ଏ ବର୍ଷ ସ୍ୱାଭାବିକ ବର୍ଷା
୪ରେ କେରଳ ଛୁଇଁବ ମୌସୁମୀ
ନୂଆଦିଲ୍ଲୀ, ୨୬ା୫: ଅଲ୍ ନିନୋ ସ୍ଥିତି ସତ୍ତ୍ୱେ ଚଳିତ ବର୍ଷ ସ୍ୱାଭାବିକ ହେବ ମୌସୁମୀ । ଜୁନ୍ ୪ ତାରିଖ ବେଳକୁ ମୌସୁମୀ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) କହିଛି । ଆଇଏମ୍ଡିର ବୈଜ୍ଞାନିକ ଡକ୍ଟର ପିଏସ୍ ପଈ କହିଛନ୍ତି, ଲଙ୍ଗ୍ ପିରିୟଡ୍ ଆଭରେଜ୍ (ଏଲ୍ପିଏ)ରେ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ବୃଷ୍ଟିପାତ ହେବ ବୋଲି ଆକଳନ କରାଯାଉଛି । ତେବେ ବର୍ତ୍ତମାନର ପାଣିପାଗ ସ୍ଥିତି ଅନୁଯାୟୀ ଉତ୍ତର-ପଶ୍ଚିମ ଭାରତରେ ସ୍ୱାଭାବିକ ଠାରୁ କମ୍ ବର୍ଷା (ଏଲ୍ପିଏ-୯୨%) ହୋଇପାରେ । ଏବେ କାଳବୈଶାଖୀ ଯୋଗୁଁ ପ୍ରାକ୍ ମୌସୁମୀ ସ୍ଥିତି ଉପୁଜିଛି । ମୌସୁମୀ ଋତୁ (ଜୁନ୍ରୁ ସେପ୍ଟେମ୍ବର)ରେ କେବଳ ଜୁନ୍ ମାସରେ କମ୍ ବର୍ଷା ହୋଇପାରେ । ଏହାପରେ ମୌସୁମୀ ପିକ୍ରେ ପହଞ୍ଚିବ । ଉତ୍ତର-ପଶ୍ଚିମ, ଉତ୍ତର ଓ ଉତ୍ତର-ପୂର୍ବ ଭାରତର କେତେକ ଇଲାକାରେ ସ୍ୱାଭାବିକରୁ ଅଧିକ ବୃଷ୍ଟିପାତ ସମ୍ଭାବନା ରହିଛି । ପଞ୍ଜାବ, ହରିଆଣା, ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ସମଗ୍ର ମୌସୁମୀ ଋତୁରେ ୯୨ ପ୍ରତିଶତ ବର୍ଷା ହେବା ଆକଳନ କରାଯାଇଛି ଯାହାକି ସ୍ୱାଭାବିକ ବୃଷ୍ଟିପାତଠାରୁ କମ୍ । ଦେଶର ଅବଶିଷ୍ଟ ଇଲାକାରେ ସ୍ୱାଭାବିକ କିମ୍ବା ସ୍ୱାଭାବିକରୁ ଅଧିକ ବର୍ଷା ହୋଇପାରେ । କେରଳ ଛୁଇଁବାର ୧୦ ଦିନ ପରେ ସାଧାଣତଃ ମୌସୁମୀ ଓଡ଼ିଶାକୁ ଆସିଥାଏ । ଯଦି ଜୁନ୍ ୪ରେ ମୌସୁମୀ କେରଳ ଛୁଏଁ, ଜୁନ୍ ୧୪ ଅର୍ଥାତ ରଜ ବେଳକୁ ଓଡ଼ିଶାରେ ମୌସୁମୀ ପ୍ରବାହ ଆରମ୍ଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଗତବର୍ଷ ମେ’ ୨୯ ତାରିଖରେ ମୌସୁମୀ କେରଳ ଛୁଇଁଥିଲା । ୨୦୨୧ରେ ଏହା ଜୁନ ୩ ଓ ୨୦୨୦ରେ ଜୁନ ୧ରେ କେରଳରେ ଉପସ୍ଥିତି ଜାହିର କରିଥିଲା ।