୭ଠ ଯାତ୍ରୀ ମୃତ
ବାହାନଗାରେ ଭୟାବହ ଟ୍ରେନ୍ ଦୁର୍ଘଟଣା
ଶତାଧିକ ଉଦ୍ଧାର, ବହୁ ଯାତ୍ରୀ ଫସି ରହିଛନ୍ତି
ସୋର/ଭୁବନେଶ୍ୱର, ୨ା୬(ଆପ୍ର/ବୁ୍ୟରୋ): ବାଲେଶ୍ୱର ଜିଲ୍ଲାର ବାହାନଗା ଷ୍ଟେସନ୍ ନିକଟ ପଣପଣାଠାରେ ଶୁକ୍ରବାର ସନ୍ଧ୍ୟାରେ ବଡଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧-ଅପ୍) ଏକ ମାଲଗାଡିକୁ ଧକ୍କା ଦେବା ଫଳରେ କରମଣ୍ଡଳର ୧୫ଟି ବଗି ଲାଇନ୍ଚୁ୍ୟତ ହୋଇ ପାଖ ଟ୍ରାକ୍ ଉପରେ ପଡିଯାଇଥିଲା । ସେହି ସମୟରେ ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସ୍ କରମଣ୍ଡଳର ଲାଇନ୍ଚୁ୍ୟତ ବଗି ସହ ଧକ୍କା ଲାଗିବାରୁ ଏହାର ୨ଟି ବଗି ମଧ୍ୟ ଲାଇନ୍ଚୁ୍ୟତ ହୋଇଥିଲା । ଏହି ଦୁର୍ଘଟଣାରେ ପ୍ରାୟ ୭୦ ଯାତ୍ରୀ ପ୍ରାଣ ହରାଇଥିବାବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟିଥିଲା ରାତି ୭ଟା ୧୫ ମିନିଟ୍ରେ ।
କରମଣ୍ଡଳର ଯାତ୍ରୀ ପରିବହନ କ୍ଷମତା ୧୫୧୬ । ଏହି ଟ୍ରେନ୍ରେ ଯାତ୍ରୀ ଭରପୁର ଥିଲେ । ମୃତୁ୍ୟ ସଂଖ୍ୟା ୭୦ ଟପିପାରେ ବୋଲି ଆଶଙ୍କା କରାଯାଉଛି । ରେଳବାଇ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବଡଧରଣର ରେସ୍କୁ୍ୟ ଅପରେସନ୍ ଜାରି ରହିଥିଲେ ହେଁ ରାତିର ଅନ୍ଧାର ଯୋଗୁଁ ବଗି ତଳେ ଫସି ରହିଥିବା ଶତାଧିକ ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପାରିନାହିଁ । ଆହତଙ୍କ ଚିକ୍ରାରରେ ଦୁର୍ଘଟଣାସ୍ଥଳ ଫାଟି ପଡୁଛି ।
ଆହତମାନଙ୍କୁ ବାଲେଶ୍ୱର ମେଡିକାଲ କଲେଜ ହସ୍ପିଟାଲ, ସୋର ଓ ଗୋପାଳପୁର ସିଏଚ୍ସି ଏବଂ ଖନ୍ତାପଡା ପିଏଚ୍ସିରେ ଭର୍ତ୍ତି କରାଯାଇଛି । ରେଳବାଇ ପୁଲିସ୍ ସହ ସୋର ଓ ବାହାନଗା ପୁଲିସ୍, ଅଗ୍ନିଶମ ବାହିନୀ ପହଞ୍ଚô ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଭୁବନେଶ୍ୱରରୁ ୩ ଏନ୍ଡିଆର୍ଏଫ୍ ଓ ୪ ଓଡ୍ରାଫ୍ ଟିମ୍କୁ ପଠାଯାଇଛି । ବହୁ ସଂଖ୍ୟକ ଅଗ୍ନିଶମ ଟିମ୍ ମଧ୍ୟ ପହଞ୍ଚôଛି । ରେସ୍କୁ୍ୟରେ ବାୟୁସେନାର ସହାୟତା ନିଆଯାଇଛି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଆଇଏଏସ୍ ବଳବନ୍ତ ସିଂହ, ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ଦୁର୍ଘଟଣାସ୍ଥଳକୁ ଯାଇଛନ୍ତି । କଟକ ଏସ୍ସିବି ମେଡିକାଲ, ବାଲେଶ୍ୱର ମେଡିକାଲ କଲେଜ ଓ ବାରିପଦା ମେଡିକାଲ କଲେଜକୁ ଜରୁରୀ ଚିକିତ୍ସା ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି ।
ସୂଚନା ଅନୁଯାୟୀ, ଗୋଟିଏ ମାଲଗାଡି ଷ୍ଟେସନ୍ ପୂର୍ବରୁ ଥିବା ରେଳ ଫାଟକ ନିକଟରେ ଛିଡା ହୋଇଥିବାବେଳେ କୋଲକାତା ଆଡୁ ଆସୁଥିବା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍ ଦ୍ରୁତବେଗରେ ଆସି ମାଲଗାଡିକୁ ଧକ୍କା ଦେଇଥିଲା । ସେହି ସମୟରେ ରେଳ ଫାଟକ ବନ୍ଦ ଥିବାରୁ ଦୁଇପାଖେ ବହୁ ଲୋକ ଥିଲେ । ସିଗ୍ନାଲ୍ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣା ଯୋଗୁଁ ସମ୍ପୃକ୍ତ ରୁଟ୍ରେ ବହୁ ଟ୍ରେନ୍କୁ ବାତିଲ କରିଦିଆଯାଇଛି ।
କରମଣ୍ଡଳର ଓଲଟି ପଡିଥିବା ୧୫ଟି ବଗି ଭିତରେ ଓ ବଗି ତଳେ ଅନେକ ଲୋକ ଚାପି ହୋଇ ରହିଛନ୍ତି । ଅନ୍ଧାର ହୋଇଯାଇଥିବାରୁ ସ୍ଥାନୀୟ ଲୋକେ ଯଥାସମ୍ଭବ ଚେଷ୍ଟା କରି କେତେକ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲ ନେଇଛନ୍ତି । ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ, ଏସ୍ପି ସାଗରିକା ନାଥ, ବାହାନଗା ତହସିଲଦାର ପ୍ରମୁଖ ଦୁର୍ଘଟଣାସ୍ଥଳରେ ପହଞ୍ଚô ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି । ଉଦ୍ଧାର କାର୍ଯ୍ୟରେ ୧୦୦ ଆମ୍ବୁଲାନ୍ସ ଓ ୫୦ ବସ୍କୁ ନିୟୋଜିତ କରାଯାଇଛି । ତେବେ ଆହତଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ସେମାନଙ୍କୁ ବସ୍ ଯୋଗେ ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର ଉଦ୍ୟମ ହେଉଛି ବୋଲି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । ମୁଖ୍ୟ ସଚିବ କହିଛନ୍ତି ୪୭ ଜଣ ଆହତଙ୍କୁ ବାଲେଶ୍ୱର ମେଡିକାଲ କଲେଜରେ ଏବଂ ୧୩୨ ଜଣଙ୍କୁ ନିକଟବର୍ତ୍ତୀ ସୋର ଓ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଖନ୍ତାପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।