ଦୁଇ ଜଣଙ୍କୁ ଦଳିଦେଲା ହାତୀ

ସୋର/ନୟାଗଡ଼, ୨୭ା୫(ଆପ୍ର): ନିଶ୍ଚିନ୍ତରେ ମା’ବାପାଙ୍କ କୋଳରେ ଶୋଇଥିଲେ ଭାଇ ଭଉଣୀ । ନିଶାର୍ଦ୍ଧରେ କାଳ ହୋଇ ମାଡ଼ି ଆସିଲେ ହାତୀପଲ । ହାତୀପଲଙ୍କ ଉପସ୍ଥିତି ବାରିପାରି ବାପା ପୁଅ ଓ ସ୍ତ୍ରୀକୁ ଘରୁ ବାହାରକୁ ନେଇଯାଇଥିଲେ । କିନ୍ତୁ ଘରେ ରହିଯାଇଥିଲା ୯ ବର୍ଷର ଝିଅ ପରୀ । ଶୋଇ ରହିଥିବା ପରୀକୁ ଦଳିଦେଲା ଦନ୍ତା । ଏଭଳି ଏକ ମର୍ମନ୍ତୁଦ ଘଟଣା ଘଟିଛି ସୋର ବ୍ଲକ୍ ଶିଙ୍ଗାଖୁଣ୍ଟା ପଞ୍ଚାୟତ ସରଳିଆ ଗ୍ରାମରେ ।
ନିଶିକାନ୍ତ ଦେଉରୀ ଅତି ଗରିବ । ସେ ତାଙ୍କ ପହ୍ଲାଘରେ ସପରିବାର ଶୋଇଥିଲେ । ବିଳମ୍ବିତ ରାତିରେ ୭ଟିକିଆ ହାତୀ ପଲ ଖାଦ୍ୟ ଅନ୍ୱଷଣରେ ଦେବଗିରି ପାହାଡ଼ରୁ ଆସି ଗ୍ରାମରେ ପ୍ରବେଶ କରିଥିଲେ । ବାଡ଼ିରେ ଥିବା ନଡ଼ିଆ ଗଛ ହାତୀ ପଲ ଖାଉଥିବା ଜାଣିପାରି ନିଶିକାନ୍ତ ତାଙ୍କ ଗର୍ଭବତୀ ସ୍ତ୍ରୀ ଏବଂ ସାନ ପୁଅକୁ ଘର ଭିତରୁ ବାହାରକୁ ନେଇଯାଇଥିଲେ । ସେତେବେଳେ ୯ ବର୍ଷର ଝିଅ ପରୀ ଘରେ ଶୋଇ ରହି ରହିଥିଲା । ସେ ଘଉଡ଼ାଇବାରୁ ହାତୀପଲ ପଳାଇଥିଲେ । ମାତ୍ର ଗୋଟିଏ ଦନ୍ତା ଫେରିଆସି ପହ୍ଲାଘରକୁ ଦଳି ଦେଇଥିଲା । ଫଳରେ ଘର ଭିତରେ ଶୋଇଥିବା ପରୀ ଚାପି ହୋଇଯାଇଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପରୀକୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିବା ବାଟରେ ତା’ର ମୃତୁ୍ୟ ହୋଇଥିଲା । ମୃତଦେହକୁ ସୋର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଛି ।
ଏହିଭଳି ଦେବଗିରି ପାହାଡ଼ ତଳି ଅଞ୍ଚଳମାନଙ୍କରେ ହାତୀମାନଙ୍କ ଉତ୍ପାତ ବୃଦ୍ଧି ପାଉଥିବା ବେଳେ ଅଧିକାଂଶ ସମୟରେ ଧନ ଜୀବନ କ୍ଷତି ଘଟୁଥିବା ସହିତ ବ୍ୟାପକ ଫସଲ ନଷ୍ଟ ହେଉଥିଲେ ସୁଦ୍ଧା ବନ ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଉ ନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ରେଞ୍ଜର ବବିତା ସରେନ ନିଶିକାନ୍ତଙ୍କ ଘରେ ପହଞ୍ଚô ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରି କ୍ଷତିପୂରଣ ରାଶି ପାଇଁ ବିଭାଗକୁ ସୁପାରିସ କରିଥିବା ଜଣାଯାଇଛି ।
ସେହିପରି ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଶ୍ରମିକଙ୍କ ମୃତୁ୍ୟ ଘଟିଛି । ମୃତକ ଶ୍ରମିକ ହେଲେ ରଣପୁର ନାଟିନୀ ଗ୍ରାମର ସତ୍ୟ ବେହେରା (୬୦) । ସୂଚନା ଅନୁଯାୟୀ, ଶନିବାର ସକାଳେ କିଛି ଶ୍ରମିକ କୂଅଖୋଳା କାମରେ ଘରୁ ବାହାରିଥିଲେ । ସେମାନେ ଆଗପଛ ହୋଇ ସାଇକେଲରେ ଯାଉଥିବା ବେଳେ ମୟୂରଝାଲିଆ ହାଇସ୍କୁଲ୍ ନିକଟରେ ସେମାନଙ୍କ ଭିତରୁ ଜଣଙ୍କୁ ହାତୀ ଦଳିଦେଇଥିଲା । ଘଟଣାସ୍ଥଳରେ ହିଁ ସତ୍ୟଙ୍କ ମୃତୁ୍ୟ ହୋଇଥିଲା । ଏହା ଦେଖି ଅନ୍ୟ ଶ୍ରମିକମାନେ ଭୟଭୀତ ହୋଇ ପ୍ରାଣବିକଳରେ ଦୌଡ଼ି ପଳାଇଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *