ଫାଇନାଲ୍ରେ ଭାରତ

କନିଷ୍ଠ ଏସିଆ କପ୍ ହକି
ସଲାଲା (ଓମାନ୍), ୧ା୬ (ଏଜେନ୍ସି): ଭାରତୀୟ ହକି ଟିମ୍ ବୁଧବାର ଦକ୍ଷିଣ କୋରିଆକୁ ୯-୧ରେ ହରାଇ ପୁରୁଷ କନିଷ୍ଠ ଏସିଆ କପ୍ ଫାଇନାଲ୍ରେ ପ୍ରବେଶ କରିଛି । ଭାରତ ଫାଇନାଲ୍ରେ ମାଲେସିଆ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ୍ର ବିଜେତାକୁ ଭେଟିବ । ଧାମୀ ବବି ସିଂହ ହାଟ୍ରିକ୍ ଗୋଲ୍ ଦେବା ସହ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ପୁରସ୍କାର ଜିତିଛନ୍ତି ।
୧୩ତମ ମିନିଟ୍ରେ ଭାରତର ଗୋଲ୍ ଅଭିଯାନ ଆରମ୍ଭ କରିଥିଲେ ଓଡ଼ିଶାର ସୁନୀତ ଲାକ୍ରା । ପ୍ରଥମ କ୍ୱାର୍ଟର୍ ସୁଦ୍ଧା ଭାରତ ଗୋଟିଏ ଗୋଲ୍ରେ ଆଗରେ ରହିଥିଲା । ୧୯ତମ ମିନିଟ୍ରେ ହୁଣ୍ଡାଲ୍ ଅରାଇଜିତ ସିଂହ ଟିମ୍ର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ ।
ପାଶ୍ୱର୍ ପରିବର୍ତ୍ତନର ପ୍ରଥମ ମିନିଟ୍ରେ ଧାମୀ ଟିମ୍ ପକ୍ଷରୁ ତୃତୀୟ ଗୋଲ୍ ସ୍କୋର୍ କରିଥିଲେ । ଏହାପରେ ଅଙ୍ଗଦ ବୀର ସିଂହ ଓ ଉତ୍ତମ ସିଂହ ଯଥାକ୍ରମେ ୩୪ତମ ଓ ୩୮ତମ ମିନିଟ୍ରେ ଗୋଲ୍ ଦେଇଥିଲେ । ଏହାପରେ ଧାମୀ (୩୯ତମ ମିନିଟ୍) ଆଉ ଏକ ଗୋଲ୍ କରିବା ଫଳରେ ତୃତୀୟ କ୍ୱାର୍ଟର ସୁଦ୍ଧା ଭାରତୀୟ ଟିମ୍ ୬-୦ରେ ଅଗ୍ରଣୀ ରହିଥିଲା ।
ଅନ୍ତିମ କ୍ୱାର୍ଟର୍ର ପ୍ରଥମ ମିନିଟ୍ରେ ଦକ୍ଷିଣ କୋରିଆ ପକ୍ଷରୁ କିଓନିଓଲ୍ ହ୍ୱାଙ୍ଗ୍ (୪୬ତମ) ଏକ ସାନ୍ତ୍ୱନାମୂଳକ ଗୋଲ୍ ଦେଇଥିଲେ । ଏହା ଭାରତୀୟ ଟିମ୍ର ଆଧିପତ୍ୟକୁ ପ୍ରଭାବିତ କରିପାରି ନ ଥିଲା । ଏହାର ପାଞ୍ଚ ମିନିଟ୍ ପରେ ବିଷ୍ଣୁକାନ୍ତ ସିଂହ ଭାରତ ପକ୍ଷରୁ ସପ୍ତମ ଗୋଲ୍ କରିଥିଲେ ।
୫୫ତମ ମିନିଟ୍ରେ ଧାମୀ ହାଟ୍ରିକ୍ ପୂରଣ କରିଥିଲେ । ମ୍ୟାଚ୍ ଶେଷ ହେବାକୁ ତିନି ମିନିଟ୍ ବାକି ଥିବା ବେଳେ ଶାରଦା ନନ୍ଦ ତିୱାରୀ ଟିମ୍ ପକ୍ଷରୁ ଆଉ ଏକ ଗୋଲ୍ କରି ଭାରତକୁ ୯-୧ରେ ଜିତାଇଥିଲେ ।
ଏହା ପୂର୍ବରୁ ଭାରତୀୟ ଟିମ୍ ଥାଇଲାଣ୍ଡକୁ ୧୭-୦ରେ ହରାଇ ସେମିଫାଇନାଲ୍ରେ ପ୍ରବେଶ କରିଥିଲା । ଏଥିରେ ଟିମ୍ ପକ୍ଷରୁ ଅଙ୍ଗଦ ବୀର ସିଂହ (୧୩ତମ, ୩୩ତମ, ୪୭ତମ, ୫୫ତମ ମିନିଟ୍) ଚାରି ଗୋଲ୍ ସ୍କୋର୍ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *