ବଙ୍ଗୋପସାଗରରେ ମୌସୁମୀ ପ୍ରବେଶ
ନୂଆଦିଲ୍ଲୀ, ୩୦ା୫: ମଙ୍ଗଳବାର ବଙ୍ଗୋପସାଗରରେ ମୌସୁମୀ ପ୍ରବେଶ କରିଛି । ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର୍କେ ଜେନାମଣି କହିଛନ୍ତି, ମୌସୁମୀ ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ସମ୍ପୂର୍ଣ୍ଣ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଆଣ୍ଡାମାନ ସାଗର ଓ ମଧ୍ୟ-ପୂର୍ବ ବଙ୍ଗୋପସାଗର ଅଭିମୁଖେ ଗତି କରୁଛି । ଦ୍ରୁତବେଗରେ ଅଗ୍ରଗତି କରୁଛି । ପବନର ଗତି ସହିତ ଅନ୍ୟାନ୍ୟ ପରିସ୍ଥିତି ଅନୁକୁଳ ଥିବାରୁ ଏହା ଦିନେ ଦୁଇଦିନ ଭିତରେ ବଙ୍ଗୋପସାଗରର ପୂର୍ବୋତ୍ତର ଇଲାକାରେ ପ୍ରବେଶ କରିବ ।
ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଉପରେ ପୂର୍ଣ୍ଣରୂପେ ଛାଇ ହୋଇଯାଇଛି । ସମଗ୍ର ଦ୍ୱୀପପୁଞ୍ଜ ଉପରେ ଘନ ବାଦଲ ଦେଖିବାକୁ ମିଳିଛି । ମଙ୍ଗଳବାର ଆଣ୍ଡାମାନର ସମୁଦ୍ରସୀମା ଓ ବଙ୍ଗୋପସାଗରର ପୂର୍ବ ଇଲାକାରେ ମୌସୁମୀ ପହଞ୍ଚô ଉତ୍ତର ଅଭିମୁଖେ ଗତି କରୁଛି । ଅନୁକୁଳ ସ୍ଥିତି ଯୋଗୁଁ ମାଳଦ୍ୱୀପ ଅଭିମୁଖେ ଗତି କରି ଏହା ଖୁବ୍ ଶୀଘ୍ର ସମଗ୍ର ବଙ୍ଗୋପସାଗରକୁ ଆଚ୍ଛାଦିତ କରିବ ।
ଆଇଏମ୍ଡି ଆସନ୍ତା ୫ ଦିନ ଭିତରେ କେରଳ, ଲକ୍ଷାଦ୍ୱୀପ ଘଡ଼ଘଡ଼ି ଓ ବିଜୁଳି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଦକ୍ଷିଣ କର୍ଣ୍ଣାଟକ, ତାମିଲନାଡ଼ୁ ଓ ଆନ୍ଧ୍ର ପ୍ରଦେଶରେ କାଁ ଭାଁ ବୃଷ୍ଟି ହେବାର ସମ୍ଭାବନା ରହିଛି । ତଟୀୟ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର କେତେକ ସ୍ଥାନରେ ବର୍ଷା ହୋଇଛି । ସେହିପରି ଆସନ୍ତା ୪ ଦିନ ଭିତରେ ଉତ୍ତର-ପଶ୍ଚିମ ଭାରତରେ କାଳବୈଶାଖୀ ବର୍ଷା ଆଶଙ୍କା ରହିଛି ।
ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ଏକ ବିଶେଷ ସ୍ଥିତିରେ ହେଉଥିବା ବର୍ଷାକୁ ମୌସୁମୀ କୁହାଯାଇଥାଏ । ମୌସୁମୀ ବର୍ଷା ଉପରେ ଭାରତର କୃଷି ତଥା ଅର୍ଥବ୍ୟବସ୍ଥା ବିଶେଷ ରୂପେ ନିର୍ଭର କରିଥାଏ । ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି ।