ବିଶ୍ୱକପ୍ ଖେଳିବା ନେଇ ଗ୍ୟାରେଣ୍ଟି ଦେଉ ପାକିସ୍ତାନ

ଲାହୋରରେ ଆଇସିସି ଅଧିକାରୀ
ନୂଆଦିଲ୍ଲୀ, ୩୧ା୫ (ଏଜେନ୍ସି): ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ଖେଳିବା ପାଇଁ ପାକ୍ ଟିମ୍ ଭାରତ ଆସିବ କି ନାହିଁ, ସେଥିନେଇ ପାକିସ୍ତାନ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ପିସିବି)କୁ ଗ୍ୟାରେଣ୍ଟି ଦେବାକୁ ହେବ । ଏ ସଂକ୍ରାନ୍ତରେ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ସଭାପତି ଗ୍ରେଗ୍ ବାର୍କଲେ ଓ ସିଇଓ ଜେଓଫ୍ ଏଲାର୍ଡିସ୍ ଲାହୋରରେ ପହଞ୍ଚିଛନ୍ତି ।
ନିକଟରେ ପିସିବି ସଭାପତି ନଜମ ସେଠୀ କହିଥିଲେ ଯେ ଯଦି ଟିମ୍ ଇଣ୍ଡିଆ ଏସିଆ କପ୍ ପାଇଁ ପାକିସ୍ତାନ ଗସ୍ତ କରିବନି, ତା’ହେଲେ ପାକିସ୍ତାନ ମଧ୍ୟ ବିଶ୍ୱକପ୍ ପାଇଁ ଭାରତ ଯିବ ନାହିଁ ।
ବିଶ୍ୱକପ୍ ପୂର୍ବରୁ ସେପ୍ଟେମ୍ବରରେ ଏସିଆ କପ୍ ଆୟୋଜିତ ହେବ, ଯାହାର ଆୟୋଜନ ଅଧିକାର ପାକିସ୍ତାନ ପାଖରେ ରହିଛି । ଭାରତ ପୂର୍ବରୁହିଁ ସ୍ପଷ୍ଟ କରିସାରିଛି ଯେ ସେ ଏସିଆ କପ୍ ପାଇଁ ପାକିସ୍ତାନ ଗସ୍ତ କରିପାରିବନି । ଏପରିସ୍ଥଳେ ଏସିଆ କପ୍କୁ ନୁ୍ୟଟ୍ରାଲ୍ ଭେନୁ୍ୟରେ କରାଇବା ନେଇ କଥାବାର୍ତ୍ତା ଚାଲିଛି । ତେବେ ଏସୀୟ କ୍ରିକେଟ୍ ପରିଷଦ (ଏସିସି) ପକ୍ଷରୁ କୌଣସି ସ୍ପଷ୍ଟ ବିବୃତି ଆସି ନାହିଁ ।
ଏସିସି ସଦସ୍ୟ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ବୋର୍ଡର ଅଧିକାରୀ ଆଇପିଏଲ୍ ଫାଇନାଲ୍ ସମୟରେ ଅହମଦାବାଦରେ ଥିଲେ । ଏହି ସମୟରେ ପାକିସ୍ତାନର ହାଇବ୍ରିଡ୍ ମଡେଲ୍ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ପିସିବି ହାଇବ୍ରିଡ୍ ମଡେଲ୍ ଅନୁଯାୟୀ ଏସିଆ କପ୍ରେ ଭାରତର ସମସ୍ତ ମ୍ୟାଚ୍, ଏପରିକି ଭାରତ ଫାଇନାଲ୍କୁ ଯିବାସ୍ଥଳେ ଫାଇନାଲ୍ ମ୍ୟାଚ୍ ମଧ୍ୟ ନୁ୍ୟଟ୍ରାଲ୍ ଭେନୁ୍ୟରେ କରାଇବାକୁ ପ୍ରସ୍ତାବ ଦେଇଥିଲା ।
ପିସିବିର ହାଇବ୍ରିଡ୍ ମଡେଲ୍କୁ ଶ୍ରୀଲଙ୍କା ଓ ବାଂଲାଦେଶ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ଏହି ଦୁଇ ବୋର୍ଡ ଏସିଆ କପ୍କୁ ନୁ୍ୟଟ୍ରାଲ୍ ଭେନୁ୍ୟରେ କରାଇବା ନେଇ ବିସିସିଆଇର ପ୍ରସ୍ତାବକୁ ସମର୍ଥନ କରୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *