ଚିନ୍ତାରେ ଦକ୍ଷିଣୀ ରାଜ୍ୟ
ନୂଆ ଲୋକସଭାରେ ୮୮୮ ଆସନ
ନୂଆଦିଲ୍ଲୀ, ୨୮ା୫: ନୂଆ ସଂସଦ ଭବନରେ ୧୨୭୨ ସାଂସଦଙ୍କ ବସିବା ଲାଗି ଆସନ ରହିଛି । ସେଥିରୁ ଲୋକସଭାରେ ୮୮୮ ଓ ରାଜ୍ୟସଭାରେ ୩୮୪ ଆସନ ଅନ୍ତର୍ଭୁକ୍ତ । ଅଧିକ ଆସନ ବ୍ୟବସ୍ଥା କରାଯାଇଥିବାରୁ ଲୋକସଭା ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ଆଲୋଚନା ହେଉଛି । ୨୦୧୯ରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଲୋକସଭା ସିଟ୍ ସଂଖ୍ୟା ୧୦୦୦ କରିବାକୁ ପ୍ରସ୍ତାବ ରଖିଥିଲେ । ସଂପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସଂସଦ ଭବନ ଉଦ୍ଘାଟନ ଅବସରରେ ଭବିଷ୍ୟତରେ ଆସନ ସଂଖ୍ୟା ବୃଦ୍ଧି କରାଯିବା ନେଇ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଦକ୍ଷିଣ ଭାରତ ରାଜ୍ୟଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି । ଜନଗଣନା ଆଧାରରେ ଆସନ ବୃଦ୍ଧି ପାଇଲେ ଉତ୍ତର ଭାରତର ହିନ୍ଦୀଭାଷୀ ରାଜ୍ୟରେ ୮୪% ଆସନ ବଢ଼ିବ । ଦକ୍ଷିଣ ଭାରତରେ ଆସନ ସଂଖ୍ୟା ବଢ଼ିବାର ସମ୍ଭାବନା ଥିଲେବି ଉତ୍ତର ଭାରତ ତୁଳନାରେ କିଛି ଅଧିକ ହୋଇ ନ ପାରେ । ଫଳସ୍ୱରୂପ କେନ୍ଦ୍ରରେ ଉତ୍ତର ଭାରତର ଦବ୍ଦବା ଅଧିକ ରହିବ ବୋଲି ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକ ମନେ କରୁଛନ୍ତି ।
ଜନସଂଖ୍ୟା ଅନୁଯାୟୀ ଲୋକସଭା ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରିତ ହେଲେ ସର୍ବାଧିକ ଉପକୃତ ହେବ ଉତ୍ତର ପ୍ରଦେଶ । ଏଠାରେ ଆସନ ସଂଖ୍ୟା ୮୦ ଅଛି । ପୁନଃନିର୍ଦ୍ଧାରଣ ପରେ ୧୪୭କୁ ବୃଦ୍ଧି ପାଇବ । ସେହିପରି ବିହାରରେ ଆସନ ସଂଖ୍ୟା ୪୦ରୁ ୭୬, ପଶ୍ଚିମବଙ୍ଗରେ ୪୨ରୁ ୬୭, ମହାରାଷ୍ଟ୍ରରେ ୪୮ରୁ ୮୨, ମଧ୍ୟ ପ୍ରଦେଶରେ ୨୯ରୁ ୫୩, ଆନ୍ଧ୍ର ପ୍ରଦେଶରେ ୨୫ରୁ ୩୭, ତେଲେଙ୍ଗାରେ ୧୭ରୁ ୨୫, କେରଳରେ ୨୦ରୁ ୨୪କୁ ବଢ଼ିବ ।
ଓଡ଼ିଶାରେ ଲୋକସଭା ସିଟ୍ ୨୧ରୁ ୩୧କୁ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଦାକ୍ଷିଣାତ୍ୟ ରାଜ୍ୟ କର୍ଣ୍ଣାଟକରେ ସିଟ୍ ୨୮ରୁ ୪୫, ତାମିଲନାଡୁରେ ୩୯ରୁ ୫୩, ରାଜସ୍ଥାନରେ ୨୫ରୁ ୫୦, ମୋଦିଙ୍କ ନିଜ ରାଜ୍ୟ ଗୁଜରାଟରେ ୨୬ରୁ ୪୪କୁ, ଝାରଖଣ୍ଡରେ ୧୪ରୁ ୨୪, ଛତିଶଗଡ଼ରେ ୧୧ରୁ ୧୮କୁ ଆସନ ବଢ଼ିପାରେ । ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକ ଚିନ୍ତା ପ୍ରକଟର କାରଣ ହେଉଛି କମ ଜନସଂଖ୍ୟା । ଜନ୍ମ ନିୟନ୍ତ୍ରଣ ଉପରେ ଜୋର୍ ଦିଆଯିବା ପରେ ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକ ଏଥିରେ ଅଧିକ ସଫଳତା ହାସଲ କରିଥିଲେ । କିନ୍ତୁ ତୁଳନାତ୍ମକ ଭାବେ ଉତ୍ତର ଭାରତ ରାଜ୍ୟ ବିଶେଷ ସଫଳ ହୋଇ ନ ଥିଲେ । ତେଣୁ ଉତ୍ତର ଭାରତରେ ଲୋକସଂଖ୍ୟା ଅଧିକ ରହିଛି । ଯାହାକି ଦକ୍ଷିଣ ଭାରତ ରାଜ୍ୟଙ୍କ ନିମିତ୍ତ ଚିନ୍ତାର କାରଣ ପାଲଟିଛି ।
ଆହୁରି ମଧ୍ୟ କରୋନା କାରଣରୁ ୨୦୨୧ରେ ଜନଗଣନା କରାଯାଇ ପାରିନି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜନଗଣନା ଶେଷ ହେବା ସମ୍ଭାବନା କ୍ଷୀଣ । ଆଗାମୀ ନିର୍ବାଚନ ପୂର୍ବରୁ ଯଦି ୨୦୧୧ ଜନଗଣନା ଆଧାରରେ ସୀମା ପୁନଃନିର୍ଦ୍ଧାରିତ ହୋଇପାରେ । ତେବେ ଏଥିରେ ବି ସମସ୍ୟା ରହିଛି । ଆର୍ଟିକିଲ ୮୧ରେ କୁହାଯାଇଛି, ଲୋକସଭାରେ ୫୫୦ରୁ ଅଧିକ ସଦସ୍ୟ ରହିପାରିବେ ନାହିଁ । ସୀମା ପୁନଃନିର୍ଦ୍ଧାରଣ କରି ଆସନ ସଂଖ୍ୟା ବଢ଼ାଇବାକୁ ହେଲେ ସମ୍ବିଧାନ ସଂଶୋଧନ କରିବାକୁ ପଡ଼ିବ ।