ଅଭିବୃଦ୍ଧି ହାର ୭ ପ୍ରତିଶତ ପାର୍
ନୂଆଦିଲ୍ଲୀ, ୩୧ା୫: ପୃଥିବୀ ବ୍ୟାପୀ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତୀୟ ଅର୍ଥବ୍ୟବସ୍ଥା ୨୦୨୨-୨୩ରେ ଚମକ୍ରାର ପ୍ରଦର୍ଶନ କରିଛି । ମାର୍ଚ୍ଚ ତ୍ରିମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୬.୧ ପ୍ରତିଶତ ଥିଲା । ୨୦୨୨-୨୩ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ହୋଇଥିବାବେଳେ ପ୍ରତି ବ୍ୟକ୍ତିଙ୍କ ଜିଡିପି ୧ଲକ୍ଷ ୯୬ ହଜାର ୯୮୩ ଟଙ୍କାକୁ ବୃଦ୍ଧି ପାଇଛି । ଉଲ୍ଲେଖଯୋଗ୍ୟ ଯେ ଭାରତ ଏବେ ପୃଥିବୀର ସବୁଠାରୁ ଦ୍ରୁତ ବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା । ୟୁରୋପରେ ମାନ୍ଦାବସ୍ଥା ଆରମ୍ଭ ହୋଇଯାଇଥିବା ବେଳେ ଭାରତରେ ସେପରି ସ୍ଥିତି ଉପୁଜିବ ନାହିଁ ବୋଲି ଅର୍ଥନୀତିଜ୍ଞମାନେ ମତ ଦେଇଛନ୍ତି ।
କେନ୍ଦ୍ର ସରକାର ଚତୁର୍ଥ ତ୍ରିମାସର ଜିଡିପି ବୁଧବାର ଜାରି କରିଛନ୍ତି । ସେଥିରେ କୁହାଯାଇଛି ଯେ ଚତୁର୍ଥ ତ୍ରିମାସରେ ଦେଶର ଜିଡିପି ୬.୧ପ୍ରତିଶତ ଥିଲା । ସମଗ୍ର ଆର୍ଥିକ ବର୍ଷ (୨୦୨୨-୨୩)ରେ ତାହା ୭.୨ ପ୍ରତିଶତ ରେକର୍ଡ କରାଯାଇଛି । ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କ୍ରିୟାନ୍ୱୟନ ମନ୍ତ୍ରଣାଳୟ ପକ୍ଷରୁ ଜିଡିପି ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କରାଯାଇଛି । ସେଥିରେ କୁହାଯାଇଛି ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଜିଡିପି ବୃଦ୍ଧି ହାର ୯.୧ ପ୍ରତିଶତ ରହିଥିଲା ।
ମାର୍ଚ୍ଚ ତ୍ରିମାସ ପୂର୍ବବର୍ତ୍ତୀ ଡିସେମ୍ବର ତ୍ରିମାସରେ ମୋଟ ଘରୋଇ ଉତ୍ପାଦର ଅଭିବୃଦ୍ଧି ହାର ଥିଲା ୪.୫ ପ୍ରତିଶତ । ଆଗାମୀ ମାସରେ ଆର୍ଥିକ ଅଭିବୃଦ୍ଧି ଦ୍ରୁତତର ହେବା ସମ୍ଭାବନା ରହିଛି ।
ଏହା ସହିତ ସରକାର ବିତ୍ତୀୟ ନିଅଣ୍ଟ ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କରିଛନ୍ତି । ସେଥିରେ କୁହାଯାଇଛି ଯେ, କେନ୍ଦ୍ର ସରକାରଙ୍କ ମୁତାବକ ଦେଶର ବିତ୍ତୀୟ ନିଅଣ୍ଟ ୨୦୨୩ରେ ୧୭.୩୩ ଲକ୍ଷ କୋଟି ଟଙ୍କାକୁ କମିଛି ଯାହାକି ଜିଡିପିର ୬.୪ ପ୍ରତିଶତ । ପୂର୍ବବର୍ତ୍ତୀ ଆର୍ଥିକ ବର୍ଷ ୨୦୨୨ରେ ଦେଶର ବିତ୍ତୀୟ ନିଅଣ୍ଟ ୬.୭ ପ୍ରତିଶତ ଥିଲା । କମ୍ପଟ୍ରୋଲର ଜେନେରାଲ୍ ଅଫ୍ ଆକାଉଣ୍ଟସ୍ (ସିଏଜି) ମେ ୩୧ରେ ଜାରି କରାଯାଇଥିବା ରିପୋର୍ଟରେ ଏହି ସୂଚନା ଦେଇଥିଲେ
ମାର୍ଚ୍ଚ ତ୍ରିମାସରେ ସବୁ କ୍ଷେତ୍ର (ସେକ୍ଟର)ରେ ବିଶେଷ ଅଭିବୃଦ୍ଧି ଘଟିଥିଲା । କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ଥିଲା ୫.୫ ପ୍ରତିଶତ । ସେହିପରି ଉତ୍ପାଦନ କ୍ଷେତ୍ରରେ ୪.୫ ପ୍ରତିଶତ ଓ ନିର୍ମାଣ କ୍ଷେତ୍ରରେ ୧୦.୪ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି ।
ଜିଡିପି ସାଧାରଣ ନାଗରିକଙ୍କୁ ପ୍ରତ୍ୟକ୍ଷରେ ପ୍ରଭାବିତ କରିଥାଏ । ଜିଡିପି ବଢିଲେ ସରକାରଙ୍କ ହାତକୁ ଅଧିକ ଅର୍ଥ ଆସିଥାଏ ଯାହାକୁ ଜନକଲ୍ୟାଣ ଯୋଜନାରେ ବ୍ୟୟ କରାଯାଏ । ଦେଶର ଜିଡିପି ବୃଦ୍ଧି ପାଇଲେ ବୁଝିବାକୁ ହେବ ଯେ ନାଗରିକଙ୍କ ଆୟ ପରିସର ବଢିଛି । ଅପରପକ୍ଷେ ଜିଡିପି କମିଲେ ସାଧାରଣ ଜନତାଙ୍କ ଆୟ କମିଥାଏ । ତା’ସହିତ କଞ୍ଜୁମର ଡିମାଣ୍ଡ ଓ ବ୍ୟାବସାୟିକ ଆୟ ହ୍ରାସ ପାଏ । ଏହାଦ୍ୱାରା ସରକାର ମଧ୍ୟ ପ୍ରଭାବିତ ହୋଇଥାନ୍ତି । ଟିକସ ଆୟ କମିଯାଏ, ସରକାରଙ୍କ ଋଣ ଭାର ବଢେ । ଫଳତଃ ଭିତ୍ତିଭୂମି କ୍ଷେତ୍ରରେ ସରକାର କମ୍ ଖର୍ଚ୍ଚ କରନ୍ତି । ସର୍ବୋପରି ଆୟ କମିଗଲେ ସରକାର ଟିକସ ବଢାଇବାକୁ ବାଧ୍ୟ ହୁଅନ୍ତି ।