ଆଜି ଚେନ୍ନାଇ-ଗୁଜରାଟ ଫାଇନାଲ୍
ଆଇପିଏଲ୍-୧୬
ଅହମଦାବାଦ, ୨୭ା୫ (ଏଜେନ୍ସି): ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍) ଷୋଡ଼ଶ ସଂସ୍କରଣର ଫାଇନାଲ୍ ପାଇଁ ମଞ୍ଚ ପ୍ରସ୍ତୁତ । ରବିବାର ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗ୍ସ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ମଧ୍ୟରେ ଲିଗ୍ର ମହାମୁକାବିଲା ହେବ । ତେବେ କେଉଁ ଟିମ୍ର ପଲା ଭାରୀ, ତାହା କହିବା ସହଜ ନୁହେଁ ।
୪୨ ବର୍ଷ ବୟସରେ ପଦାର୍ପଣ କରିବାକୁ ଯାଉଥିବା ଧୋନି ଚେନ୍ନାଇ ଟିମ୍କୁ ପଞ୍ଚମ ମୁକୁଟ ଜିତାଇ ସ୍ମରଣୀୟ ବିଦାୟ ନେବାକୁ ଚାହିଁଥିବେ । ଅନ୍ୟପଟେ, ଶୁଭମନ ଗିଲ୍ ପ୍ରତିନିଧିତ୍ୱ କରୁଥିବା ଗୁଜରାଟ କ୍ରମାଗତ ଦ୍ୱିତୀୟ ମୁକୁଟ ଜିତିବା ଲକ୍ଷ୍ୟରେ ଅଛି ।
ଗୁଜରାଟ ବ୍ୟାଟିଂ ଲାଇନ୍ଅପ୍ର ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଗିଲ୍ । ସେ ଏ ଯାବତ ଟୁର୍ଣ୍ଣାମେଣ୍ଟରେ ୮୫୧ ରନ୍ ସଂଗ୍ରହ କଲେଣି । କ୍ୱାଲିଫାୟର-୨ରେ ତାଙ୍କ ବିସ୍ଫୋରକ ଶତକ ସହାୟତାରେ ଗୁଜରାଟ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଫାଇନାଲ୍ରେ ସ୍ଥାନ ପାଇଥିଲା । ଟିମ୍ରେ ହାର୍ଦ୍ଦିକ, ଡେଭିଡ୍ ମିଲର୍, ରାହୁଲ ତେୱାଟିଆ, ବିଜୟ ଶଙ୍କର, ସାଇ ସୁଦର୍ଶନ ଓ ରଶିଦ ଖାନ୍ଙ୍କ ଭଳି ବ୍ୟାଟର୍ ଅଛନ୍ତି । ବୋଲିଂରେ ମହମ୍ମଦ ଶାମୀ (୨୬ ୱିକେଟ୍) ଓ ରଶିଦ ଖାନ୍ (୨୫ ୱିକେଟ୍) ନେଇ ପର୍ପଲ୍ କ୍ୟାପ୍ ଦୌଡ଼ରେ ଆଗରେ ଅଛନ୍ତି । ୧୯ ୱିକେଟ୍ ନେଇଥିବା ମୋହିତ ଶର୍ମା ବି ଅଛନ୍ତି, ଯିଏ ପୂର୍ବରୁ ଧୋନିଙ୍କ ଟିମ୍ରେ ଥିଲେ ।
ଚେନ୍ନାଇ ଟିମ୍ ପାଖରେ ଯାଦୁକରୀ ଅଧିନାୟକ ଧୋନି ଅଛନ୍ତି । ଏ କଥା ହାର୍ଦ୍ଦିକଙ୍କୁ ମନେ ରଖିବାକୁ ହେବ । କ୍ୱାଲିଫାୟର-୧ରେ ଗୁଜରାଟ ଟିମ୍ ଚେନ୍ନାଇ ଠାରୁ ହାରି ଯାଇଥିଲା । ୧୭୩ ରନ୍ର ବିଜୟ ଲକ୍ଷ୍ୟକୁ ବି ପାଣ୍ଡ୍ୟାଙ୍କ ଟିମ୍ ହାସଲ କରିପାରି ନ ଥିଲା ।
୧୦ମ ଥର ଫାଇନାଲ୍ ଖେଳିବାକୁ ଯାଉଥିବା ଚେନ୍ନାଇ ଟିମ୍ ପାଖରେ ଋତୁରାଜ ଗାଏକୱାଡ଼ ଓ ଡେଭନ୍ କନୱେଙ୍କ ଭଳି ଓପନିଂ ଯୋଡ଼ି ଥିବା ବେଳେ ଅଜିଙ୍କ୍ୟ ରାହାଣେ, ଅମ୍ବାତି ରାୟୁଡ଼ୁ, ମୋଇନ୍ ଅଲୀ, ରବୀନ୍ଦ୍ର ଜାଡ଼େଜା, ଧୋନି ବ୍ୟାଟିଂ ଲାଇନ୍ଅପ୍ରେ ଅଛନ୍ତି । ବୋଲିଂ ଲାଇନ୍ଅପ୍ରେ ଦୀପକ ଚାହର, ମହୀଶ ତୀକ୍ଷଣା, ଜାଡ଼େଜା ଓ ମଥୀଶା ପାଥିରାନା, ତୁଷାର ଦେଶପାଣ୍ଡେଙ୍କ ଭଳି ବୋଲର୍ ରହିଛନ୍ତି ।
ଉଭୟ ଅଧିନାୟକଙ୍କୁ ଏ କଥା ମନେ ରଖିବାକୁ ହେବ ଯେ କ୍ୱାଲିଫାୟର-୧ ଖେଳାଯାଇଥିବା ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଗ୍ରାଉଣ୍ଡ ଓ ଫାଇନାଲ୍ ଖେଳାଯିବାକୁ ଥିବା ଅହମଦାବାଦର ନରେନ୍ଦ୍ର ମୋଦି ଗ୍ରାଉଣ୍ଡ ସମାନ ନୁହେଁ । କ୍ୱାଲିଫାୟର୍-୧ ଧୀମା ଓ ସ୍ପିନିଂ ଟ୍ରାକ୍ରେ ଖେଳାଯାଇଥିଲା । ଅହମଦାବାଦର ପିଚ୍ ଅଧିକ ବ୍ୟାଟିଂ-ଅନୁକୂଳ । ତେବେ ଯେଉଁ ଟିମ୍ ସମ୍ପୂର୍ଣ୍ଣ ରୂପେ ନିଜକୁ ନିୟନ୍ତ୍ରଣରେ ରଖିବ ଏବଂ ଖେଳର ପ୍ରତି ବିଭାଗରେ ଉନ୍ନତ ପ୍ରଦର୍ଶନ କରିବ, ସେହିଁ ବିଜେତା ହେବ ।