ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରତ୍ୟକ୍ଷ ସ୍ନାନ

ଅପେକ୍ଷାରେ ସ୍ନାନବେଦୀ
ପୁରୀ (ବୁ୍ୟରୋ): ରବିବାର ଦେବସ୍ନାନ ପୂର୍ଣ୍ଣିମା । ଦାରୁଦିଅଁ କରିବେ ପ୍ରତ୍ୟକ୍ଷ ସ୍ନାନ । ଚତୁର୍ଦ୍ଧାବିଗ୍ରହଙ୍କ ଅପେକ୍ଷାରେ ସ୍ନାନବେଦୀ । ସେହି ଠାକୁରଙ୍କ ଅନନ୍ୟ ହାତୀବେଶ ଦର୍ଶନ ପାଇଁ ଚାହିଁ ରହିଛନ୍ତି ଅଗଣିତ ଭକ୍ତ । ଶ୍ରୀକ୍ଷେତ୍ରକୁ ଛୁଟୁଛି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ । ସମସ୍ତଙ୍କର ପ୍ରତ୍ୟକ୍ଷ ରହିଛି ସେହି ବ୍ରହ୍ମମୂହୁର୍ତ୍ତକୁ । ଶନିବାର ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି ଶେଷ ହୋଇଛି । ରତ୍ନସିଂହାନରେ ଚାରବାଡ଼ବନ୍ଧା ସରିଛି ।
ରବିବାର ସକାଳୁ ସକାଳୁ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ସ୍ନାନବେଦୀକୁ ବିଜେ କରିବେ । ପ୍ରଥମେ ସୁଦର୍ଶନ ମହାରାଜା, ପରେ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ସ୍ନାନବେଦୀକୁ ଆସିବେ । ପ୍ରତିଦିନ ବିମ୍ବ(ଦର୍ପଣ) ସ୍ନାନ କରୁଥିବା ଶ୍ରୀବିଗ୍ରହମାନେ ସୋମବାର ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବେ । ସୁନାଗୋସାଇଁ ପରିବାରର ସଦସ୍ୟମାନେ ସୁନାକୂଅରୁ ୧୦୮ ଗଡୁଜଳ ଆଣି ଜଳଗୃହରେ ରଖିବେ । ଚୁଆ, ଚନ୍ଦନ, କର୍ପୁର ଆଦି ପକାଯାଇ ଜଳକୁ ଅଧିବାସ କରାଯିବ । ଅଧିବାସ ଗୃହରୁ ୧୦୮ ଗଡୁଜଳ ନେଇ ଚାରୋଟି ପନ୍ତିରେ ସ୍ନାନବେଦୀରେ ରଖିବେ । ଜଳପୂଜା ହେବା ପରେ ମହାପ୍ରଭୁଙ୍କ ସ୍ନାନ ନୀତି ସମାପନ ହେବ । ପରେ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପାରମ୍ପରିକ ରୀତିରେ ଶ୍ରୀନଅରରୁ ଛେରା ପହଁରାରେ ସଂପୃକ୍ତ ସେବକଙ୍କ ସହ ସ୍ନାନମଣ୍ଡପକୁ ବିଜେ କରିବେ । ଗଜପତି ମହାରାଜା ଛେରା ପହଁରା ନୀତି ସମ୍ପନ୍ନ କରିବା ପରେ ମହାପ୍ରଭୁଙ୍କ ହାତୀବେଶ ସମ୍ପନ୍ନ ହେବ । ହାତୀବେଶ ଥାଇ ଘଣ୍ଟଛତା ଭୋଗଲାଗି ହେବ ।
ଏହା ପରେ ସନ୍ଧ୍ୟା ସାଢ଼େ ୬ଟାରୁ ରାତ୍ର ସାଢ଼େ ୯ଟା ପର୍ଯ୍ୟନ୍ତ ହାତୀବେଶରେ ଥାଇ ମହାପ୍ରଭୁଙ୍କ ସାହାଣମେଲା ଦର୍ଶନ ଅନୁଷ୍ଠିତ ହେବ । ସାହାଣ ମେଲା ଦର୍ଶନ ଶେଷ ହେବା ପରେ ପୁଷ୍ପାଞ୍ଜଳି ଓ ଡୋର ଲାଗି ହେବ । ଏହା ପରେ ମହାପ୍ରଭୁ ସ୍ନାନବେଦୀରୁ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିବେ । ବିଳମ୍ବିତ ରାତିରେ ଅଣସର ନୀତି ଆରମ୍ଭ ହେବ । ମହାପ୍ରଭୁ ଜ୍ୱରରେ ପୀଡ଼ିତ ହେବେ । ମହାପ୍ରଭୁ ସୁସ୍ଥ ହୋଇ ଆସନ୍ତା ଜୁନ୍ ୧୯ରେ ନବଯୌବନ ଦର୍ଶନ ଦେବେ । ୨୦ରେ ଚତୁର୍ଦ୍ଧା ବିଗ୍ରହ ତିନି ରଥରେ ବିଜେ ହୋଇ ଘୋଷଯାତ୍ରାରେ ବାହାରିବେ । ଦାରୁଦିଅଁଙ୍କ ଦେବସ୍ନାନ ପୂର୍ଣ୍ଣିମା ଲାଗି ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇପଡ଼ିଛି । ଶନିବାର ରତ୍ନବେଦୀରେ ଚତୁର୍ଦ୍ଧାବିଗ୍ରହଙ୍କ ଶେଷ ଦର୍ଶନ । ଦର୍ଶନ ପାଇଁ ଶ୍ରୀମନ୍ଦିର ଅଭିମୁଖେ ଭକ୍ତଙ୍କ ସୁଅ ଛୁଟିଥିଲା । ସେନାପଟ ଲାଗି ରହିଥବାରୁ ଦର୍ଶନ ସକାଳ ଠାରୁ ଆରମ୍ଭ କରି ଅପରାହ୍ଣ ୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ତଥାପି ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଥିଲା । ଦେବସ୍ନାନ ପୂର୍ଣ୍ଣିମା ଲାଗି ସ୍ଥାନୀୟ ପ୍ରଶାସନ, ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି ।
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ସିଂହଦ୍ୱାର ସମ୍ମୁଖରେ ବାରିକେଡ୍ ପ୍ରସ୍ତୁତ କରାଯାଇଛି । ଭକ୍ତମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ଦର୍ଶନ କରି ଶ୍ରୀମନ୍ଦିରର ଅନ୍ୟ ତିନିଦ୍ୱାରରେ ବାହାରକୁ ବାହାରିବେ । ସ୍ନାନପୂର୍ଣ୍ଣିମା ପହଣ୍ଡି ଦର୍ଶନ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟିକେଟ୍ ବ୍ୟବସ୍ଥା କରାଯାଇଛି । ଟିକେଟ୍ଧାରୀମାନେ ଦକ୍ଷିଣଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ଭିଭିଆଇପିମାନେ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *