ପୁଣି ଆଇପିଏଲ୍ ଖେଳିବେ ଧୋନି

‘ପରବର୍ତ୍ତୀ ଆଇପିଏଲ୍ ପ୍ରଶଂସକଙ୍କ ପାଇଁ ଉତ୍ସର୍ଗୀକୃତ’
ଅହମ୍ମଦାବାଦ,୩୦ା୫ (ଏଜେନ୍ସି): ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର୍କିଙ୍ଗସ୍ ପାଞ୍ଚ ଥର ପାଇଁ ଆଇପିଏଲ୍ ଟାଇଟଲ୍ ଜିତିପାରିଛି । ଏହି ବିଜୟ ପରେ ୪୧ ବର୍ଷୀୟ ଧୋନି ସନ୍ନ୍ୟାସ ନେବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି । ସେ କହିଛନ୍ତି ଯେ, ଚେନ୍ନାଇ ପ୍ରଶଂସକମାନେ ମୋତେ ଯେତିକି ଭଲ ପାଇବା ଦେଇଛନ୍ତି, ସେମାନଙ୍କ ପାଇଁ ଆଗାମୀ ସିଜନ୍ ଖେଳିବା ଏକ ଉପହାର ସଦୃଶ ।
ଫାଇନାଲରେ ହାରିବା ପରେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଧୋନିଙ୍କ ସମ୍ବନ୍ଧରେ କହିଥିଲେ ଯେ, ‘ମୁଁ ତାଙ୍କ ପାଇଁ ଅତ୍ୟନ୍ତ ଖୁସି ଅଛି, ତାଙ୍କ ପାଇଁ ଭାଗ୍ୟ ଏପରି ଲେଖିଥିଲା ।’
ଅନ୍ୟପକ୍ଷେ ଟ୍ରଫି ଜିତିବା ପରେ ସୋମବାର ବିଳମ୍ବିତ ରାତିରେ ଧୋନି କହିଥିଲେ ଯେ, ଯଦି ସୁଯୋଗ ଦେଖାଯାଏ ତାହେଲେ ସନ୍ୟାସ ଘୋଷଣା ପାଇଁ ଏହା ହିଁ ପ୍ରକୃତ ସମୟ । ମୋ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ସନ୍ନ୍ୟାସ ନେବା ସହଜ ହେବ । ୯ ମାସ କଠିନ ପରିଶ୍ରମ କରି ଆଉ ଏକ ସିଜନ୍ ଖେଳିବା କଷ୍ଟକର ବ୍ୟାପାର । ଏହା ମୋ ପକ୍ଷରୁ ଏକ ଉପହାର ହେବାକୁ ଥିବାବେଳେ ଶରୀର ପାଇଁ ସହଜ ନୁହେଁ ।
ଟ୍ରଫି ଜିତିବା ପରେ କମେଣ୍ଟେଟର ହର୍ଷା ଭୋଗଲେ ଧୋନିଙ୍କୁ ପଚାରିଥିଲେ- କ’ଣ ଏହା ଆପଣଙ୍କର ଶେଷ ସିଜନ୍ ଥିଲା? ଉତ୍ତରରେ ଧୋନି କହିଥିଲେ- ଫିଟ୍ନେସ୍ ଠିକ୍ ରଖିବାକୁ ପଡୁଛି ।
ଗତବର୍ଷ ଡେବୁ୍ୟ ସିଜନ୍ରେ ଗୁଜରାଟକୁ ଟାଇଟଲ୍ ଦେଇଥିବା ହାର୍ଦ୍ଦିକ ଫାଇନାଲ୍ରେ ହାରିବା ପରେ କହିଥିଲେ, “ଯଦି ମୋତେ ହାରିବାକୁ ପଡ଼େ ତାହେଲେ ତାଙ୍କ ଠାରୁ ହାରିବାରେ କୌଣସି ଅସୁବିଧା ନାହିଁ । ଭଲ ଲୋକଙ୍କ ସହ ଭଲ ଜିନିଷ ହୁଏ ଆଉ ସେ ସବୁଠୁ ଭଲ ଲୋକଙ୍କ ମଧ୍ୟରୁ ଜଣେ । ଭଗବାନଙ୍କର ମୋ ଉପରେ ଆଶୀର୍ବାଦ ଥିଲା, କିନ୍ତୁ ଆଜି ରାତି ତାଙ୍କର ଥିଲା ।” ସେହିଭଳି ଜିତିବା ପରେ ରବିନ୍ଦ୍ର ଜାଡେଜା ଟ୍ୱିଟ୍ କରିଥିଲେ, “ଏହା କେବଳ ଆଉ କେବଳ ଏମ୍ଏସ୍ ଧୋନିଙ୍କ ପାଇଁ ସମ୍ଭବ ହୋଇଛି । ମାହୀ ଭାଇ ଆପଣଙ୍କ ପାଇଁ ସବୁକିଛି ।” ଜାଡେଜା ଏବଂ ତାଙ୍କ ପତ୍ନୀ ରିବାବାଙ୍କ ସହ ଧୋନି ଥିବାର ଏକ ଫଟୋ ମଧ୍ୟ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ସମସ୍ତେ ଟ୍ରଫି ସହ ଦେଖିବାକୁ ମିଳିଛନ୍ତି । ଆଇପିଏଲ୍-୨୦୨୩ର ଫାଇନାଲ୍ ମ୍ୟାଚ୍ ଖୁବ୍ ରୋମାଞ୍ଚକର ହୋଇଥିବାବେଳେ ଚେନ୍ନାଇର ଏହି ବିଜୟ ସହ ଲିଗ୍ରେ ସବୁଠୁ ଅଧିକ ଟ୍ରଫି ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସର ସମକକ୍ଷ ହୋଇପାରିଛି । ଏଥିସହ ଧୋନି ବିଶ୍ୱ ରେକର୍ଡରେ ସ୍ଥାନ ପାଇପାରିଛନ୍ତି । ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପରକିଙ୍ଗସ୍ ପାଞ୍ଚ ଥର ଆଇପିଏଲ୍ ଟାଇଟଲ୍ ଜିତିପାରିଛି । ଏଥିସହ ସେ ଟି-୨୦ ଫର୍ମାଟ୍ର ସବୁଠୁ ସଫଳ ଅଧିନାୟକ ହୋଇଛନ୍ତି । ଧୋନିଙ୍କ ବ୍ୟତୀତ ଏହି ସଫଳତା ପାଇବାରେ ଆଉ କୌଣସି ଅଧିନାୟକ ନାହାନ୍ତି । କାରଣ ଧୋନି ନିଜ ଅଧିନାୟକତ୍ୱରେ ୯ଟି ଟି-୨୦ ଟ୍ରଫି ଜିତିଥିବାବେଳେ ତା’ମଧ୍ୟରୁ ଆଇପିଏଲ୍, ଟି-୨୦ ବିଶ୍ୱକପ୍, ଏସିଆ କପ୍ ଏବଂ ଚାମ୍ପିଅନ୍ସ ଲିଗ୍ ସାମିଲ୍ ଅଛି ।
ଧୋନି ୫ ଥର ଆଇପିଏଲ୍ ଟାଇଟଲ୍, ଦୁଇ ଥର ଚାମ୍ପିଅନ୍ସ ଲିଗ୍, ଥରେ ଟି-୨୦ ବିଶ୍ୱକପ୍ ଓ ଥରେ ଏସିଆ କପ୍ ହାତେଇଛନ୍ତି । ଧୋନିଙ୍କ ପରେ ରୋହିତ୍ ଶର୍ମା ଦ୍ୱିତୀୟ ସ୍ଥାନରେ ଥିବାବେଳେ ସେ ୭ ଥର ଟି-୨୦ର ଅଧିନାୟକ ହେବା ସହ ଟ୍ରଫି ଜିତିଛନ୍ତି । ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ଟ୍ରଫି ଜିତିବା ସହ ଆଉ ଏକ ବଡ଼ ରେକର୍ଡ ହାତେଇଛି । ଧୋନି ଆଇପିଏଲ୍ରେ ୫ଟି ଟ୍ରଫି ଜିତିଥିବା ଦ୍ୱିତୀୟ ଅଧିନାୟକ ସାବ୍ୟସ୍ତ ହୋଇଛନ୍ତି । ଏହି ପ୍ରସଙ୍ଗରେ ସେ ରୋହିତ୍ ଶର୍ମାଙ୍କ ସମକକ୍ଷ ହୋଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *