ବିଜ୍ଞାନରେ ୮୪.୯୩%, ବାଣିଜ୍ୟରେ ୮୧.୧୨ ପାସ୍
ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ
ଭୁବନେଶ୍ୱର,୩୧ା୫(ବୁ୍ୟରୋ): ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ବୁଧବାର ପୂର୍ବାହ୍ନ ୧୦ଘ.୩୦ ମିନିଟ୍ ସମୟରେ ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆନୁଷ୍ଠାନିକ ଭାବେ ବାର୍ଷିକ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷାଫଳ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଦ୍ୱାରା ବୋର୍ଡ କାର୍ଯ୍ୟାଳୟଠାରେ ପ୍ରକାଶିତ ହୋଇଯାଇଛି । ଚଳିତ ବର୍ଷ ରାଜ୍ୟରେ ବିଜ୍ଞାନ ସ୍ରୋତରେ ୯୨ ହଜାର ୯୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ୭୮ ହଜାର ୯୩୮ କୃତକାର୍ଯ୍ୟ ହୋଇଛନ୍ତି । ଏହି ପରୀକ୍ଷାରେ ପାସହାର ୮୪.୯୩ ପ୍ରତିଶତ ରହିଛି । ବିଜ୍ଞାନ ସ୍ରୋତରେ ପ୍ରଥମ ଶ୍ରେଣୀରେ ୩୯ ହଜାର ୫୭୩ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୪ ହଜାର ୨୫୭, ତୃତୀୟ ଶ୍ରେଣୀରେ ୧୪ ହଜାର ୮୫୨ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ରାଜ୍ୟରେ ୯୦ ପ୍ରତିଶତରୁ ଊର୍ଦ୍ଧ ମାର୍କ ରଖି ୩୫୮ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ନୟାଗଡ଼ ଜିଲ୍ଲାରେ ପାସହାର ସର୍ବାଧିକ ୯୬.୪୧ ପ୍ରତିଶତ ହୋଇଛି ।
ସେହିପରି ଚଳିତବର୍ଷ ରାଜ୍ୟରେ ବାଣିଜ୍ୟ ପରୀକ୍ଷାରେ ୨୪ ହଜାର ୮୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୯ ଜହାର ୫୩୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏହି ପରୀକ୍ଷାରେ ପାସହାର ୮୧.୧୨ ପ୍ରତିଶତ ରହିଛି । ବାଣିଜ୍ୟ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ୭ ହଜାର ୪୧୦ ଜଣ, ଦ୍ୱିତୀୟ ଶ୍ରେଣୀରେ ୪ ହଜାର ୫୪୩ ଜଣ ଏବଂ ତୃତୀୟ ଶ୍ରେଣୀରେ ୭ ହଜାର ୪୯୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ରାଜ୍ୟରେ ନୟାଗଡ଼ ଜିଲ୍ଲାର ପାସହାର ୯୩.୯% ସର୍ବାଧିକ ହୋଇଛି । ରାଜ୍ୟରେ ୯୦ ପ୍ରତିଶତରୁ ଉଦ୍ଧ୍ୱର୍ ମାର୍କ ରଖି ୧୦୨ ଜଣ ବାଣିଜ୍ୟ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ରିଆଡିସନ୍ ଅଫ୍ ମାର୍କ ନିମନ୍ତେ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳ ବାହାରିବା ପରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜୁନ୍ ୮ ତାରିଖ ସୁଦ୍ଧା କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସିଏଚ୍ଏସ୍ସି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ସୂଚନା ଦେଇଛନ୍ତି ।
ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱଥୀ. ଏସ୍., ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ୱିନୀ କୁମାର ମିଶ୍ର, ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।