ଆପ୍କୁ ସମର୍ଥନ କରିବନି କଂଗ୍ରେସ

ବିରୋଧୀ ଏକତାକୁ ଝଟ୍କା
ପାଟନା, ୩୦ା୫: ବିରୋଧୀ ଦଳମାନଙ୍କ ମଧ୍ୟରେ ଏକତା ସୃଷ୍ଟି ହେବା ପୂର୍ବରୁ ବିଭ୍ରାଟ ଉପୁଜିଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଏକତା ପ୍ରୟାସ ଫ୍ଲପ୍ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି । ପଶ୍ଚିମବଙ୍ଗରେ ଏକମାତ୍ର କଂଗ୍ରେସ ବିଧାୟକଙ୍କୁ ଟିଏମସିରେ ଗ୍ରହଣ କରାଯିବା ଯୋଗୁ କଂଗ୍ରେସ ହାଇକମାଣ୍ଡ କ୍ଷୁବ୍ଧ ହୋଇ ଦିଲ୍ଲୀ ଅଧ୍ୟାଦେଶ ବିରୋଧରେ ସଂସଦରେ ଦଳ ଭୋଟ୍ ଦେବ ନାହିଁ ଅର୍ଥାତ୍ ଆମ୍ ଆଦ୍ମୀ ପାର୍ଟିକୁ ସମର୍ଥନ କରିବ ନାହିଁ ବୋଲି ଘୋଷଣା କରିଛି । ଉଲ୍ଲେଖଯୋଗ୍ୟ, ନୀତୀଶ କୁମାରଙ୍କ ଉଦ୍ୟମ କ୍ରମେ ଜୁନ୍ ୧୨ ତାରିଖ ଦିନ ପାଟନା ଠାରେ ସବୁ ବିରୋଧୀ ଦଳଙ୍କ ମହା ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।
ମମତା ବାନାର୍ଜୀ କଂଗ୍ରେସର ନିକଟତର ହେବେ ବୋଲି ନୀତୀଶ କୁମାରଙ୍କ ଭରସା ଦେଇଥିଲେ । କିନ୍ତୁ ପଶ୍ଚିମବଙ୍ଗର ସାଗରଦିଘୀ ବିଧାନସଭାରୁ ନିର୍ବାଚିତ ହୋଇଥିବା ରାଜ୍ୟର ଏକମାତ୍ର କଂଗ୍ରେସ ବିଧାୟକଙ୍କୁ ଟିଏମ୍ସିରେ ସାମିଲ କରାଯିବା ପର ଠାରୁ ନୀତୀଶଙ୍କ ଏକତା ମିଶନ ବସ୍ତୁତଃ ବିଫଳ ହେବାକୁ ଯାଉଛି । ଅନ୍ୟ ବିରୋଧୀ ଦଳମାନଙ୍କ ଠାରୁ ଭିନ୍ନ ରାସ୍ତାରେ ଯାଉଥିବା ଆମ୍ ଆଦ୍ମୀ ପାର୍ଟିକୁ କେନ୍ଦ୍ର ସରକାରଙ୍କ ସେବା ଅଧ୍ୟାଦେଶରେ ଝଟ୍କା ଲାଗିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ବିରୋଧୀ ଏକତା କଥା ମନେପଡ଼ିଲା । ସେ ଏନ୍ସିପି ନେତା
ଶରଦ ପାୱାର, ଶିବସେନା (ଠାକ୍ରେ ଗୋଷ୍ଠୀ) ନେତା ଉଦ୍ଧବ ଠାକରେ ଓ ଟିଏମ୍ସି ନେତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ । ଇତିମଧ୍ୟରେ କଂଗ୍ରେସ ସ୍ପଷ୍ଟ କରିଦେଇଛି ଯେ କୌଣସି ପରିସ୍ଥିତିରେ କେଜ୍ରିୱାଲଙ୍କ ସହ ଦଳ ଛିଡ଼ାହେବ ନାହିଁ । ଖାଲି ଏତିକି ନୁହେଁ, ଆପ୍କୁ ବିଜେପିର ‘ବି’ ଟିମ୍ କହିଛି କଂଗ୍ରେସ । ପୂର୍ବରୁ କଂଗ୍ରେସ ନେତା ଅଜୟ ମାକନ ଓ ସନ୍ଦୀପ ଦୀକ୍ଷିତ ହାଇକମାଣ୍ଡଙ୍କୁ ବିରୋଧୀ ଏକତା ମୋହରେ ଫସି ଆପ୍କୁ ସମର୍ଥନ ନ ଦେବା ପାଇଁ ପରାମର୍ଶ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *