ଟ୍ରିବୁ୍ୟନାଲ ଟିମ୍ଙ୍କ କ୍ଷେତ୍ର ପରିଦର୍ଶନ
ମହାନଦୀ ଜଳ ବିବାଦ
କଟକ, ୨୬ା୫(ବୁ୍ୟରୋ): ମହାନଦୀରେ ଜଳସ୍ତର ଉଦ୍ବେଗଜନକ ଭାବେ ହ୍ରାସ ପାଉଥିବାରୁ ଏବଂ ଏହାକୁ ନେଇ ଓଡ଼ିଶା ଓ ଛତିଶଗଡ ମଧ୍ୟରେ ଲାଗି ରହିଥିବା ବିବାଦ ପରିପ୍ର୍ରେକ୍ଷୀରେ ମହାନଦୀ ଟ୍ରିବୁ୍ୟନାଲ ଟିମ୍ ଶୁକ୍ରବାର କଟକ ଗସ୍ତ କରି କ୍ଷେତ୍ର ପରିଦର୍ଶନ କରିଛନ୍ତି ।
ଟ୍ରିବୁ୍ୟନାଲର ଅଧ୍ୟକ୍ଷ ଜଷ୍ଟିସ୍ ଏଏମ୍ ଖାନୱିଲକର, ଜଷ୍ଟିସ୍ ଇନ୍ଦରମିତ କୌର କୋଚର ଓ ଜଷ୍ଟିସ୍ ଏକେ ପାଠକଙ୍କ ସମେତ ୨୦ ଜଣିଆ ପ୍ରତିନିଧି ଦଳ ପ୍ରଥମେ ମୁଣ୍ଡଳି ବ୍ୟାରେଜ୍, ସର୍ପେଶ୍ୱର ମହାଦେବ, ନରାଜ ପାହାଡ, ନରାଜ ବ୍ୟାରେଜ୍, ଯୋବ୍ରା ବ୍ୟାରେଜ୍ ଆଦି ପରିଦର୍ଶନ କରିଥିଲେ । ସେମାନେ ଯୋବ୍ରା ସାମୁଦ୍ରିକ ସଂଗ୍ରହାଳୟ ବୁଲି ଦେଖିବା ପରେ ମହାନଦୀର ବିଭିନ୍ନ ଶାଖାନଦୀ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ଟିମ୍ ରାଜ୍ୟରେ ମହାନଦୀ ଅବବାହିକା ଅଞ୍ଚଳ ପରିଦର୍ଶନ କରି ସୁପ୍ରିମ୍କୋର୍ଟରେ ରିପୋର୍ଟ ଦାଖଲ କରିବେ ।
ଏହି ପରିଦର୍ଶନ ସମୟରେ ଛତିଶଗଡର ଆଇନଜୀବୀ, ବିଶେଷଜ୍ଞ, ଜଳ ସଂପଦ ବିଭାଗ ସ୍ୱତନ୍ତ୍ର ସଚିବ, ଯନ୍ତ୍ରୀ ମୁଖ୍ୟ ଓ ମୁଖ୍ୟ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଗସ୍ତ ସମୟରେ ମୁଖ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଆନ୍ତଃରାଜ୍ୟ ଯନ୍ତ୍ରୀ ମୁଖ୍ୟ ଆଶୁତୋଷ ଦାସ, ମହାନଦୀ କାଠଯୋଡି ପ୍ରଣାଳୀ ମୁଖ୍ୟ ଯନ୍ତ୍ରୀ ସାଗର ମହାନ୍ତି, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଡିସିପି ପିନାକ ମିଶ୍ର, ଗ୍ରାମାଞ୍ଚଳ ଏସ୍ପି ବି ଯୁଗଳକିଶୋର, ଜଳ ସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ, ଅତିରିକ୍ତ କେନ୍ଦ୍ରାଞ୍ଚଳ ମୁଖ୍ୟ ଯନ୍ତ୍ରୀ, ବିଘ୍ନରାଜ ପୁରୋହିତ, ଆଡଭୋକେ ଜେନେରାଲ ଅଶୋକ କୁମାର ପରିଜା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କଟକ ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଅନୀଲ କୁମାର ସାମଲ, ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଜିଲ୍ଲାର ସମସ୍ତ ଉପ ଜିଲ୍ଲାପାଳ, ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟ, ମହାନଦୀରେ ଜଳ ଆବଣ୍ଟନକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ବିବାଦ ଚାଲିଛି । ବିବାଦର ସମାଧାନ ପାଇଁ ମହାନଦୀ ଟ୍ରିବୁ୍ୟନାଲ ଗଠନ ହୋଇଛି । ମାମଲାର ଶୁଣାଣି ଅବସରରେ ଟ୍ରିବୁ୍ୟନାଲ ଟିମ୍ ଛତିଶଗଡ଼ ଗସ୍ତ କରିବା ପରେ ଏବେ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ଟିମ୍ ସମ୍ବଲପୁରର ହୀରାକୁଦ ଠାରୁ ଆରମ୍ଭ କରି ଯେଉଁ ଯେଉଁ ବାଟ ଦେଇ ମହାନଦୀ ପ୍ରବାହିତ ହୋଇଛି ସେସବୁର ମୁଖ୍ୟସ୍ଥାନ ଗୁଡ଼ିକ ପରିଦର୍ଶନ କରିସାରିଛନ୍ତି ।
ଛତିଶଗଡ଼ ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିଥିବାରୁ ଓଡ଼ିଶାରେ ମହାନଦୀର ସ୍ଥିତି ବିଗିଡ଼ିବାରେ ଲାଗିଛି । ଦିନକୁ ଦିନ ଜଳସ୍ତର କମିବାରେ ଲାଗିଛି । ଓଡ଼ିଶାବାସୀଙ୍କ ଜୀବନରେଖା କୁହାଯାଉଥିବା ମହାନଦୀର ସ୍ଥିତି ଏବେ ସଙ୍ଗୀନ ଅବସ୍ଥା ଦେଇ ଗତି କରୁଛି । ଏହାଛଡ଼ା ମହାନଦୀ ଅବବାହିକାରେ ବସବାସ କରୁଥିବା ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେବା ସହ ଜୈବ ବିବିଧତା ଉପରେ ମଧ୍ୟ ପ୍ରଭାବ ପକାଉଛି ।