ପଦକ ବିସର୍ଜନ ରୋକିଲେ ଟିକାୟତ
ହରିଦ୍ୱାର, ୩୦ା୫: କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବୃଜଭୂଷଣ ଶରଣସିଂହଙ୍କ ବିରୋଧରେ ଧାରଣା ଦେଇ ଆସିଥିବା ଅଲିମ୍ପିକ୍ ପଦକ ବିଜେତା କୁସ୍ତିଯୋଦ୍ଧାମାନେ ନ୍ୟାୟ ନ ମିଳିବା ପ୍ରତିବାଦରେ ମଙ୍ଗଳବାର ହରିଦ୍ୱାରଠାରେ ଗଙ୍ଗାରେ ପଦକ ବିସର୍ଜନ ଘୋଷଣା କରିଥିଲେ । ବଜରଙ୍ଗ ପୁନିୟା, ବିନେଶ ଫୋଗାଟ ଓ ସାକ୍ଷୀ ମଲିକ ସୋସାଲ ମିଡିଆରେ ଏ ବିଷୟ ଘୋଷଣା କରିଥିଲେ । ପଦକ ବିସର୍ଜନ ପୂର୍ବରୁ ଭାରତୀୟ କିଷାନ ୟୁନିୟନ ଅଧ୍ୟକ୍ଷ ନରେଶ ଟିକାୟତ ସେଠାରେ ପହଞ୍ଚô କୁସ୍ତିଯୋଦ୍ଧାମାନଙ୍କୁ ରୋକିବା ସହ ସେମାନଙ୍କ ଠାରୁ ପଦକ ଓ ପ୍ରଶସ୍ତିପତ୍ର ସଂଗ୍ରହ କରିନେଇଛନ୍ତି । ପଦକ ଓ ପ୍ରଶସ୍ତିପତ୍ରଗୁଡ଼ିକୁ ସେ ରାଷ୍ଟ୍ରପତିଙ୍କୁ ଫେରାଇବେ ବୋଲି କହିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କୁ ପାଞ୍ଚ ଦିନ ଅଲ୍ଟିମେଟମ୍ ଦେଇଛନ୍ତି ।
ଟିକାୟତ ପହଂଚିବା ପୂର୍ବରୁ ସାକ୍ଷୀ ମଲିକ, ପୁନିଆ ଓ ଫୋଗାଟ ପ୍ରାୟ ଘଣ୍ଟାଏ କାଳ ଗଙ୍ଗା କୂଳ ଠାରୁ ୫୦ ମିଟର ଦୂରରେ ବସି କାନ୍ଦିଥିଲେ । ଅପରପକ୍ଷେ ପଦକ ବିସର୍ଜନ ନିଷ୍ପତ୍ତି ବିରୋଧରେ ଗଙ୍ଗା ସମିତି ସ୍ୱର ଉଠାଇଥିଲେ । ସେମାନଙ୍କ ମତରେ ହରିଦ୍ୱାର ପୂଜା ପାଠର ସ୍ଥାନ, ସେଠାରେ ରାଜନୀତି ଚଳିବ ନାହିଁ । ପଦକ ଖେଳର ଅସ୍ଥି ନୁହେଁ, ଖେଳ ଅମର ।
ଉଲ୍ଲେଖଯୋଗ୍ୟ, ବୃଜଭୂଷଣଙ୍କ ଗିରଫ ଦାବିରେ ଦିଲ୍ଲୀ ଜନ୍ତର-ମନ୍ତର ଠାରେ ଧାରଣା ଦେଇଥିଲେ । ରବିବାର ପୁଲିସ୍ ସହ ସଂଘର୍ଷ ପରେ ସେମାନେ ଜନ୍ତର-ମନ୍ତରରୁ ଫେରି ଆସିଥିଲେ । ଗଙ୍ଗାରେ ପଦକ ବିସର୍ଜନ ପରେ ସେମାନେ ଇଣ୍ଡିଆ ଗେଟ୍ରେ ଧାରଣା ଦେବେ ବୋଲି ଘୋଷଣା କରିଥିଲେ । ଦିଲ୍ଲୀ ପୁଲିସ୍ କିନ୍ତୁ ଇଣ୍ଡିଆ ଗେଟ୍ ବିକ୍ଷୋଭ ସ୍ଥଳ ନୁହେଁ ବୋଲି କହି ସେମାନଙ୍କୁ ରୋକିବ ବୋଲି ଘୋଷଣା କରିଛି ।
ସୋସାଲ ମିଡିଆରେ ସାକ୍ଷୀ ମଲ୍ଲିକ ଲେଖିଛନ୍ତି, ମେଡାଲଗୁଡ଼ିକୁ ଆମେ ରାଷ୍ଟ୍ରପତି ବା ପ୍ରଧାନମନ୍ତ୍ରୀଙ୍କୁ ଫେରାଇବୁ ନାହିଁ ବୋଲି ନିଷ୍ପତ୍ତି ନେଇଛୁ ।