୧୨ ବର୍ଷରେ ୧୭ ଲକ୍ଷ ମାମଲା

ଭୁବନେଶ୍ୱର,୨୯ା୫(ତଥ୍ୟ): ରାଜ୍ୟ ସରକାର ନିଜ ମାମଲା ନୀତିକୁ ନିଜେ ଠିକଣା ଭାବେ ପାଳନ କରିପାରୁ ନଥିବାରୁ ଓଡିଶାରେ ମାମଲା ସଂଖ୍ୟା ହୁ ହୁ ହୋଇ ବଢୁଛି । ମାମଲା ସଂଖ୍ୟା ହ୍ରାସ କରିବା ସହିତ ସାଧାରଣ ଲୋକଙ୍କୁ କୋର୍ଟ କଚେରୀର ବୋଝରୁ ନିସ୍ତାର ଦେବା ଏବଂ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକର ତ୍ୱରିତ ଫଏସଲାକୁ ଆଖିଆଗରେ ରଖି ୨୦୧୧ ମସିହାରେ ଅର୍ଥ କମିଶନଙ୍କ ସୁପାରିଶ୍‌କ୍ରମେ ରାଜ୍ୟ ସରକାର ଓଡିଶା ରାଜ୍ୟ ମାମଲା ନୀତି ପ୍ରଣୟନ କରିଥିଲେ ।
ରାଜ୍ୟ ମାମଲା ନୀତି ପ୍ରଣୟନ ହେଲା ବେଳକୁ ଓଡିଶାରେ ମାମଲାର ବୋଝ ପ୍ରାୟ ୧୦ଲକ୍ଷ ଥିବାବେଳେ ନୀତି ପ୍ରଣୟନର ୧୨ବର୍ଷ ମଧ୍ୟରେ ମାମଲା ସଂଖ୍ୟା କିନ୍ତୁ କମିବା ପରିବର୍ତ୍ତେ ବଢି ବଢି ୧୭ଲକ୍ଷକୁ ଟପିଲାଣି । ମାମଲା ନୀତିର ଅନ୍ୟତମ ଉଦେ୍ଦଶ୍ୟ ଥିଲା ୫ବର୍ଷର ପୁରୁଣା ସମସ୍ତ ମାମଲାକୁ ସଫା କରିବା । ତେବେ ୫ବର୍ଷ ତ ଦୂରରକଥା ୧୦/୨୦ ବର୍ଷରୁ ଉଦ୍ଧ୍ୱର୍ ସମୟର ଲକ୍ଷାଧିକ ମାମଲା ଆଇନ୍‌ ଅଦାଲତଗୁଡିକରେ ଗଡୁଛି ।
ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ବିଚାର ପ୍ରତୀକ୍ଷାରେ ଥିବା ୧୭ ଲକ୍ଷରୁ ଉଦ୍ଧ୍ୱର୍ ମାମଲାରୁ କେବଳ ଫୌଜଦାରୀ ମାମଲା ସଂଖ୍ୟା ହେଉଛି ୧୨ଲକ୍ଷରୁ ବେଶି । ଏଥି ସହ ଫୌଜଦାରୀ ମାମଲାଗୁଡିକରେ ଦଣ୍ଡ ବିଧାନ ହାର ଅତ୍ୟନ୍ତ ନୈରାଶ୍ୟଜନକ ରହିବା ସହିତ ମାମଲା ଫଏସଲାରେ ବିଳମ୍ବ ଘଟୁଥିବାରୁ ଅପରାଧିମାନେ ସାକ୍ଷ୍ୟ ପ୍ରମାଣ ନଷ୍ଟ କରିବା ସହ ଅତି ସହଜରେ ଦୋଷମୁକ୍ତ ହୋଇଯାଉଛନ୍ତି ବୋଲି ବରିଷ୍ଠ ଆଇନ୍‌ଜୀବୀମାନେ କହୁଛନ୍ତି ।
ଥାନା, ଫାଣ୍ଡି ଠାରୁ ଆରମ୍ଭ କରି କ୍ଷେତ୍ର ଦପ୍ତର ଏମିତିକି ରାଜ୍ୟ ସଚିବାଳୟରେ ଛୋଟ ଛୋଟ ସମସ୍ୟାଗୁଡିକର ସମାଧାନ ପାଇଁ ଲୋକେ ଯେତେ ଅଭିଯୋଗ କରୁଛନ୍ତି ସେଗୁଡିକ ମଧ୍ୟରୁ ଅଧିକାଂଶ ଫଏସଲା ନହୋଇ ବର୍ଷ ବର୍ଷ ଧରି ପ୍ରଶାସନିକ ସ୍ତରରେ ଗଡିବା ଫଳରେ ନ୍ୟାୟପାଇଁ ଲୋକେ ବାଧ୍ୟହୋଇ କୋର୍ଟ କଚେରୀ ଯାଉଛନ୍ତି । ଏମିତିକି ଆଉ କେତେକ ନିରାଶ ହୋଇ ଆତ୍ମହତ୍ୟା ଓ ହତ୍ୟାକାଣ୍ଡ ଭଳି ଚରମ ପଦକ୍ଷେପ ନେଉଥିବାର ମାଳ ମାଳ ନଜିର ମଧ୍ୟ ରହିଛି ।
ସରକାରୀ କର୍ମଚାରୀ, ଚାକିରି ପ୍ରତ୍ୟାଶୀ ଓ ପେନ୍‌ସନଭୋଗୀଙ୍କ ସମସ୍ୟାର ସମାଧାନ ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣରେ ହୋଇପାରୁଥିଲା । ତେବେ କେନ୍ଦ୍ର ସରକାର ରାଜ୍ୟର ପ୍ରସ୍ତାବ ଉପରେ ମୋହର ବସାଇ ଏହି ନ୍ୟାୟାଧିକରଣ ଉଚ୍ଛେଦ କରିବାପରେ ହାଇକୋର୍ଟରେ ଚାକିରି ଓ ପେନ୍‌ସନ ସଂକ୍ରାନ୍ତୀୟ ମାମଲାର ବୋଝ ଢେର ବଢିଯାଇଛି । ମାମଲାନୀତିରେ କୁହାଯାଇଛି ଯେ ଯେଉଁ ପ୍ରସଙ୍ଗରେ ଆଇନ୍‌ ଅଦାଲତ ନିର୍ଦ୍ଦିଷ୍ଟ ମାମଲାରେ ନୀତିଗତ ନିଷ୍ପତ୍ତି ନେଉଛନ୍ତି ସମାନ ସମସ୍ୟା ଥିବା ଅନ୍ୟ କ୍ଷେତ୍ରରେ ସରକାରୀ ଦପ୍ତର ତାହାର ଅନୁପାଳନ କଲେ ଅଯଥାରେ ମାମଲା ବଢିବ ନାହିଁ । କିନ୍ତୁ ନିଜେ ରାଜ୍ୟ ସରକାର ବହୁ କ୍ଷେତ୍ରରେ ମାମଲା ନୀତିର ଏହି ଘୋଷଣାକୁ କାର୍ଯ୍ୟକାରୀ କରୁନଥିବାରୁ କେଉଁଠି ଆବେଦନ କରିବାର ୧୦/୧୨ ବର୍ଷ ପରେ ଚାକିରି ମିଳୁନାହିଁ ତ ଆଉ କେଉଁଠି ଅବସରଗ୍ରହଣ କରିବାର ୧୫/୨୦ବର୍ଷ ପର୍ଯ୍ୟନ୍ତ ପେନ୍‌ସନ ଗଣ୍ଡାକ ପାଇଁ ଅପେକ୍ଷା କରିବାକୁ ପଡୁଛି । ରାଜ୍ୟ ମାମଲା ନୀତିରେ ରାଜ୍ୟ ଓ ଜିଲ୍ଲା ସ୍ତରରେ କମିଟି ଗଠନ କରାଯାଇ ନିୟମିତ ବ୍ୟବଧାନରେ ସମୀକ୍ଷା କରିବାଲାଗି କୁହାଯାଇଥିବାବେଳେ ବର୍ଷ ବର୍ଷ ଧରି ଏହି ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ବୈଠକ ବସୁନାହିଁ । ଅଥଚ ପାଣି ପରି ଟଙ୍କା ଖର୍ଚ୍ଚ କରି ଓ ବିପୁଳ ସମୟ ବରବାଦ କରି ସରକାରୀକଳ କୋର୍ଟ କଚେରୀ ମାମଲାରେ ଅଯଥାରେ ଛନ୍ଦିହୋଇ ରହୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *