ଆଉ ୫ ଦିନ କାଳବୈଶାଖୀ

୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ବଜ୍ରାଘାତରେ ୪ ଗୁରୁତର
୨୧ ଗାଈ, ୩ ଛେଳି ମୃତ
ଭୁବନେଶ୍ୱର,୨୮ା୫(ବୁ୍ୟରୋ): ରାଜ୍ୟରେ କିଛି ଦିନ ଧରି କାଳବୈଶାଖୀର ତାଣ୍ଡବ ଜାରି ରହିଛି । ରବିବାର ବଜ୍ର ପଡିÿ ୨୧ଟି ଗାଈ ଓ ୩ ଛେଳି ମରିଥିବାବେଳେ ୪ ଜଣ ଗାଈ ଚରାଳି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆହୁରି ୫ ଦିନ କାଳବୈଶାଖୀ ଜାରି ରହିପାରେ ବୋଲି ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି । କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଆମ୍ପାବିଲା ପଞ୍ଚୟତର କୁରଲି ଗ୍ରାମର ୪ ଜଣ ଲୋକ ନିଜ ଗୃହପାଳିତ ପଶୁଙ୍କୁ ନିକଟ ଜଙ୍ଗଲକୁ ଚରାଇବାକୁ ଯାଇଥିଲେ । ଅପରାହ୍ଣରେ ପ୍ରବଳ ବର୍ଷା ସହ ଘଡ଼ଘଡିÿ ଆରମ୍ଭ ହୋଇଥିଲା । ସେଥିରୁ ବର୍ତ୍ତିବା ପାଇଁ ଗୃହପାଳିତ ପଶୁଙ୍କୁ ନେଇ ସେମାନେ ଗଛ ମୂଳେ ଛିଡା ହୋଇଥିଲେ । ଏହି ସମୟରେ ବଜ୍ରପାତ ହେବାରୁ ୨୧ ଗାଈ, ୩ ଛେଳିଙ୍କ ମୃତୁ୍ୟ ହୋଇଥିବା ବେଳେ ୪ ଜଣ ଗାଈ ଚରାଳି ଗୁରୁତର ଭାବେ ଆହତ ହୋଇଥିଲେ । ସମସ୍ତଙ୍କୁ ନିକଟବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ସୋମବାର ଗଜପତି, ଗଞ୍ଜାମ, ନୟାଗଡ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ଢେଙ୍କାନାଳ, ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ବର୍ଷା ସାଙ୍ଗକୁ ବିଜୁଳି ଓ ଘଡଘଡି ମାରିବା ସହିତ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ରହିପାରେ ।
ଅପରପକ୍ଷରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡିଶାରେ ଦିନର ତାପମାତ୍ରାରେ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ । ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ । ଗତ ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗିରରେ ପାରଦ ୪୩.୩ ଡିଗ୍ରୀ ଛୁଇବା ସହିତ ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଥିଲା । ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀ ଜନିତ ବୃଷ୍ଟିପାତ ସର୍ବାଧିକ ରେକର୍ଡ କରାଯାଇଛି । ଆସ୍କାଠାରେ ସର୍ବାଧିକ ୬୧ ମିମି, ଧରାକୋଟରେ ୫୨ ମିମି ଏବଂ ହିଞ୍ଜିଳିରେ ୪୨ ମିମି ବର୍ଷା ରେକର୍ଡ କରାଯାଇଛି । ତେଲେଙ୍ଗାନା ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ସହିତ ଆଉ ଏକ ନିମ୍ନ ଚାପ ରେଖା ମଧ୍ୟ ପ୍ରଦେଶର ଦକ୍ଷିଣ ପୂର୍ବରୁ ତେଲେଙ୍ଗାନା ଓ ତାମିଲନାଡୁ ଦକ୍ଷିଣ ପୂର୍ବ ଯାଏଁ ଲମ୍ବିଛି । ଏହାର ପ୍ରଭାବରେ ସୋମବାର ରାଜ୍ୟର ୧୩ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବୃଷ୍ଟିପାତ ହେବ । ଏହାକୁ ଦୃଷ୍ଟିରେ ରଖି ଏହି ସବୁ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *