ଇତିହାସ ରଚିଲେ ପ୍ରଣୟ

ମାଲେସିଆ ମାଷ୍ଟର୍ସ ପୁରୁଷ ବର୍ଗରେ ସ୍ୱର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ
କୁଆଲା ଲମ୍ପୁର, ୨୮ା୫ (ଏଜେନ୍ସି): ଭାରତର ତାରକା ସଟ୍ଲର୍ ଏଚ୍ଏସ୍ ପ୍ରଣୟ ରବିବାର ଇତିହାସ ରଚିଛନ୍ତି । ସେ ମାଲେସିଆ ମାଷ୍ଟର୍ସର ପୁରୁଷ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇପାରିଛନ୍ତି । ଏହାଛଡ଼ା ସେ ପ୍ରଥମ ଥର ବିଡବ୍ଲୁ୍ୟଏଫ୍ ୱାର୍ଲ୍ଡ ଟୁର୍ ମୁକୁଟ ଜିତିଛନ୍ତି । ତାଙ୍କ ପୂର୍ବରୁ ମହିଳା ବର୍ଗରେ ସାଇନା ନେହୱାଲ୍ ଓ ପିଭି ସିନ୍ଧୁ ଏହି ଚାମ୍ପିଅନ୍ସିପ୍ ଜିତିସାରିଛନ୍ତି ।
ପ୍ରଣୟ ପୁରୁଷ ଏକକ ଫାଇନାଲ୍ରେ ବିଶ୍ୱର ୩୪ତମ ମାନ୍ୟତାଧାରୀ ଚୀନ୍ର ୱେଙ୍ଗ୍ ହଙ୍ଗ୍ ୟାଙ୍ଗ୍ଙ୍କ ବିପକ୍ଷରେ କଡ଼ା ସଂଘର୍ଷ କରି ୨୧-୧୯, ୧୩-୨୧, ୨୧-୧୮ରେ ବିଜୟୀ ହୋଇଥିଲେ । ଏହି ମ୍ୟାଚ୍ ୯୪ ମିନିଟ୍ ଧରି ଚାଲିଥିଲା ।
ସଂଘର୍ଷପୂର୍ଣ୍ଣ ପ୍ରଥମ ଗେମ୍ରେ ପ୍ରଣୟ ଅଳ୍ପ ବ୍ୟବଧାନରେ ଜିତିଥିଲେ । କିନ୍ତୁ ଦ୍ୱିତୀୟ ଗେମ୍ରେ ୱେଙ୍ଗ୍ ପ୍ରତ୍ୟାବର୍ତ୍ତନ କରିଥିଲେ । ନିର୍ଣ୍ଣାୟକ ଗେମ୍ରେ ଜୋର୍ଦାର ଲଢ଼େଇ ହୋଇଥିଲା, କିନ୍ତୁ ଶେଷରେ ପ୍ରଣୟ ବାଜିମାତ୍ କରିଥିଲେ ।
ପ୍ରଣୟ ୨୦୧୭ ୟୁଏସ୍ ଓପନ୍ ଗ୍ରାଁ ପ୍ରି ଗୋଲ୍ଡ ଜିତିବା ପରଠାରୁ ବ୍ୟକ୍ତିଗତ ମୁକୁଟ ସନ୍ଧାନରେ ଥିଲେ । ସେ ଅବଶ୍ୟ ଗତ ବର୍ଷ ଥୋମାସ୍ କପ୍ ଜିତିଥିବା ଭାରତୀୟ ଟିମ୍ର ଅଂଶବିଶେଷ ଥିଲେ । ଏହି ୩୦ ବର୍ଷୀୟ ଖେଳାଳିଙ୍କ ପାଖରେ ଗତ ବର୍ଷ ସ୍ୱିସ୍ ଓପନ୍ରେ ମୁକୁଟ ମରୁଡ଼ିର ଅନ୍ତ ଘଟାଇବାର ସୁଯୋଗ ଥିଲା । ସେ ଫାଇନାଲ୍ରେ ପହଞ୍ଚିଥିଲେହେଁ ଅନ୍ତିମ ବାଧା ଅତିକ୍ରମ କରିପାରି ନ ଥିଲେ । ଏହାଛଡ଼ା ସେ ମାଲେସିଆ ମାଷ୍ଟର୍ସ ଓ ଇଣ୍ଡୋନେସିଆ ସୁପର୍ ୧୦୦୦ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍ରେ ସ୍ଥାନ ପାଇଥିଲେ ।
ମାଲେସିଆ ମାଷ୍ଟର୍ସ ସୁପର୍ ୫୦୦ରେ ଦୀର୍ଘ ପ୍ରତୀକ୍ଷା ପରେ ବିଜୟ ହାସଲ କରିବା ସହ ପ୍ରଣୟ ଆନ୍ତର୍ଜାତିକ ମଞ୍ଚରେ କେବଳ ନିଜ ଦକ୍ଷତା ପ୍ରମାଣିତ କରି ନାହାନ୍ତି, ଭବିଷ୍ୟତରେ ଆହୁରି ଅଧିକ ସଫଳତା ହାସଲ କରିବେ ବୋଲି ସଙ୍କେତ ଦେଇଛନ୍ତି ।
ରବିବାର ବିଶ୍ୱର ନବମ ଖେଳାଳି ପ୍ରଣୟ ୨୩ବର୍ଷୀୟ ଚୀନା ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ । ପୂରା ଟୁର୍ଣ୍ଣାମେଣ୍ଟରେ ସେ ତାଙ୍କର ଶାରୀରିକ ଓ ମାନସିକ ସାମର୍ଥ୍ୟ ପ୍ରଦର୍ଶନ କରିଥିଲେ । ସେ ବିଶ୍ୱର ପାଞ୍ଚ ନମ୍ବର ଖେଳାଳି ଚୋଉ ତିଏନ୍ ଚେନ୍, ଅଲ୍ ଇଂଲଣ୍ଡ ବିଜେତା ଲି ଶି ଫେଙ୍ଗ ଓ ଜାପାନ୍ର କେନ୍ତା ନିଶିମୋତୋଙ୍କ କଡ଼ା ଆହ୍ୱାନକୁ ପ୍ରତିହତ କରି ଫାଇନାଲ୍ରେ ପହଞ୍ଚିଥିଲେ ।
ପ୍ରତିଯୋଗିତାର କୌଣସି ବର୍ଗରେ ସେ ଏକମାତ୍ର ଭାରତୀୟ ଭାବେ ଫାଇନାଲ୍ରେ ସ୍ଥାନ ପାଇଥିଲେ । ପିଭି ସିନ୍ଧୁ, କିଦାମ୍ବୀ ଶ୍ରୀକାନ୍ତଙ୍କ ଭଳି ଟପ୍ ଖେଳାଳି ବିଦାୟ ନେଇସାରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *