ଉଦ୍ଘାଟନ ଅପେକ୍ଷାରେ ନୂଆ ସଂସଦ ଭବନ

୨ ପର୍ଯ୍ୟାୟରେ ଉଦ୍ଘାଟନ କାର୍ଯ୍ୟକ୍ରମ
ଏକକାଳୀନ ୧୨୭୨ ସଦସ୍ୟଙ୍କ ବସିବା ଲାଗି ବ୍ୟବସ୍ଥା
ସଂସଦ ମାର୍ଗରେ ପ୍ଲଟ ନମ୍ବର ୧୧୮ରେ ଅବସ୍ଥିତ
୭୫ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ
ନୂଆଦିଲ୍ଲୀ (ଏଜେନ୍ସି): ମେ’ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନ ଉଦ୍ଘାଟନ କରିବେ । ଏଥିଲାଗି ଭବ୍ୟ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନକୁ ବିରୋଧରେ କରି ସୁପ୍ରିମକୋର୍ଟରେ ରୁଜୁ ପିଆଇଏଲ୍ ଖାରଜ ହୋଇଯିବା ପରେ ନୂଆ ସଂସଦ ଭବନ ଉଦ୍ଘାଟନରେ ଥିବା ପ୍ରତିବନ୍ଧନ ଦୂର ହୋଇଛି । ଉଦ୍ଘାଟନ କାର୍ଯ୍ୟକ୍ରମ ୨ ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ସକାଳ ୭ଟାରେ ପୂଜାର୍ଚ୍ଚନା କରାଯିବ ଓ ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ପ୍ରମୁଖ ଅତିଥିଙ୍କ ଉପସ୍ଥିତିରେ ସଂସଦ ଭବନ ଉଦ୍ଘାଟନ କରିବେ । ତାମିଲନାଡ଼ୁରୁ ଆସିଥଇବା ୨୦ ଜଣ ସାଧୁସନ୍ଥଙ୍କ ସମେତ ବହୁ ଜଣାଶୁଣା ବିଦ୍ୱାନ ପୂଜାପାଠ କରିବେ । ନୂତନ ସଂସଦ ଭବନ ଉଦ୍ଘାଟନ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଥିବା ବେଳେ କାର୍ଯ୍ୟକ୍ରମକୁ ୨୦ ବିରୋଧୀ ଦଳ ବର୍ଜନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ବିଜେପି ସମେତ ୨୫ ରାଜନୈତିକ ଦଳ ଉଦ୍ଘାଟନ ଉତ୍ସବରେ ଭାଗ ନେବେ । ୧୪୦ କୋଟି ଭାରତୀୟଙ୍କ ବିକାଶ, ଉତ୍ସାହ ଓ ଆକାଂକ୍ଷାର ପ୍ରତିଫଳନସ୍ୱରୁପ ନିର୍ମିତ ନୂଆ ସଂସଦ ଭବନର ଜୀବନକାଳ ପ୍ରାୟ ୧୫୦ ବର୍ଷ । ବହୁ ଆଲୋଚିତ ସେଙ୍ଗଲ ବା ରାଜଦଣ୍ଡ ଲୋକସଭା ବାଚସ୍ପତିଙ୍କ ନିକଟରେ ଶୋଭାପାଇବ । ଏହି ଅବସରରେ ମୋଦି ୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିବେ ।
ଦିଲ୍ଲୀର ସଂସଦ ମାର୍ଗରେ ଥିବା ପ୍ଲଟ ନମ୍ବର ୧୧୮ରେ ନୂଆ ସଂସଦ ଭବନ ୬୫ ହଜାର ବର୍ଗ ମିଟର ପରିମିତ ଅଞ୍ଚଳରେ ଅବସ୍ଥିତ । ଲୋକସଭାର ୮୮୮ ଓ ରାଜ୍ୟସଭାର ୩୮୪ ସଦସ୍ୟଙ୍କୁ ମିଶାଇ ଏକକାଳୀନ ୧୨୭୨ ସଦସ୍ୟଙ୍କ ବସିବା ଲାଗି ବ୍ୟବସ୍ଥା ରହିଛି । ୪ ମହଲା ବିଶିଷ୍ଟ ତ୍ରିକୋଣୀୟ ସଂସଦ ଭବନର ଉଚ୍ଚତା ୩୯. ୬ ମିଟର । ଏଥିରେ ମନ୍ତ୍ରୀଙ୍କ ଲାଗି ୯୨ ଚାମ୍ବର ରହିଛି । ଆହୁରି ମଧ୍ୟ ୮ଶହ ଏମ୍ପିଙ୍କ ଚାମ୍ବର ନିର୍ମାଣ ୨୦୨୪ ମାର୍ଚ୍ଚରେ ଶେଷ ହେବ । କଡା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ନିର୍ମିର୍ତ ସଂସଦ ଭବନରେ ଲୋକସଭାର ଡିଜାଇନ୍ ମୟୂର ଓ ରାଜ୍ୟସଭାରର ଡିଜାଇନ୍ ପଦ୍ମ ଭଳି କରାଯାଇଛି ।
କୋଭିଡ୍ ପୂର୍ବରୁ ୨୦୧୯ ସେପ୍ଟେମ୍ବରରେ ଯୋଜନା କରାଯାଇଥିଲା ଓ ୨୦୨୦ ଅକ୍ଟୋବର ୧୦ରେ ଭିତ୍ତଭୂମି ପ୍ରସ୍ତୁତ ହୋଇଥିଲା । ୨୦ ହଜାର କୋଟି ଟଙ୍କାର ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପର ଅଂଶସ୍ୱରୂପ ନିର୍ମିତ ନୂଆ ସଂସଦ ଭବନର ଶୀଳାନ୍ୟାସ ସେହିବର୍ଷ ଡିସେମ୍ବର ୧୦ରେ ପ୍ରଧାନମନ୍ତ୍ରୀ ମୋଦି କରିଥିଲେ । ସିପିଡବ୍ଲୁ୍ୟଡି ଦ୍ୱାରା ନିର୍ମାଣ କରାଯାଉଥିବା ଏହି ଭବନର ମୁଖ୍ୟ କଣ୍ଟ୍ରାକ୍ଟର ହେଉଛି ଟାଟା ପ୍ରୋଜେକ୍ଟ ଲିଃ । ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟୟ ଅଟକଳ ଥିଲା ୮୬୨ ଟଙ୍କା । ପରେ ବ୍ୟୟ ୯୭୧ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ତେବେ ପ୍ରକଳ୍ପ ଶେଷ ସୁଦ୍ଧା ୧୨୫୦ କୋଟି ଟଙ୍କା ବ୍ୟୟ ହୋଇଛି ।
ମୁଖ୍ୟ ସ୍ଥପତି ବିମଳ ପଟେଲ ଓ ଆକର୍୍ିର୍ଟେକ୍ଚର ଫାର୍ମ ଏଚ୍ସିପି ଡିଜାଇନ୍ ପ୍ଲାନିଂ ଏଣ୍ଡ ମ୍ୟାନେଜ୍ମେଣ୍ଟ ଦ୍ୱାରା ପ୍ରସ୍ତୁତ ଡିଜାଇନ ଅନୁଯାୟୀ ନିର୍ମାଣ କରାଯାଇଛ । ନିର୍ମାଣରେ ୧୦ ହଜାର କୁଶଳୀ, ଅର୍ଦ୍ଧ କୁଶଳୀ ଓ ଅଣକୁଶଳୀ ଶ୍ରମିକ ନିଯୋଜିତ ହୋଇଛନ୍ତି । ୨୪.୧୨ ଲକ୍ଷ ମାନବ ଦିବସରେ ସଂସଦ ଭବନ ନିର୍ମାଣ ମେ’ ୨୦ରେ ଶେଷ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *