ବିରୋଧୀ ଏକତା ଫ୍ଲପ୍

ନୂଆଦିଲ୍ଲୀ, ୧ା୬: ବିହାର ରାଜଧାନୀ ପାଟନାରେ ଆସନ୍ତା ୧୨ ତାରିଖ ଦିନ ହେବାକୁ ଥିବା ବିରୋଧୀ ଦଳଙ୍କ ମହାସମ୍ମିଳନୀ ବିଫଳ ହେବାକୁ ଯାଉଛି । ଏହି ବୈଠକରେ ରାହୁଲ ଗାନ୍ଧି, ମଲ୍ଲିକାର୍ଜ୍ଜୁନ ଖଡଗେ, ଷ୍ଟାଲିନ୍ ଓ ୟେଚୁରୀଙ୍କ ଭଳି ବଡ଼ ନେତାମାନେ ସାମିଲ ହେବେ ନାହିଁ । ଜୟପ୍ରକାଶ ନାରାୟଣଙ୍କ ମାଟିରେ ବିରୋଧୀ ଦଳମାନେ ଏକଜୁଟ୍ ହୋଇ ମୋଦି ସରକାରଙ୍କୁ ଗାଦିଚୁ୍ୟତ କରିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ । ଟିଏମ୍ସି ନେତ୍ରୀ ମମତା ବାନାର୍ଜୀଙ୍କ ପ୍ରସ୍ତାବକ୍ରମେ ପାଟନା ଠାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ସମ୍ମିଳନୀ ଆୟୋଜନ କରିଥିଲେ ।
କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ବିଦେଶରେ । ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ବ୍ୟସ୍ତ । ତେଣୁ ଏ ଦୁହେଁ ପାଟନା ସମ୍ମିଳନୀକୁ ଆସିବେ ନାହିଁ । ତାଙ୍କ ସ୍ଥାନରେ ଦଳର କୌଣସି ପ୍ରତିନିଧି ଯୋଗ ଦେବେ । ଷ୍ଟାଲିନ୍ ଓ ସୀତାରାମ ୟେଚୁରୀ ମଧ୍ୟ ସମ୍ମିଳନୀରେ ଉପସ୍ଥିିତ ରହିବା ନେଇ ଅସାମର୍ଥ୍ୟ ପ୍ରକାଶ କରିଛନ୍ତି । ଏହି କାରଣରୁ ପାଟନା ସମ୍ମିଳନୀ ଏକ ଫ୍ଲପ୍ ଶୋ ହେବାକୁ ଯାଉଛି ।
ରାହୁଲ ଓ ଖଡ଼ଗେ ଜୁନ୍ ୧୨ ପରିବର୍ତ୍ତେ ଜୁନ୍ ୨୩ରେ ସମ୍ମିଳନୀ ଆୟୋଜନ ପାଇଁ କହିଥିଲେ । ୧୯୭୫ ଜୁନ୍ ୧୨ ତାରିଖ ଦିନ ଇନ୍ଦିରା ଗାନ୍ଧିଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇଥିଲା । ତେଣୁ ଜୁନ୍ ୧୨ ତାରିଖକୁ କଂଗ୍ରେସ ଅଶୁଭ ଦିବସ ରୂପେ ବିବେଚନା କରୁଛି । ଏହି କାରଣରୁ କଂଗ୍ରେସ ନେତାମାନେ ପାଟନା ସମ୍ମିଳନୀ ତାରିଖ ବଦଳାଇବାକୁ କହିଥିଲେ । କିନ୍ତୁ ନୀତୀଶ ସେଥିରେ ରାଜି ହେଲେ ନାହିଁ । କେହି କେହି କହୁଛନ୍ତି ନୀତୀଶ କୁମାର ଜାଣିଶୁଣି ଜୁନ୍ ୧୨ ତାରିଖ ସ୍ଥିର କରିଛନ୍ତି
ଷ୍ଟାଲିନ୍ ଓ ସିପିଏମ୍ ନେତା ୟେଚୁରୀ ମଧ୍ୟ ଅଲଗା କାରଣରୁ ପାଟନା ଆସିପାରିବେ ନାହିଁ । ସୂତ୍ର ଅନୁଯାୟୀ, କଂଗ୍ରେସର ବଡ଼ ନେତା ଆସୁ ନ ଥିବାରୁ ମମତାଙ୍କ ସହ ମିଟିଂ ପାଇଁ ପ୍ରସ୍ତୁତ ନୁହନ୍ତି ବୋଲି ୟେଚୁରୀ ସିଧା ଜଣାଇ ଦେଇଛନ୍ତି । ଏତେ ଅନ୍ତର୍ବିରୋଧ ଭିତରେ ବିରୋଧୀ ଏକତା କିପରି ସମ୍ଭବ ବୋଲି ଅନେକେ ପ୍ରଶ୍ନ ଉଠାଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ବିରୋଧୀ ଦଳମାନଙ୍କୁ ଏକଜୁଟ୍ କରାଇବା ଲକ୍ଷ୍ୟ ରଖି ନୀତୀଶ ଗତ କିଛିଦିନ ଭିତରେ ରାହୁଲ ଗାନ୍ଧି, ଖଡ଼ଗେ, ଶରଦ ପାୱର, ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ, ଅଖିଳେଶ ଯାଦବ, ଉଦ୍ଧବ ଠାକ୍ରେ ଓ ନବୀନ ପଟ୍ଟନାୟକଙ୍କୁ ଭେଟି ସମସ୍ତଙ୍କୁ ପାଟନା ସମ୍ମିଳନୀରେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *