ୍ୟ ସରକାର ଯେପରି ତତ୍ପରତା ଦେଖାଇଲେ ତାହାକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସ୍ଥାନୀୟ ଲୋକ, ବିଶେଷ କରି ଯୁବବର୍ଗ ରାତିସାରା ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ‘ନମନ’ କରିଛନ୍ତି ପ୍ରଧାନମନ୍ତ୍ରୀ । “ରକ୍ତଦାନ ପାଇଁ ବିଭନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବେଶ୍ ପ୍ରଶଂସନୀୟ । ଘଟଣା ଆମ ସମସ୍ତଙ୍କ ପାଇଁ ଦୁଃଖଦ । ଏବେ ସହାନୁଭୂତି ଦେଖାଇବାର ସମୟ । ଘଟଣାର ତଦନ୍ତ ହେବ । ଯିଏ ବି ଏହି ଦୁର୍ଘଟଣା ପାଇଁ ଦୋଷୀ, ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ” ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
ପ୍ରାୟ ୩.୪୫ ମିନଟ୍ ବାୟୁସେନାର ଏମ୍-୧୭ ହେଲିକପ୍ଟର ଯୋଗେ ଦୁର୍ଘଟଣାସ୍ଥଳକୁ ଯାଇଥିଲେ । ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବା ସହ ଫିଲ୍ଡରୁ ମଧ୍ୟ ସ୍ଥିତି ଦେଖିଥିଲେ । ସହାୟତା ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀଙ୍କୁ ପ·ରି ବୁଝିଥିଲେ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଯବାନଙ୍କୁ ଭେଟି କୃତଜ୍ଞତା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଦୁର୍ଘଟଣାସ୍ଥଳରେ ସମୀକ୍ଷା କରିବା ପରେ ବାଲେଶ୍ୱର ମେଡିକାଲକୁ ଯାଇଥିଲେ । ସେଠାରେ ଚିକିତ୍ସାଧୀନ ଲୋକଙ୍କ ଅବସ୍ଥା ଡାକ୍ତରଙ୍କୁ ପ·ରି ବୁଝିଥିଲେ । ଆହତମାନଙ୍କ ସହିତ ସେ କଥାବାର୍ତ୍ତା ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସହିତ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ପ୍ରମୁଖ ଥିଲେ । ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ପରେ ସ୍ଥିତି ସମୀକ୍ଷା କରିବା ସହ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଦୁର୍ଘଟଣା ସ୍ଥଳରୁ ମାତ୍ର ଶହେ ମିଟର ଦୂରରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଲ୍ୟାଣ୍ଡ କରିଥିଲା । ରାଜ୍ୟ ପୋଲିସର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସୁରକ୍ଷା ବଳୟରେ ପ୍ରଧାନମନ୍ତ୍ରୀ ଦୁର୍ଘଟଣା ସ୍ଥଳକୁ ଯାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *