ପୂର୍ବ ଶତ୍ରୁତାରୁ ହତ୍ୟା

ନବ ଦାସ ମର୍ଡର
ଭୁବନେଶ୍ୱର, ୨୬ା୫(ବୁ୍ୟରୋ): ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ପଛରେ କୌଣସି ଷଡ଼୍ୟନ୍ତ୍ର ନ ଥିଲା । ଏଏସ୍ଆଇ ଗୋପାଳ ଦାସ ବ୍ୟକ୍ତିଗତ ଆକ୍ରୋଶରୁ ତାଙ୍କୁ ହତ୍ୟା କରିଥିଲା । ନବ ଦାସଙ୍କ ପଟୁ ସେ କିଛି ଗୋଟିଏ ଭୟ ଆଶଙ୍କା କରୁଥିଲା । ଅନେକ ଦିନ ଧରି ଏହି ଭୟ ତାକୁ ଆଚ୍ଛନ୍ନ କରିଥିଲା ଯାହା ତା’ ମନରେ ରାଗ ସୃଷ୍ଟି କରିଥିଲା । ତେଣୁ ହତ୍ୟା ଯୋଜନା କରି ମାନସିକ ଭାବେ ସେ ପ୍ରସ୍ତୁତ ରହିଥିଲା ଯେଉଁଥିରେ ସେ ସଫଳ ହେଲା ବୋଲି କ୍ରାଇମ୍ ବ୍ରାଞ୍ଚ୍ ପକ୍ଷରୁ ଶୁକ୍ରବାର ଝାରସୁଗୁଡ଼ା ଜେଏମ୍ଏଫସି କୋର୍ଟରେ ଦାଖଲ କରାଯାଇଥିବା ୫୪୩ ପୃଷ୍ଠାର ଚାର୍ଜସିଟ୍ରେ ଉଲ୍ଲେଖ କରାଯାଇଛି । ୮୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ପରେ ହତ୍ୟାର ୧୧୭ ଦିନ ପରେ ଚାର୍ଜସିଟ୍ ଦାଖଲ କରାଯାଇଛି ।
ଚାର୍ଜସିଟ୍ରେ ଗୋପାଳ ଦାସକୁ ଏକମାତ୍ର ଅଭିଯୁକ୍ତ ଉଲ୍ଲେଖ କରାଯାଇଛି । ତା’ ବିରୋଧରେ ଦଫା ୩୦୨ (ହତ୍ୟା), ୩୦୭ (ହତ୍ୟା ଉଦ୍ୟମ) ଏବଂ ଆର୍ମସ୍ ଆକ୍ଟର ଧାରା ୨୭(୧) ଅନୁଯାୟୀ ମାମଲା ରୁଜୁ ହୋଇଛି ।
ତଦନ୍ତ ବେଳେ ରାଜନୈତିକ କିମ୍ବା ଅନ୍ୟ କୌଣସି ଷଡ୍ÿଯନ୍ତ୍ର ଦିଗର ତଥ୍ୟ ପ୍ରମାଣ କ୍ରାଇମ୍ ବ୍ରାଞ୍ଚ୍କୁ ମିଳିନାହିଁ । ସମ୍ପୂର୍ଣ୍ଣ ଚାର୍ଜସିଟ୍ ଗଣମାଧ୍ୟମର ହସ୍ତଗତ ହୋଇ ନ ଥିଲେ ମଧ୍ୟ କ୍ରାଇମ୍ ବ୍ରାଞ୍ଚ୍ ପ୍ରେସ୍ ରିଲିଜ୍ରେ ମୁଖ୍ୟ କଥା ଉଲ୍ଲେଖ କରାଯାଇଛି ।
କେଉଁ କାରଣରୁ ନବଙ୍କ ପଟୁ ବିପଦ ଆଶଙ୍କା ଥିଲା ତାହା ତଦନ୍ତ ଅଧିକାରୀଙ୍କୁ ଗୋପାଳ କହିନାହିଁ । ସେହିପରି ଗୋପାଳର ମେଡ଼ିକାଲ ରିପୋର୍ଟ ଅନୁସାରେ ସେ ପାଗଳ ନୁହେଁ ବୋଲି କ୍ରାଇମ୍ ବ୍ରାଞ୍ଚ୍ ଚାର୍ଜସିଟ୍ରେ ସ୍ପଷ୍ଟ କରିଛି । ସମ୍ପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଯୋଜନାବଦ୍ଧ ଭାବେ ସେ ଏହି ହତ୍ୟାକାଣ୍ଡ ଘଟାଇଛି ।
ଗୋପାଳକୁ ପରିବାର ଲୋକ ପାଗଳ ଦର୍ଶାଇବାକୁ ଉଦ୍ୟମ କରିଥିଲେ । ବାଇପୋଲାର୍ ଡିଜର୍ଡର ପାଇଁ ସେ ଔଷଧ ଖାଉଥିବା କହିଥିଲେ । ମାତ୍ର ତଦନ୍ତ ବେଳେ ଏହା ଭୁଲ୍ ପ୍ରମାଣିତ ହୋଇଛି । ଗୋପାଳକୁ ଡିଏମ୍ଇଟି ତତ୍ତ୍ୱାବଧାନରେ ଏକ ଡାକ୍ତରୀ ଟିମ୍ ପରୀକ୍ଷା କରିଥିଲେ । ଏହି ପରୀକ୍ଷାରୁ ତା’ର କୌଣସି ମାନସିକ ବିକୃତି ଜଣାପଡ଼ି ନ ଥିଲା । ଗୋପାଳର ସହଯୋଗୀ ଏବଂ ତାକୁ ଜାଣିଥିବା ଲୋକମାନେ ସେ ସୁସ୍ଥ ମଣିଷ ବୋଲି କହିଥିଲେ । ତଦନ୍ତ ବେଳେ ସେ ସହଯୋଗ କରୁଥିଲା ଏବଂ ଭଲରେ ଭଲରେ ସବୁ ପ୍ରଶ୍ନର ଉତ୍ତର ଦେଉଥିଲା । ସୁତରାଂ ସେ ପାଗଳ ନ ଥିଲା । ତା’ର ମାନସିକ ସ୍ଥିତି ଠିକ୍ ଥିଲା ବୋଲି କ୍ରାଇମ୍ବ୍ରାଞ୍ଚ ପ୍ରେସ୍ ରିଲିଜରେ ଉଲ୍ଲେଖ ଅଛି ।
ରାଜନୈତିକ କାରଣରୁ ନବ ଦାସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ବିରୋଧୀ ଦଳ ପୂର୍ବରୁ ତୁମ୍ବି ତୋଫାନ କରିଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତର ନିରପେକ୍ଷତାକୁ ପ୍ରଶ୍ନ ଉଠାଇଥିଲେ । ଅନ୍ୟପକ୍ଷରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅନୁଧ୍ୟାନରେ ତଦନ୍ତ ଚାଲୁଥିବାରୁ କ୍ରାଇମବ୍ରାଞ୍ଚଞ୍ଚଉପରେ ବିଶ୍ୱାସ ରଖିବାକୁ ସରକାର ଭରସା ଦେଇଥିଲେ । କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ ପରେ ବିଜେପି ଓ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ହତ୍ୟା ପଛରେ ରହିଥିବା ଷଡ଼୍ୟନ୍ତ୍ର ଦିଗକୁ ଚାପି ଦିଆଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେବେ ବିନା ତଥ୍ୟ ପ୍ରମାଣରେ ବିରୋଧୀଙ୍କ ରାଜନୈତିକ ବୟାନବାଜିକୁ ବିଜେଡି ନେତା ସମାଲୋଚନା କରିଛନ୍ତି ।
ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୯ରେ ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗର ଗାନ୍ଧି ଛକଠାରେ ହତ୍ୟା କରାଯାଇଥିଲା । ଅଭିଯୁକ୍ତ ଏଏସ୍ଆଇ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ଗିରଫ କରାଯାଇଥିଲା । ଗୋପାଳର ଗୁଜୁରାଟର ଗାନ୍ଧିନଗରସ୍ଥିତ ଫୋରେନସିକ ଲ୍ୟାବରେ ପଲିଗ୍ରାଫ୍ ଟେଷ୍ଟ୍ ଓ ନାର୍କୋ ଆନାଲିସିସ୍ ତଥା ବ୍ରେନ୍ ମ୍ୟାପିଂ କରାଯାଇଥିଲା । ଦିଲ୍ଲୀ ଫୋରେନସିକ ଲ୍ୟାବ ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡାରେ ଗୋପାଳର ହୋଇଥିବା ଏଲଟିଏ ଟେଷ୍ଟର ମଧ୍ୟ ତର୍ଜମା କରାଯାଇଥିଲା । ଏସ୍ସିବି ମାନସିକ ଚିକିସôା ପ୍ରତିଷ୍ଠାନର ୫ ଜଣିଆ ବିଶେଷଜ୍ଞ ଟିମ୍ର ଯାଞ୍ଚ ସହ ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ୍ ମେଣ୍ଟାଲ ହେଲ୍ଥ୍ ଆଣ୍ଡ ନୁ୍ୟରୋ ସାଇନ୍ସେସ୍ (ନିମହାନ୍ସ) ବିଶେଷଜ୍ଞ ଦଳ ମଧ୍ୟ ତର୍ଜମା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *