୨ଠ ଦିନର ଝିଅକୁ ବିଷ ଇଞ୍ଜେକ୍ସନ୍ ଦେଲା ବାପା

ନୀଳଗିରି, ୨୯ା୫(ଆପ୍ର): ମାତ୍ର ୨୦ ଦିନର କନ୍ୟା ସନ୍ତାନକୁ ବିଷ ଇଞ୍ଜେକ୍ସନ୍ ଦେଇ ଜୀବନରୁ ମାରି ଦେବାରୁ ଉଦ୍ୟମ କରୁଥିବା ଜହ୍ଲାଦ ବାପାକୁ ନୀଳଗିରି ପୁଲିସ ଅଟକ ରଖିଛି । ଅତି ଗୁରୁତର ଅବସ୍ଥାରେ ଶିଶୁଟି ବାଲେଶ୍ୱର ଡାକ୍ତଖାନାରେ ମୃତୁ୍ୟ ସହ ସଂଗ୍ରାମ କରୁଛି ।
ସୂଚନା ଅନୁସାରେ, ନୀଳଗିରି ଥାନା ଅନ୍ତର୍ଗତ ସିଙ୍ଗିରୀ ଗ୍ରାମର ଭାଗିରଥି ସିଂହଙ୍କ ଝିଅ ତନ୍ମୟୀ ବାଲେଶ୍ୱର ସ୍ଥିତ ମଲ୍ଲିକାସପୁରର ଚନ୍ଦନ ଜେନାକୁ ବାହା ହୋଇଥିଲେ । ୨୦ ଦିନ ତଳେ ସେମାନଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ତନ୍ମୟୀ ଅସୁସ୍ଥ ଥିବାରୁ ତାଙ୍କୁ ବାପା ଭାଗିରଥି ନିଜ ଘରକୁ ନେଇ ଆସିଥିଲେ । ଜ୍ୱାଇଁ ଚନ୍ଦନ ମଧ୍ୟ ଶ୍ୱଶୁର ଘରକୁ ଯାଆସ କରୁଥିଲା । ମଙ୍ଗଳବାର ନାତୁଣୀର ଏକୋଇଶିଆ ପାଇଁ ଅଜା ଘର ଲୋକେ ସଜବାଜ ହେଉଥିଲା ବେଳେ ଜହ୍ଲାଦ ବାପା ମଧ୍ୟ ଆସିଥିଲା । ସୋମବାର ସକାଳେ ଘରେ କେହି ନ ଥିବା ତଥା ସ୍ତ୍ରୀ ତନ୍ମୟୀ ବାହାରେ ଗାଧୋଉଥିବା ସୁଯୋଗ ନେଇ ଶୋଇ ରହିଥିବା ନିଷ୍ପାପ ଶିଶୁକନ୍ୟା ଦେହରେ ବିଷ ଇଞ୍ଜେକ୍ସନ୍ ଫୋଡ଼ି ଦେଇଥିଲା ଚନ୍ଦନ । ଶିଶୁଟି ଜୋର୍ରେ କାନ୍ଦି ଉଠିବାରୁ ତନ୍ମୟୀ ଧାଇଁଆସି ଦେଖିଲେ ପାଖରେ ଇଞ୍ଜେକ୍ସନ୍ ସିରିଞ୍ଜ ପଡିଛି । ସିରିଞ୍ଜ୍ରେ ନୀଳ ରଙ୍ଗର କିଛି ତରଳ ଦ୍ରବ୍ୟ ଲାଗିଥିଲା ।
ଶିଶୁକନ୍ୟାର ଅଜା ନୀଳଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ବାପାକୁ ଅଟକ ରଖି ତଦନ୍ତ ଜାରି ରଖିଛି । ପୁଲିସ୍ ଆଗରେ ଚନ୍ଦନ ଦୋଷ ମାନିଛି ବୋଲି ଏସ୍ପି ସାଗରିକା ନାଥ ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *