ଚିରଞ୍ଜୀବ, ମୋକିମଙ୍କୁ ସୋ-କଜ୍
ଦଳ ବିରୋଧୀ ମନ୍ତବ୍ୟ ନେଇ ଏଆଇସିସିର କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୨୮ା୫(ବୁ୍ୟରୋ): ରାଜ୍ୟ କଂଗ୍ରେସର ଦୁଇ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ଓ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ପାଇଁ ଅଡୁଆ ବଢ଼ିଲା । ଉଭୟ ନେତାଙ୍କୁ ଏଆଇସିସି ଶୃଙ୍ଖଳା କମିଟି ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।
ଏ ସମ୍ପର୍କରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ପ୍ରକାଶ କରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଚିରଞ୍ଜୀବ ଓ ମୋକିମଙ୍କୁ ଏଆଇସିସି ଦେଇଥିବା କାରଣ ଦର୍ଶାଅ ନୋଟିସ୍ ବାବଦରେ ମୁଁ ଅଧିକ କିଛି କହିବିନି । ଯାହା ଅଭିଯୋଗ ଆସିଥିଲା, ତାକୁ ଆମେ ଏଆଇସିସିକୁ ପଠେଇ ଦେଇଥିଲୁ । ଏଆଇସିସି ଯାହା ନିଷ୍ପତ୍ତି ନେଇଥିବ । ମୁଁ ସମସ୍ତଙ୍କୁୁ ନେଇ ବିଜେପି ଓ ବିଜେଡି ବିରୋଧରେ ଲଢିବାକୁ ଚେଷ୍ଟା କରୁଛି । ସେ ଦିଗରେ ଯଦି କିଏ ବିରୋଧ କରେ ବା ବିଶୃଙ୍ଖଳିତ ଆଚରଣ କରେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ହାଇ କମାଣ୍ଡଙ୍କ ନିଷ୍ପତ୍ତି ବୋଲି ପିସିସି ସଭାପତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
ସୂଚନାଯୋଗ୍ୟ, ମେ’ ୮ରେ ଭୁବନେଶ୍ୱର ସୂଚନା ଭବନରେ ‘ଜାନକୀ-ବସନ୍ତ ଯୋଡ଼ି ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସମାରୋହରେ ରାଜ୍ୟ କଂଗ୍ରେସର ଉପାଧ୍ୟକ୍ଷ ଚିରଞ୍ଜୀବ ବିଶ୍ୱାଳ ଯୋଗଦେଇ ରାଜ୍ୟ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ ।
ସେ କହିଥିଲେ, ବିଧାନସଭାରେ କଂଗ୍ରେସରୁ ବର୍ତ୍ତମାନ ୯ ଜଣ ବିଧାୟକ ଅଛନ୍ତି, କିନ୍ତୁ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି । ଦିନକୁ ଦିନ ଏ ସଂଖ୍ୟା ବଢ଼ିବାରେ ଲାଗିଛି । ସମାନ ଢଙ୍ଗରେ ମୋକିମ୍ ମଧ୍ୟ ସମାଲୋଚନା କରିଥିଲେ ଯେଉଁଥିପାଇଁ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ତେବେ ଏନେଇ ଉଭୟ ନେତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।