ଗରିବଙ୍କ ପାଇଁ ମୋ ଘର
୧୮ ପ୍ରସ୍ତାବରେ କ୍ୟାବିନେଟ୍ ମୋହର
ଭୁବନେଶ୍ୱର,୨୯ା୫(ବୁ୍ୟରୋ): ରାଜ୍ୟରେ ‘ମୋ ଘର’ ନୂଆ ଯୋଜନା ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନା ଅଧୀନରେ ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କୁ ଘର ତିଆରି ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ଯୋଜନା କାର୍ଯ୍ୟକାରୀ ହେଲେ ବର୍ତ୍ତମାନର ଗୃହ ନିର୍ମାଣ ଯୋଜନାର କଠୋର ଚୟନ ମାନଦଣ୍ଡରେ ବାଦ୍ ପଡିଥିବା ପରିବାର ଉପକୃତ ହେବେ । ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ।
ସୋମବାର ରାଜ୍ୟ କ୍ୟାବିନେଟ୍ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପରେ ଏ ସମ୍ପର୍କରେ ସୂଚନା ଦେଇ ପଞ୍ଚୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଏବଂ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି,
‘ମୋ ଘର’ ଯୋଜନାରେ ଘର ପାଇଁ ସବ୍ସିଡି ଋଣ ଯୋଗାଇ ଦିଆଯିବ । ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇପାରିବେ । ପ୍ରଥମ ବର୍ଷର ରିହାତି ଅବଧିକୁ ବାବଦ ଦେଇ ପରବର୍ତ୍ତୀ ୧୦ ବର୍ଷ ମଧ୍ୟରେ ସେମାନଙ୍କୁ ଋଣ ପରିଶୋଧ କରିବାକୁ ପଡ଼ିବ । ଏହି ଯୋଜନାରେ ୩୦ ହଜାରରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ବ୍ୟବସ୍ଥା ରହିଛି । ୧ ଲକ୍ଷ ପର୍ଯ୍ୟନ୍ତ ଋଣରେ ସାଧାରଣ ବର୍ଗଙ୍କୁ ୩୦ ହଜାର ଏବଂ ଅନ୍ୟମାନଙ୍କୁ ୪୦ ହଜାର ଟଙ୍କା ସବ୍ସିଡି ମିଳିବ । ୧.୫ ଲକ୍ଷ ଋଣରେ ସାଧାରଣ ବର୍ଗଙ୍କୁ ୪୫ ହଜାର ଏବଂ ଅନ୍ୟମାନଙ୍କୁ ୫୫ ହଜାର ସବ୍ସିଡି ଦିଆଯିବ । ୨ ଏବଂ ୩ ଲକ୍ଷ ଟଙ୍କା ଋଣରେ ସାଧାରଣ ବର୍ଗଙ୍କୁ ୬୦ ହଜାର ଏବଂ ଅନ୍ୟମାନଙ୍କୁ ୭୦ ହଜାର ଟଙ୍କା ସବ୍ସିଡି ମିଳିବ ।
‘ମୋ ଘର’ ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟତାର ମାନଦଣ୍ଡ ହେଉଛି: (୧) ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରୀ ଥିବା କଂକ୍ରିଟ୍ ଛାତ ଘରେ ବାସ କରୁଥିବେ, (୨) ସରକାରଙ୍କଠାରୁ କୌଣସି ଗୃହ ନିର୍ମାଣ ଯୋଜନାରେ ସହାୟତା ପାଇ ନ ଥିବେ ଅଥବା ୭୦ ହଜାର ଟଙ୍କାରୁ କମ୍ ସହାୟତା ପାଇଥିବେ, (୩) ପରିବାରର ମାସିକ ଆୟ ୨୫ ହଜାରରୁ କମ୍ ଥିବ, (୪) ବ୍ୟକ୍ତିଗତ ବ୍ୟବହାର ପାଇଁ ୪ ଚକିଆ ଯାନ ନ ଥିବ, (୫) ସରକାରୀ କର୍ମ·ରୀ କିମ୍ବା ପେନ୍ସନ୍ଭୋଗୀ ହୋଇ ନ ଥିବେ, (୬) ୫ ଏକର ଜଳସେଚିତ କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ୍ ଜମି ଥିବ ।
ଏହି ଯୋଜନାର ହିତାଧିକାରୀ ହେବା ପାଇଁ ମାପଦଣ୍ଡ ପୂରଣ କରୁଥିବା ବ୍ୟକ୍ତିମାନେ ଜୁନ୍ ମାସ ୧୬ ତାରିଖରୁ ସରକାରୀ ୱେବସାଇଟ୍ରେ ନିଜେ କିମ୍ବା ମୋ ସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରିପାରିବେ । ଆବେଦନପତ୍ର ଦାଖଲ ବେଳେ ପାସପୋର୍ଟ ସାଇଜ୍ ଫଟୋ, ଆଧାର କାର୍ଡ, କେୱାଇସି ଡକ୍ୟୁମେଣ୍ଟ, ଜମି ରେକର୍ଡ, ଜାତି ପ୍ରମାଣପତ୍ର ଆଦି ଦେବାକୁ ପଡିବ । ଆବେଦନକାରୀ ଋଣ ପରିମାଣର ୧୦ ପ୍ରତିଶତ ରାଶି ମାର୍ଜିନ୍ ଅର୍ଥ ଭାବେ ବିନଯୋଗ କରିବେ । ଗୃହ ନିର୍ମାଣ ସ୍ତର ଅନୁସାରେ ଋଣରାଶି ୨ରୁ ୩ଟି ପର୍ଯ୍ୟାୟରେ ଦିଆଯିବ । ପ୍ରାୟ ୪ଲକ୍ଷ ହିତାଧିକାରୀଙ୍କ ପାଇଁ ଦୁଇ ବର୍ଷରେ ୨୧୫୦କାଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି ।