ଅଲିମ୍ପିକ୍ ବିଜେତାକୁ ହରାଇଲା ଭାରତ
ଏଫ୍ଆଇଏଚ୍ ପ୍ରୋ ଲିଗ୍
ନୂଆଦିଲ୍ଲୀ, ୨ା୬ (ଏଜେନ୍ସି): ଏଫ୍ଆଇଏଚ୍ ପ୍ରୋ ଲିଗ୍ର ୟୁରୋପୀୟ ଲେଗ୍ରେ କ୍ରମାଗତ ପରାଜୟ ପରେ ଦମ୍ଦାର ପ୍ରତ୍ୟାବର୍ତ୍ତନ କରିଛି ଭାରତର ପୁରୁଷ ହକି ଟିମ୍ । ଭାରତ ଶୁକ୍ରବାର ଅଲିମ୍ପିକ୍ ବିଜେତା ବେଲ୍ଜିୟମ ବିପକ୍ଷରେ ୫-୧ରେ ସ୍ତବ୍ଧଭରା ବିଜୟ ହାସଲ କରିଛି । ଅଧିନାୟକ ହରମନପ୍ରୀତ ସିଂହ ଦୁଇଟି ଗୋଲ୍ ଦେଇ ଏହି ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ । ବିବେକ ସାଗର ପ୍ରସାଦ, ଅମିତ ରୋହିଦାସ ଓ ଦିଲ୍ପ୍ରୀତ ସିଂହ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ବେଲ୍ଜିୟମ୍ ପକ୍ଷରୁ ଘିସ୍ଲେନ୍ ୱିଲିଅମ୍ ଏକମାତ୍ର ଗୋଲ୍ କରିଥିଲେ ।
ଭାରତୀୟ ଟିମ୍ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଦ୍ୱିତୀୟ ମିନିଟ୍ରେହିଁ ଅଗ୍ରଣୀ ହୋଇଥିଲା । ମିଡ୍ଫିଲ୍ଡର୍ ବିବେକ ସାଗର ଏହି ଗୋଲ୍ କରିଥିଲେ । ଦ୍ୱିତୀୟ କ୍ୱାର୍ଟର୍ରେ ବି ଟିମ୍ର ଅବିରତ ଆକ୍ରମଣ ବଜାୟ ରହିଥିଲା ଏବଂ ବେଲ୍ଜିୟମ ରକ୍ଷଣଭାଗ ଚାପଗ୍ରସ୍ତ ହୋଇଥିଲା । ୨୧ତମ ମିନିଟ୍ରେ ଭାରତ ପେନାଲ୍ଟି କର୍ଣ୍ଣର୍ ଜିତିଥିଲା, ଯାହାକୁ ହରମନପ୍ରୀତ ଗୋଲ୍ରେ ପରିଣତ କରିଥିଲେ । ୨୯ତମ ମିନିଟ୍ରେ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଏକ ଚିତ୍ତାକର୍ଷକ ଗୋଲ୍ ଦେଇଥିଲେ । ଏହାର ଏକ ମିନିଟ୍ ପରେ ହରମନପ୍ରୀତ ଆଉ ଏକ ପିସିକୁ ଗୋଲ୍ରେ ପରିଣତ କରି ମଧ୍ୟାନ୍ତର ସୁଦ୍ଧା ଭାରତକୁ ୪-୦ରେ ଅଗ୍ରଣୀ କରିଥିଲେ ।
ପାଶ୍ୱର୍ ପରିବର୍ତ୍ତନ ପରେ ବେଲ୍ଜିୟମର କେତେକ ପ୍ରୟାସକୁ ଭାରତ ବିଫଳ କରିଦେଇଥିଲା । ତେବେ ୪୬ତମ ମିନିଟ୍ରେ ୱିଲିଅମ୍ ଏକ ଗୋଲ୍ କରି ସ୍କୋର୍ ବ୍ୟବଧାନ ହ୍ରାସ କରିଥିଲେ । ୬୦ତମ ମିନିଟ୍ରେ ଦିଲ୍ପ୍ରୀତ ସିଂହ ଭାରତ ପକ୍ଷରୁ ପଞ୍ଚମ ଗୋଲ୍ କରିଥିଲେ ।
ଭାରତୀୟ ଟିମ୍ ଏହା ପୂର୍ବରୁ ବେଲ୍ଜିୟମ ଠାରୁ ୧-୨ ଓ ଗ୍ରେଟ୍ ବ୍ରିଟେନ୍ ଠାରୁ ୨-୪ରେ ହାରି ଯାଇଥିଲା । ଏହାପରେ ଶୁକ୍ରବାରର ବିଜୟ ଟିମ୍ର ମନୋବଳ ବଢ଼ାଇଛି ।