ପ୍ଲେଅଫ୍ର ସବୁଠୁ ବଡ଼ ସ୍କୋର୍ କଲା ଗୁଜରାଟ
ଆଇପିଏଲ୍ କ୍ୱାଲିଫାୟର୍-୨
ଅହମଦାବାଦ, ୨୬ା୫ (ଏଜେନ୍ସି): ଓପନର୍ ଶୁଭମନ ଗିଲ୍ (୧୨୯)ଙ୍କ ବିସ୍ଫୋରକ ଶତକ ବଳରେ ଡିଫେଣ୍ଡଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ଚଳିତ ଆଇପିଏଲ୍ର କ୍ୱାଲିଫାୟର୍-୨ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୩୪ ରନ୍ର ବିଶାଳ ବିଜୟ ଲକ୍ଷ୍ୟ ଦେଇଛି । ପ୍ଲେଅଫ୍ରେ ଗୁଜରାଟ ସବୁଠାରୁ ବଡ଼ ସ୍କୋର୍ ଛିଡ଼ା କରିଛି । ରିପୋର୍ଟ ଲେଖା ଶେଷ ହେବାବେଳକୁ ମୁମ୍ବାଇ ଟିମ୍ ୧୦ ଓଭର୍ରେ ୩ ୱିକେଟ୍ ହରାଇ ୧୧୦ ରନ୍ ସଂଗ୍ରହ କରିଥିଲା । ସୂର୍ଯ୍ୟକୁମାର ଯାଦବ ୩୩ ଓ କାମେରନ୍ ଗ୍ରୀନ୍ ୨୧ ରନ୍ କରି ଅପରାଜିତ ଥିଲେ ।
ବିଶାଳ ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ମୁମ୍ବାଇ ଟିମ୍ର ଦୁଇ ଓପନର୍ ଦୁଇ ଅଙ୍କ ଛୁଇଁ ନ ପାରି ପାଭିଲିଅନ୍ ଫେରିଥିଲେ । ନେହାଲ୍ ୱାଧେରା ୪ ରନ୍ କରି ମହମ୍ମଦ ଶାମୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ପରବର୍ତ୍ତୀ ବ୍ୟାଟର୍ କାମେରନ୍ ଗ୍ରୀନ୍ (୪) ରିଟାୟର୍ଡ ହର୍ଟ ହୋଇ ପାଭିଲିଅନ୍ ଫେରିଥିଲେ । ଅଧିନାୟକ ରୋହିତ ଶର୍ମା (୮) ବି ଶାମୀଙ୍କ ଶିକାର ହୋଇଥିଲେ । ଏହାପରେ ସୂର୍ଯ୍ୟକୁମାର ଯାଦବ ଓ ତିଲକ ବର୍ମା ଇନିଂସ୍ ସମ୍ଭାଳିବାକୁ ପ୍ରୟାସ କରିଥିଲେ । ତୃତୀୟ ୱିକେଟ୍ ପାଇଁ ୫୧ ରନ୍ର ଭାଗୀଦାରୀ ହୋଇଥିଲା । ଏହାପରେ ସୂର୍ଯ୍ୟକୁମାରଙ୍କ ସହ କ୍ରିଜ୍ରେ ଯୋଗ ଦେଇଥିଲେ ଗ୍ରୀନ୍ ।
ମୁମ୍ବାଇ ଟିମ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମୁମ୍ବାଇ ଏକାଦଶରେ ରିତିକ୍ ଶୌକୀନଙ୍କ ସ୍ଥାନରେ କୁମାର କାର୍ତ୍ତିକେୟ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଗୁଜରାଟ ଏକାଦଶରେ ଜୋଶୁଆ ଲିଟିଲ୍ ଓ ସାଇ ସୁଦର୍ଶନ ସ୍ଥାନ ପାଇଥିଲେ । ତେବେ ବର୍ଷା ଯୋଗୁଁ ମ୍ୟାଚ୍ ଆରମ୍ଭରେ କିଛି ସମୟ ବିଳମ୍ବ ଘଟିଥିଲା । ପ୍ରଥମେ ବ୍ୟାଟିଂ ନେଇଥିବା ଗୁଜରାଟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୩ ୱିକେଟ୍ ହରାଇ ୨୩୩ ରନ୍ ସଂଗ୍ରହ କରିଥିଲା । ଗିଲ୍ ମାତ୍ର ୬୦ ବଲ୍ରୁ ୧୨୯ ରନ୍ କରିଥିଲେ । ତାଙ୍କ ଇନିଂସ୍ରେ ୭ ଚୌକା ଓ ୧୦ ଛକା ରହିଥିଲା ।
ରିଦ୍ଧିମାନ ସାହା ଓ ଗିଲ୍ ଓପନିଂ ଯୋଡ଼ିରେ ୫୪ ରନ୍ର ଭାଗୀଦାରୀ କରିଥିଲେ । ସାହା ୧୮ ରନ୍ କରି ପୀୟୂଷ ଚାୱଲାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ଗିଲ୍ ନୂଆ ବ୍ୟାଟର୍ ସାଇ ସୁଦର୍ଶନଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇଥିଲେ । ଇତ୍ୟବସରେ ଗିଲ୍ ୩୨ ବଲ୍ରୁ ଅର୍ଦ୍ଧଶତକ ଓ ୪୯ ବଲ୍ରୁ ଶତକ ପୂରଣ କରିଥିଲେ । ସେ ପ୍ଲେଅଫ୍ରେ ଶତକ ଲଗାଇବାରେ ସର୍ବକନିଷ୍ଠ ବ୍ୟାଟର୍ । ଚଳିତ ସିଜନ୍ରେ ଏହା ତାଙ୍କର ତୃତୀୟ ଶତକ ।
ଦ୍ୱିତୀୟ ୱିକେଟ୍ ପାଇଁ ୬୩ ବଲ୍ରୁ ୧୩୮ ରନ୍ର ଭାଗୀଦାରୀ ହୋଇଥିଲା । ଗିଲ୍ଙ୍କ ଇନିଂସ୍ର ଅନ୍ତ ଘଟାଇଥିଲେ ଆକାଶ ମଧୱାଲ ।
ସୁଦର୍ଶନ ୩୧ ବଲ୍ରୁ ୪୩ ରନ୍ କରି ରିଟାୟର୍ଡ ଆଉଟ୍ ହୋଇଥିଲେ । ତାଙ୍କ ଇନିଂସ୍ରେ ୫ ଚୌକା ଓ ୧ ଛକା ରହିଛି । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲ୍ରୁ ୨୮ ଓ ରଶିଦ ଖାନ୍ ୫ ରନ୍ କରି ଅପରାଜିତ ଥିଲେ ।