ଡାକଘର କହିବ କୋଟିଆ କାହାର
କୋରାପୁଟ, ୨୭ା୫(ବୁ୍ୟରୋ): ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାରେ ଥିବା କୋରାପୁଟ ଜିଲ୍ଲା କୋଟିଆ ଅଞ୍ଚଳର ମାନଚିତ୍ର ସ୍ପଷ୍ଟ ଓ ଓଡ଼ିଶା ସରକାର ନିଜ ଦାବିକୁ ଠିକ ଭାବେ ଉପସ୍ଥାପନ କରି ପାରିଲେ ସମଗ୍ର କୋଟିଆ ଅଂଚଳ ଓଡିଶା ସୀମା ମଧ୍ୟରେ ରହିଥିବା ଉଚ୍ଚତମ ନ୍ୟାୟାଳୟରେ ମଧ୍ୟ ପ୍ରମାଣିତ କରିହେବ । କୋଟିଆକୁ ନେଇ ଆନ୍ଧ୍ରପ୍ରଦେଶ ବିରୁଦ୍ଧରେ ଓଡ଼ିଶାର ନିରନ୍ତର ସଂଗ୍ରାମକୁ ଶକ୍ତି ଦେବା ପାଇଁ ‘ଆମ କୋଟିଆ’ ସଂଗଠନ ସମେତ ଅନେକ ସ୍ଥାନୀୟ ଓ ରାଜ୍ୟ ସ୍ତରୀୟ ଅନୁଷ୍ଠାନ ଓ ସଂଗଠନ ବିଭିନ୍ନ ସମୟରେ ନୂତନ ତଥ୍ୟ ଓ ପ୍ରମାଣ ଯୋଗାଇ ଓଡ଼ିଶାର ଦାବିକୁ ସୁଦୃଢ଼ କରିଛନ୍ତି । ଏହିକ୍ରମରେ କୋଟିଆ ଯେ ଓଡିଶାର ତାହା ସମସ୍ତଙ୍କୁ ଜଣାଇବା ପାଇଁ ଶନିବାର କୋଟିଆରୁ କୋଟିଆର ସ୍ୱତନ୍ତ୍ର ଲଫାଫାରେ ଚିଠି ପଠାଇବା ଅଭିଯାନ ଆରମ୍ଭ ହୋଇଛି ।
ଶନିବାର ଏହି ସଂଗ୍ରାମର ଯାତ୍ରାରେ ଇଷ୍ଟର୍ନ ଇଣ୍ଡିଆ ଫିଲାଟେଲିକ୍ ଆସୋସିଏସନ୍ (ଇପିଏ)ର ବରିଷ୍ଠ କର୍ମକର୍ତ୍ତା ଅନୀଲ ଧୀର ଓ ବିଶ୍ୱଜିତ ମହାନ୍ତି ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ସଂଜୀବ ହୋତା କୋଟିଆ ପୋଷ୍ଟ ଅଫିସକୁ ଯାଇ ସ୍ୱତନ୍ତ୍ର କୋଟିଆ ନାଁ ମୁଦ୍ରିତ ଲଫାଫା ଉନ୍ମୋଚନ କରିବା ସହ ସେହି ପୋଷ୍ଟ ଅଫିସରୁ ଦେଶର ବିଭିନ୍ନ ସ୍ଥାନକୁ ୩୦୦ ଲଫାଫାରେ କୋଟିଆ ପୋଷ୍ଟ ଅଫିସ ସିଲ୍ ସହ ପ୍ରେରଣ କରିଛନ୍ତି । କୋଟିଆର ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର (ପିନ୍) ୭୬୪୦୩୯ ଓଡିଶା ପୋଷ୍ଟାଲ ଡିଭିଜନ ଅଧିକୃତ ହୋଇଥିବା ଯୋଗୁଁ
କେନ୍ଦ୍ର ସରକାର ଏହି ନମ୍ବର ମାଧ୍ୟମରେ କୋଟିଆକୁ ଓଡ଼ିଶାର ବୋଲି ସ୍ୱୀକୃତି ପ୍ରଦାନ କରିଛନ୍ତି ବୋଲି ଶ୍ରୀ ଧୀର ମତବ୍ୟକ୍ତ କରିଛନ୍ତି । ସୁପ୍ରିମ କୋର୍ଟରେ କୋଟିଆକୁ ନିଜର ବୋଲି ଦାବି କରି ଓଡିଶା ସରକାର ବିଭିନ୍ନ ଦଲିଲ ଉପସ୍ଥାପନ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ଡାକ ବିଭାଗ କୋଟିଆକୁ ଓଡ଼ିଶାର ପିନ୍ କୋଡ୍ ଦେଇଥିବା ତଥ୍ୟ ଓଡ଼ିଶାର ପକ୍ଷକୁ ଆହୁରି ମଜଭୁତ କରିବ ବୋଲି ଇପିଏର ଅନ୍ୟତମ ସଦସ୍ୟ ବିଶ୍ୱଜିତ ମହାନ୍ତି ଆଶାପୋଷଣ କରିଛନ୍ତି ।