ସମୁଦ୍ରରେ ବୁଡିଗଲେ ୨ ଛାତ୍ରୀ

ଛତ୍ରପୁର, ୧ା୬ (ଆପ୍ର): ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଗ୍ରାମରେ ଗୁରୁବାର ୨ ଛାତ୍ରୀଙ୍କ ସଲିଳ ସମାଧି ଘଟିଛି । ସମୁଦ୍ରରେ ଗାଧୋଇବା ବେଳେ ୬ ଜଣ ଛାତ୍ରୀ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତୁ୍ୟ ହୋଇଛି । ଗୁରୁବାର ସକାଳେ ଜଣଙ୍କ ଶବ ଉଦ୍ଧାର ହୋଇଥିଲା । ୮ ଘଣ୍ଟା ପରେ ଅନ୍ୟ ଛାତ୍ରୀଙ୍କ ଶବ ସନ୍ଧ୍ୟାରେ ଉଦ୍ଧାର କରାଯାଇଛି । ଅପରେସନରେ ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ସାମିଲ ହୋଇଥିଲେ । ତଟରକ୍ଷୀ ବାହିନୀ ନିଦେ୍ର୍ଦଶକଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ସହାୟତା ମାଗିବା ପରେ ଭୁବନେଶ୍ୱରରୁ ଏକ ଏୟାର୍କ୍ରାଫ୍ଟ ଯାଇ ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲା । ମୃତ ଛାତ୍ରୀ ଦ୍ୱୟ ହେଲେ କନିଷିର ସ୍ୱପ୍ନାରାଣୀ ପଣ୍ଡିତ (+୩) ଏବଂ ଶେରଗଡ଼ର ପ୍ରଜ୍ଞାରାଣୀ ତ୍ରିପାଠୀ (+୨) । ଯାତ୍ରା ଦେଖିବାକୁ ଦୁହେଁ ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ଗୁରୁବାର ସକାଳ ୭ଟା ବେଳେ ୬ଜଣ ମିଶି ସମୁଦ୍ରକୁ ଗାଧୋଇବାକୁ ଯାଇଥିବା ବେଳେ ସମସ୍ତେ ଭାସି ଯାଇଥିଲେ । ଗ୍ରାମବାସୀ ୪ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ଜଣେ ମୃତ ଏବଂ ଜଣେ ନିଖୋଜ ଥିଲେ । ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ସଂପୃକ୍ତ ୪ ଛାତ୍ରୀଙ୍କୁ ଭର୍ତ୍ତି କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଉଦ୍ଧାର କାର୍ଯ୍ୟର ମନିଟରିଂ କରିଥିଲେ । ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *