୩ ବର୍ଷରେ ୧୩ଠଠ ଏମ୍ଏସ୍ଏମ୍ଇ ବନ୍ଦ
ଭୁବନେଶ୍ୱର,୨୮ା୫(ତଥ୍ୟ): ଗତ ତିନିବର୍ଷ ମଧ୍ୟରେ ରାଜ୍ୟରେ ବିଭିନ୍ନ କାରଣ ଯୋଗୁଁ ୧୩୦୦ ରୁ ଅଧିକ ଅଣୁ, କ୍ଷୁଦ୍ର ଓ ମଧ୍ୟମ (ଏମଏସଏମଇ) ଶିଳ୍ପ ବନ୍ଦ ହୋଇଯାଇଛି । ଏହି ସମୟରେ ସମଗୟ ଦେଶରେ ୭୩ ହଜାରରୁ ଅଧିକ ଏମ୍ଏସ୍ଏମ୍ଇ ବନ୍ଦ ହୋଇଥିବା ଜଣାଯାଇଛି ।
କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୦ ରୁ ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ମୋଟ୍ ୧୩୮୧ଟି ଏମ୍ଏସ୍ଏମ୍ଇ ବନ୍ଦ ହୋଇଯାଇଛି । ଏଥି ମଧ୍ୟରୁ ୫୦ଟି ଜାଲ୍ ସଂସ୍ଥା ଥିବା ଚିହ୍ନଟ ହୋଇଛି । ସେହିଭଳି ୧୬୨ ସଂସ୍ଥାର ମାଲିକ ପରିବର୍ତ୍ତନ ପରେ ତାହା ମଧ୍ୟ ବନ୍ଦହୋଇ ଯାଇଛି । ତେବେ ୬୭୦ଟି ଶିଳ୍ପସଂସ୍ଥା ବନ୍ଦର କାରଣ ଦର୍ଶାଯାଇ ନାହିଁ । ଏହି ସମୟ ମଧ୍ୟରେ ସମଗ୍ର ଦେଶରେ ୭୩,୫୭୬ ଏମ୍ଏସ୍ଏମ୍ଇ ବନ୍ଦ ହୋଇ ଯାଇଥିବାବେଳେ ଏଥିରୁ ୨୬୭୯ଟି ଜାଲ୍ ଥିବା ଜଣାଯାଇଛି । ସେହିଭଳି ମାଲିକ ପରିବର୍ତ୍ତନ ଯୋଗୁଁ ଦେଶରେ ମଧ୍ୟ ୮୪୮୪ଟି ଏମଏସଏମଇରେ ତାଲା ପଡିଯାଇଛି । ତେବେ ୩୧ହଜାରରୁ ଅଧିକ ଏମ୍ଏସ୍ଏମ୍ଇ ବନ୍ଦହୋଇ ଯାଇଛି । ଏମ୍ଏସ୍ଏମ୍ଇ ବନ୍ଦ ପଡୋଶୀ ରାଜ୍ୟ ଗୁଡିକରେ ଅଧିକ ରହିଛି । ଏହି ସମୟରେ ଆନ୍ଧ୍ରପ୍ରଦେଶରେ ୧୮୪୯ଟି ଏମଏସଏମଇ ବନ୍ଦହୋଇ ଯାଇଥିବାବେଳେ ପଶ୍ଚିମବଙ୍ଗରେ ଏହି ସଂଖ୍ୟା ୨୫୧୭ ରହିଛି । ତେବେ ସବୁଠାରୁ ଅଧିକ ୧୭,୫୭୪ ଟି ଏମଏସଏମଇ ମହାରାଷ୍ଟ୍ରରେ ବନ୍ଦ ହୋଇଯାଇଥିବା କେନ୍ଦ୍ରୀୟ ସୂଚନାରୁ ଜଣାଯାଇଛି । କରୋନା ମାଡରେ ମେରୁଦଣ୍ଡ ଭାଙ୍ଗି ଯାଇଥିବା ଏମ୍ଏସ୍ଏମ୍ଇଗୁଡିକୁ ସହାୟତା ଲାଗି ଋଣ ସହାୟତା, ବୈଷୟିକ ସହାୟତା ଓ ଭିତ୍ତିଭୂମି ବିକାଶ ସହିତ ଦକ୍ଷତା ବିକାଶ ତାଲିମ ଉପରେ ଗୁରୁତ୍ୱ ଦିଆଯାଉଛି । ଏମ୍ଏସ୍ଏମ୍ଇଗୁଡିକ ୫ଲକ୍ଷ ଟଙ୍କାର ଋଣ ଗ୍ୟାରେଣ୍ଟି ସହିତ ସହଜ ବ୍ୟବସାୟ ପାଇଁ ଉଦ୍ୟମରେ ପଞ୍ଜିକରଣ ବ୍ୟବସ୍ଥା ହୋଇଛି । ସେହିଭଳି ଏମ୍ଏସ୍ଏମ୍ଇ ପାଇଁ ଚମ୍ପିଅନ ପୋର୍ଟାଲର ଶୁଭାରମ୍ଭ ହୋଇଥିବାବେଳେ ୨୦୨୧ ଜୁଲାଇରୁ ଏମ୍ଏସ୍ଏମ୍ଇକୁ ଉଭୟ ଖୁଚୁରା ଓ ପାଇକାରୀ ବ୍ୟବସାୟ ପାଇଁ ଅନୁମତି ମିଳିଛି ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ଏମ୍ଏସ୍ଏମ୍ଇକୁ ଆଗକୁ ନେବାପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଥିବାବେଳେ ରାଜ୍ୟରୁ ଜାଲ୍ ଏମ୍ଏସ୍ଏମ୍ଇ ଚିହ୍ନଟ ହେବା ଓ ତେର ଶହରୁ ଅଧିକ ଏମଏସଏମଇ ବନ୍ଦ ହୋଇଯିବା ଏବେ ଉଦ୍ୟୋଗୀ ଓ ଏ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।