ସୂର୍ଯେ୍ୟାଦୟର ସାକ୍ଷୀ
ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ
ନୂଆଦିଲ୍ଲୀ, ୨୮ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନ ଉଦ୍ଘାଟନ କରିଛନ୍ତି । ଉଦ୍ଘାଟନ ପୂର୍ବରୁ ସେ ସଂସଦ ଭବନରେ (ବାଚସ୍ପତିଙ୍କ ଆସନ ପାଖରେ) ସେଙ୍ଗୋଲ (ରାଜଦଣ୍ଡ ବା ଧର୍ମଦଣ୍ଡ)କୁ ସ୍ଥାପନ କରିଥିଲେ । ଭବନ ଉଦ୍ଘାଟନ ପାଇଁ ଅନୁଷ୍ଠିତ ପୂଜାରେ ପ୍ରଧାନମନ୍ତ୍ରୀଙ୍କ ସହ ଲୋକସଭା ବାଚସ୍ପତି ଓମ୍ ବିରଳା ଯୋଗ ଦେଇଥିଲେ । ତାମିଲନାଡୁରୁ ଆସିଥିବା ଅଧୀନମ୍ ସନ୍ଥମାନେ ମନ୍ତ୍ର ଉଚ୍ଚାରଣ ସହ ହବନ ବିଧି ପୂର୍ଣ୍ଣାଙ୍ଗ କରିଥିଲେ । ପୂଜା କାର୍ଯ୍ୟକ୍ରମ ପରେ ୧୮ ମଠର ମଠାଧୀଶମାନେ ସେଙ୍ଗୋଲ ଅର୍ପଣ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଆଶୀର୍ବାଦ କରିଥିଲେ । ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଦେଇଥିଲେ ଉଦ୍ବୋଧନ । ସେ କହିଲେ, ସବୁ ଭାରତୀୟଙ୍କୁ ଗଣତନ୍ତ୍ରର ଏହି ସ୍ୱର୍ଣ୍ଣିମ କ୍ଷଣରେ ଅଭିନନ୍ଦନ ଜଣାଉଛି । ଏହା କେବଳ ଏକ ଭବନ ନୁହେଁ, ୧୪୦ କୋଟି ଭାରତବାସୀଙ୍କ ଆକାଂକ୍ଷା ଓ ସ୍ୱପ୍ନର ପ୍ରତିବିମ୍ବ, ଆମ ଗଣତନ୍ତ୍ରର ମନ୍ଦିର । ଏହି ନୂଆ ଭବନ ଆତ୍ମନିର୍ଭର ଭାରତର ସୂର୍ଯେ୍ୟାଦୟର ସାକ୍ଷୀ ହେବ । ଭାରତ କେବଳ ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ ନୁହେଁ, ଏହା ମଧ୍ୟ ଗଣତନ୍ତ୍ରର ଜନନୀ । ପ୍ରଧାନମନ୍ତ୍ରୀ କହିଲେ, ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ । ଏଥିପାଇଁ ଆମ ପାଖରେ ଅଛି ଆହୁରି ୨୫ ବର୍ଷର ଅମୃତକାଳ ଖଣ୍ଡ । ଏହି ୨୫ ବର୍ଷ ଭିତରେ ମିଳିମିଶି ଭାରତକୁ ବିକଶିତ ଦେଶରେ ପରିଣତ କରିବାକୁ ହେବ । ସଂସଦ ଭବନ ଲୋକାର୍ପଣ ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ ମାଧ୍ୟମରେ ଏହାକୁ ଭବ୍ୟ ଓ ଦିବ୍ୟ ଭବନ ବୋଲି ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ, ବାଚସ୍ପତି ଓ କେନ୍ଦ୍ରମନ୍ତ୍ରୀମାନେ ପୁରୁଣା ଭବନର ସେଣ୍ଟ୍ରାଲ୍ ହଲ୍କୁ ଯାଇ ବୀର ସାବରକରଙ୍କୁ ୧୫୦ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ନୂଆ ଭବନରେ ସର୍ବଧର୍ମସଭା ହୋଇଥିଲା । ସେଥିରେ ପ୍ରଧାନମନ୍ତ୍ରୀଙ୍କ ସମେତ ସବୁ କ୍ୟାବିନେଟ୍ ମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ଥିଲେ । ସଭାରେ ଜୈନ, ବୌଦ୍ଧ, ଶିଖ୍, ପାରସୀ ଓ ଅନ୍ୟାନ୍ୟ ଧର୍ମର ଧର୍ମଗୁରୁମାନେ ପ୍ରାର୍ଥନା କରିଥିଲେ । ନୂଆ ଭବନ ନିର୍ମାଣ କରିଥିବା ଶ୍ରମଜୀବୀମାନଙ୍କୁ ଉଦ୍ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ସମ୍ମାନିତ କରିଥିଲେ ।