ଚେନ୍ନାଇକୁ ୨୧୫ ଟାର୍ଗେଟ୍

ଆଇପିଏଲ୍-୧୬ ଫାଇନାଲ୍
ଅହମଦାବାଦ, ୨୯ା୫: ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍) ଷୋଡ଼ଶ ସଂସ୍କରଣର ଉକ୍ରଣ୍ଠାପୂର୍ଣ୍ଣ ଫାଇନାଲ୍ ମ୍ୟାଚ୍ ସୋମବାର ରିଜର୍ଭ ଡେ’ରେ ଖେଳାଯାଇଛି । ସାଇ ସୁଦର୍ଶନଙ୍କ ବିସ୍ଫୋରକ ୯୬ ରନ୍ ବଳରେ ଗୁଜରାଟ ଟାଇଟନ୍ସ ପ୍ରତିପକ୍ଷ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୨୧୫ ରନ୍ର ଆହ୍ୱାନପୂର୍ଣ୍ଣ ବିଜୟ ଲକ୍ଷ୍ୟ ଦେଇଛି । ରିପୋର୍ଟ ଲେଖା ଶେଷ ହେବା ବେଳକୁ ଚେନ୍ନାଇ ଟିମ୍ ମାତ୍ର ୩ ବଲ୍ ଖେଳି ୪ ରନ୍ କରିଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା । ଋତୁରାଜ ଗାଏକୱାଡ୍ ୪ ଓ ଡେଭନ୍ କନୱେ କୌଣସି ସ୍କୋର୍ ନ କରି ଅପରାଜିତ ଥିଲେ ।
ଲିଗ୍ ଇତିହାସରେ ପ୍ରଥମ ଥର ଫାଇନାଲ୍ ମ୍ୟାଚ୍ ରିଜର୍ଭ ଡେ’ରେ ଖେଳାଯାଇଥିଲା । ରବିବାର ବର୍ଷା ଯୋଗୁଁ ଖେଳ ସମ୍ଭବ ହୋଇପାରି ନ ଥିଲା । ଏହା ଫଳରେ ମ୍ୟାଚ୍ ରିଜର୍ଭ ଡେ’କୁ ଯାଇଥିଲା । ସୋମବାର ପାଗ ଶୁଖିଲା ଥିବାରୁ ମ୍ୟାଚ୍ ଧାର୍ଯ୍ୟ ୭ଟା ୩୦ରେ ଆରମ୍ଭ ହୋଇଥିଲା । ଚେନ୍ନାଇ ଟିମ୍ର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ।
ଇତ୍ୟବସରେ ଧୋନି ଆଇପିଏଲ୍ରେ ୨୫୦ତମ ମ୍ୟାଚ୍ ଖେଳିଥିଲେ । ଏହି ଉପଲବ୍ଧି ହାସଲ କରିବାରେ ସେ ପ୍ରଥମ ଖେଳାଳି । ତାଙ୍କ ପଛକୁ ରୋହିତ ଶର୍ମା (୨୪୩) ଓ ଦିନେଶ କାର୍ତ୍ତିକ (୨୪୨) ରହିଛନ୍ତି ।
ଗୁଜରାଟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୪ ୱିକେଟ୍ ହରାଇ ୨୧୪ ରନ୍ ସଂଗ୍ରହ କରିଥିଲା । ସାଇ ସୁଦର୍ଶନ ମାତ୍ର ୪୭ ରନ୍ରୁ ସର୍ବାଧିକ ୯୬ ରନ୍ର ଇନିଂସ୍ ଖେଳିଥିଲେ । ତାଙ୍କ ଇନିଂସ୍ରେ ୮ ଚୌକା ଓ ୬ ଛକା ରହିଥିଲା । ମଥୀଶା ପାଥିରାନା ୨ ଏବଂ ଦୀପକ ଚାହର ଓ ରବୀନ୍ଦ୍ର ଜାଡ଼େଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଗୁଜରାଟ ଟିମ୍ ପ୍ରଥମ ଦୁଇ ଓଭର୍ରେ ଧିମା ପ୍ରଦର୍ଶନ କରିଥିଲା । କିନ୍ତୁ ତୃତୀୟ ଓଭର୍ରୁ ରିଦ୍ଧିମାନ ସାହା ଓ ଶୁଭମନ ଗିଲ୍ ଦ୍ରୁତ ଗତିରେ ରନ୍ ନେବା ଆରମ୍ଭ କରିଥିଲେ । ଇତ୍ୟବସରେ ଉଭୟ ବ୍ୟାଟର୍ଙ୍କୁ ଗୋଟିଏ ଲେଖାଏଁ ଜୀବନଦାନ ମିଳିଥିଲା, ଯାହା ପରେ ସେମାନେ ବଡ଼ ସଟ୍ ଲଗାଇଥିଲେ ଏବଂ ଟିମ୍ର ସ୍କୋର୍କୁ ୬ ଓଭର୍ରେ ୬୨ ରନ୍ ଯାଏଁ ପହଞ୍ଚାଇଥିଲେ ।
ଓପନିଂ ୱିକେଟ୍ ପାଇଁ ୬୭ (୪୨ ବଲ୍ରୁ) ରନ୍ର ଭାଗୀଦାରୀ ହୋଇଥିଲା । ଗିଲ୍ ୩୯ ରନ୍ କରି ଜାଡ଼େଜାଙ୍କ ବଲ୍ରେ ଷ୍ଟମ୍ପ୍ ଆଉଟ୍ ହୋଇଥିଲେ । ଏହାପରେ ସାହା ନୂଆ ବ୍ୟାଟର୍ ସୁଦର୍ଶନଙ୍କ ସହ ମିଶି ୬୪ ରନ୍ର ଭାଗୀଦାରୀ କରିଥିଲେ । ୩୬ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିବା ସାହା ବ୍ୟକ୍ତିଗତ ୫୪ (୩୯ ବଲ୍ରୁ) ରନ୍ରେ ଦୀପକ ଚାହରଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଏହାପରେ ସୁଦର୍ଶନଙ୍କ ସହ କ୍ରିଜ୍ରେ ଯୋଗ ଦେଇଥିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ସୁଦର୍ଶନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସ୍କୋର୍ ୨୦୦ ଅତିକ୍ରମ କରିଥିଲା । ତୃତୀୟ ୱିକେଟ୍ ପାଇଁ ୮୧ ରନ୍ର ଭାଗୀଦାରୀ ହୋଇଥିଲା । ଶେଷ ଓଭର୍ରେ ସୁଦର୍ଶନ (୯୬)ଙ୍କୁ ମାତ୍ର ୪ ରନ୍ ପାଇଁ ଶତକରୁ ବଞ୍ଚିତ କରିଥିଲେ ପାଥିରାନା । ଶେଷ ବଲ୍ରେ ରଶିଦ୍ ଖାନ୍ କୌଣସି ସ୍କୋର୍ ନ କରି ପାଭିଲିଅନ୍ ଫେରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *