ନୀତି ଆୟୋଗ ବୈଠକ ଯୋଗଦେଲେନି ନବୀନ

ନୂଆଦିଲ୍ଲୀ, ୨୭ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରଗତି ମଇଦାନର ନୂଆ କନ୍ଭେନ୍ସନ୍ ସେଣ୍ଟରରେ ଅନୁଷ୍ଠିତ ନୀତି ଆୟୋଗ ଗଭର୍ଣ୍ଣିଂ କାଉନ୍ସିଲ୍ (ଜିସିଏମ୍)ର ଅଷ୍ଟମ ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୧ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନାହାଁନ୍ତି । ୧୧ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଅନୁପସ୍ଥିତ ରହିବା ନେଇ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି । ନବୀନ କାହିଁକି ଏହି ବୈଠକରେ ଉପସ୍ଥିତ ରହିଲେ ନାହିଁ, ସେ ନେଇ ସରକାରୀ ଭାବେ କିଛି ସ୍ପଷ୍ଟୀକରଣ ଦିଆଯାଇନାହିଁ । ତେବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଯୋଗୁଁ ସେ ବୈଠକରେ ସାମିଲ ହୋଇ ନ ଥିବା କୁହାଯାଉଛି ।
ଦେଶର ବିକାଶର ରୋଡମ୍ୟାପ୍ ପ୍ରସ୍ତୁତ କରୁଥିବା ଏହି ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥାର ପରି·ଳନା ପରିଷଦ ବୈଠକକୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ଏବଂ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ, କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧ ରମେୟା ପ୍ରମୁଖ ଯୋଗଦେଇ ନାହାନ୍ତି । ତେବେ କଂଗ୍ରେସଶାସିତ ଛତିଶଗଡ ଓ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ବୈଠକରେ ଭାଗ ନେଇଥିଲେ । ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ସ୍ଥାନରେ ଉପମୁଖ୍ୟମନ୍ତ୍ରୀମାନେହିଁ ବୈଠକରେ ଯୋଗଦେବେ ବୋଲି ନିୟମ ଥିଲା । ପଶ୍ଚିମବଙ୍ଗ ପକ୍ଷରୁ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଓ ମୁଖ୍ୟ ସଚିବଙ୍କୁ ପଠାଯିବ ବୋଲି କୁହାଯାଇଥିଲା । କିନ୍ତୁ କେନ୍ଦ୍ର ସେହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲା । ଦିଲ୍ଲୀ ଓ ପଞ୍ଜାବରେ ଆପ୍ ସରକାର ରହିଛି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ବୈଠକ ବର୍ଜନ ପାଇଁ ପୂର୍ବରୁ ନିଷ୍ପତ୍ତି ଘୋଷଣା କରିଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ କହିଥିଲେ, କେନ୍ଦ୍ର ସଂଘବାଦର ପରିହାସକୁ ମାନୁ ନ ଥିବାରୁ ନୀତି ଆୟୋଗ ବୈଠକରେ ଯୋଗଦେବାର କୌଣସି ମାନେ ନାହିଁ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର-ଜାପାନ ଗସ୍ତରେ ଥିବାରୁ ବୈଠକରେ ସାମିଲ ହୋଇପାରିଲେ ନାହିଁ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଭଲ ନ ଥିବା କହି ଆସିନଥିଲେ । କେରଳ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତି ସମ୍ପର୍କରେ ବିଶେଷ କାରଣ ଦର୍ଶାଇ ନାହାନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରାଜ୍ୟରେ ନୂଆ କ୍ୟାବିନେଟ୍ ଗଠନ କାରଣରୁ ବୈଠକରେ ଉପସ୍ଥିତ ହୋଇପାରି ନ ଥିଲେ ।
୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶରେ ପରିଣତ କରାଇବା ଥିଲା ବୈଠକର ମୁଖ୍ୟ ପ୍ରସଙ୍ଗ । ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତ କିଭିଳି ସବୁ କ୍ଷେତ୍ରରେ ବିକଶିତ ହୋଇ ପାରିବ ସେନେଇ ଆଲୋଚନା ହୋଇଥିଲା । ସ୍ୱାସ୍ଥ୍ୟ, ମହିଳା ସଶକ୍ତୀକରଣ, ଭିତ୍ତିଭୂମି ବିକାଶ, ଦକ୍ଷତା ବିକାଶ ଆଦି ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ, ରାଜ୍ୟମାନେ ଆଗେଇଲେହିଁ ଭାରତ ଆଗେଇବ ।
ନୀତି ଆୟୋଗ ବୈଠକରେ ୧୧ ମୁଖ୍ୟମନ୍ତ୍ରୀ ସାମିଲ ନହେବା ସମ୍ପର୍କରେ ପ୍ରତିକ୍ରିୟା ଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଏହି ମୁଖ୍ୟମନ୍ତ୍ରୀମାନେ ନିଜ ରାଜ୍ୟବାସୀଙ୍କ ହିତ ସପକ୍ଷରେ ନଥିବା ସଙ୍କେତ ମିଳୁଛି । ନୀତି ଆୟୋଗ ବୈଠକ କୌଣସି ଦଳ ବା ରାଜନୀତି ପାଇଁ ଉଦ୍ଦିଷ୍ଟ ନୁହେଁ, ଦେଶର ବିକାଶ ମାର୍ଗ ପ୍ରସ୍ତୁତ କରିବା ଏହାର ଉଦେ୍ଦଶ୍ୟ । କିନ୍ତୁ ଏହାର ରାଜନୀତିକରଣ ବିରୋଧୀ ଦଳଙ୍କ ସଂକୀର୍ଣ୍ଣ ମାନସିକତାର ପରିଚାୟକ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *