ବନ କର୍ମଚାରୀ-ଶିକାରୀ ପୁଣି ମୁଁହାମୁହିଁ

ବାରିପଦା, ୧ା୬(ଆପ୍ର): ଶିମିଳିପାଳ ଅଭୟାରଣ୍ୟରେ ବୁଧବାର ରାତିରେ କମ୍ବିଂ ଅପରେସନ ବେଳେ ବନ କର୍ମଚାରୀ ଓ ଶିକାରୀ ମୁଁହାମୁଁହି ହୋଇଛନ୍ତି । ଏଥିରେ ଜଣେ ଶିକାରୀଙ୍କ ମୃତୁ୍ୟ ହୋଇଥିବା ଖବର ମିଳିଛି ।
ଫରେଷ୍ଟ ଗାର୍ଡ ବିମଲ ଜେନାଙ୍କ ମୃତୁ୍ୟ ପରେ ବନ ବିଭାଗର ଚଢ଼ଉ ପ୍ରକ୍ରିୟା ଜାରି ରହିଛି । ବନବିଭାଗର ବାଙ୍ଗିରିପୋଷି ଓ ଚହଲା ରେଞ୍ଜର ଅଧିକାରୀ ଏବଂ ବନ କର୍ମଚାରୀ ମିଳିତ ଭାବେ ଶିମିଳିପାଳ ଅଭୟାରଣ୍ୟର ତାଳବନ୍ଧ ଇଲାକାରେ କମ୍ବିଂ ଅପରେସନ ଜାରି ରଖିଥିବା ସମୟରେ ଶିକାରୀଙ୍କ ସାମ୍ନାସାମ୍ନି ହୋଇଥିଲେ । ୧୫ରୁ ଊର୍ଦ୍ଧ୍ୱ ଶିକାରୀ ଦେଶୀ ବନ୍ଧୁକ, ଧନୁତୀର ସହ ଅଭୟାରଣ୍ୟରେ ଶିକାର ଉଦେ୍ଦଶ୍ୟରେ ପ୍ରବେଶ କରିଥିଲେ । ବନ କର୍ମଚାରୀମାନେ ପ୍ରତିରୋଧ ଉଦ୍ୟମ କରିବାରୁ ସେମାନେ ପାଲଟା ତୀର ମାଡ଼ କରିଥିଲେ । ଫଳରେ ବାଧ୍ୟ ହୋଇ ବନ କର୍ମଚାରୀ ଫାଙ୍କା ଗୁଳି ଚାଳନା କରିଥିଲେ । ବନବିଭାଗର ଆକ୍ରଣାତ୍ମକ ପନ୍ଥା ଦେଖି ଶିକାରୀମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ସୁନାପୋଷୀ ଗ୍ରାମର ଜଗନ୍ନାଥ ହେମ୍ବ୍ରମ ଗୁଳି ମାଡରେ ଟଳି ପଡିଥିଲେ ।
ଶିକାରୀ ଛାଡ଼ି ପଳାଇଥିବା ୨ଟି ଦେଶୀ ବନ୍ଧୁକ, ଧନୁତୀର ଓ ମାରଣାସ୍ତ୍ର ଜବତ କରାଯାଇଛି । ଜଗନ୍ନାଥଙ୍କ ଶବକୁ ସୁନାପୋଷି ଗାଁରେ ରଖି ଗ୍ରାମବାସୀ ବୈଠକ କରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିିଥିଲା । ରେଞ୍ଜ ଅଧିକାରୀ ଶୈଳେନ୍ଦ୍ର କୁମାର ଦାସ ଏହି ଚଢ଼ଉର ନେତୃତ୍ୱ ନେଇଲେ । ଆଗକୁ ଏହି ଚଢ଼ଉ ଜାରି ରହିବ ବୋଲି ସେ କହିଛନ୍ତି ।
ଜଗନ୍ନାଥଙ୍କ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆର୍ଏମ୍ ହସ୍ପିଟାଲକୁ ଅଣାଯାଇଛି । ବାରିପଦା ଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ମୃତକଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଘଟଣା ବାବଦରେ ଆଲୋଚନା କରିଥିଲେ । ଏହି ସମୟରେ ବାରିପଦା ବିଧାୟକ ପ୍ରକାଶ ସୋରେନ ଉପସ୍ଥିତ ଥିଲେ ।
ସୂଚନା ଥାଉକି, ଗତ ମେ’ ୨୨ ତାରିଖରେ ଶିମିଳିପାଳ ନଅଣା ରେଞ୍ଜରେ ଶିକାରୀଙ୍କ ଗୁଳିମାଡ଼ରେ ଜଣେ ଫରେଷ୍ଟ ଗାର୍ଡ ଶହୀଦ ହୋଇଥିଲେ । ଫରେଷ୍ଟ ଗାର୍ଡ ହତ୍ୟା ମାମଲାରେ ୨୬ ଜଣ ଅଭିଯୁକଙ୍କୁ ପୁଲିସ ଚିହ୍ନଟ କରିଥିବା ବେଳେ ୭ ଜଣକୁ ଗିରଫ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *